ବିଧାୟକଙ୍କ ଦରମା ଲକ୍ଷେ


ଭୁବନେଶ୍ୱର,୧୪।୯(ବ୍ୟୁରୋ):ରାଜ୍ୟ ସରକାର ବିଧାୟକମାନଙ୍କର ଦରମା ଓ ଅନ୍ୟାନ୍ୟ ଭତ୍ତା ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ବୁଧବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ କେବଳ ଗୋଟିଏ ମାତ୍ର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିରୋଧୀ ଦଳ ନେତା, ବାଚସ୍ପତି, ଉପବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ, ସରକାରୀ ଦଳ ଉପମୁଖ୍ୟ ସଚେତକ, ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ବିଧାୟକମାନଙ୍କର ଦରମା ଓ ଅନ୍ୟାନ୍ୟ ଭତ୍ତା ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ବୃଦ୍ଧି କରାଯାଇଛି। ବିଧାୟକମାନେ ଏଣିକି ମାସକୁ ୧ ଲକ୍ଷ ଟଙ୍କା ଦରମା ପାଇବେ। ଏହି ଦରମା ସହିତ କାର ଭତ୍ତା, ଦୈନିକ ଭ୍ରମଣ, ବିଧାନସଭା ଚାଲୁଥିବା ସମୟରେ ସିଟିଂ ଆଲଓ୍ବାନ୍ସ, ମେଡିକାଲ, ବାସଗୃହ, ବିଦ୍ୟୁତ, ଟେଲିଫୋନ, ଖବରକାଗଜ, ଅତିଥି ଚର୍ଚ୍ଚା ଆଦି ଭତ୍ତା ମିଶାଇ ଦିଆଯାଇଛି। ଏହାଛଡା ଯାନବାହନ କିଣିବାକୁ ମଧ୍ୟ ଅଗ୍ରିମ ଅର୍ଥ ଦେବାର ବ୍ୟବସ୍ଥା ରହିଛି। ଅନ୍ୟାନ୍ୟ ରାଜ୍ୟରେ ବିଧାୟକମାନଙ୍କର ଦରମା ଓଡିଶାଠାରୁ ବହୁ ଅଧିକ ଥିବାରୁ ଏହାକୁ ବଢାଯାଉ ବୋଲି ବିଧାନସଭାର ସଦସ୍ୟମାନେ ଦଳଗତ ନିର୍ବିଶେଷରେ ବିଭିନ୍ନ ସମୟରେ ଦାବି କରି ଆସୁଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏ ନେଇ ସ୍ମାରକପତ୍ର ଦେଇଥିଲେ। ସେହିପରି ପୂର୍ବତନ ବିଧାୟକମାନଙ୍କ ପାଇଁ ପେନସନ ହାରାହାରି ୫୦ରୁ ୬୦ ପ୍ରତିଶତ ମଧ୍ୟରେ ବୃଦ୍ଧି କରାଯାଇଛି। ପୂର୍ବତନ ବିଧାୟକ ଯେଉଁମାନେ ଥରେ ନିର୍ବାଚନ ବିଜୟୀ ହୋଇଛନ୍ତି ସେମାନଙ୍କୁ ମାସିକ ୧୫ ହଜାର ଟଙ୍କା ପେନସନ ଦିଆଯାଉଥିଲା। ଏହା ପରେ ଯେଉଁମାନେ ଯେତେ ଥର ବିଜୟୀ ହୋଇଥିବେ ସେମାନଙ୍କୁ ବର୍ଷକୁ ୧ ହଜାର ଟଙ୍କା କରି ଅଧିକ ପେନସନ ଦିଆଯାଉଥିଲା । ବିଧାନସଭା ଚାଲୁଥିବାରୁ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଗୁରୁବାର ଏହି ନିଷ୍ପତ୍ତି ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିପାରନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri