ଆଡିଲେଟ୍‌ ଟେଷ୍ଟ ଜିତିଲା ଅଷ୍ଟ୍ରେଲିଆ


ଆଡିଲେଟ୍‌, ୬।୧୨- ଘରୋଇ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡ୍‌ଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଦଳ ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୨ୟ ଟେଷ୍ଟକୁ ୧୨୦ ରନ୍‌ରେ ଜିତି ନେଇଛି। ଏହି ବିଜୟ ଯୋଗୁ ୫ଟି ଟେଷ୍ଟ ବିଶିଷ୍ଟ ଆଶେସ ସିରିଜ୍‌ରେ ଅଷ୍ଟ୍ରେଲିଆ ୨-୦ ବ୍ୟବଧାନରେ ଅଗ୍ରଣୀ ହାସଲ କରିଛି। ମ୍ୟାଚ୍‌ର ଅନ୍ତିମ ଦିବସରେ ଜୋ ରୁଟଙ୍କ ନେତୃତ୍ୱାଧୀନ ଦଳକୁ ବିଜୟ ପାଇଁ ୬ଟି ଦ୍ୱିତୀୟ ଇନିଂସ୍‌ ଉଇକେଟରେ ୧୭୮ ରନ୍‌ର ଆବଶ୍ୟକତା ଥିଲା। କିନ୍ତୁ ଭ୍ରମଣକାରୀ ଦଳ ୫୭ ରନ୍‌ ମଧ୍ୟରେ ସମସ୍ତ ଉଇକେଟ ହରାଇ ପରାଜୟ ବରଣ କରିଥିଲା। ଫଳରେ ଅସମାପ୍ତ ୨ୟ ଇନିଂସ୍‌ ସ୍କୋର ୧୭୬/୪ରୁ ବ୍ୟାଟିଂ ଆରମ୍ଭ କରିଥିବା ଇଂଲଣ୍ଡ ୨୩୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ପୂର୍ବଦିନ ଅର୍ଦ୍ଧଶତକୀୟ ପାଳି ସହ ଅପରାଜିତ ଥିବା ଅଧିନାୟକ ରୁଟ୍‌(୬୭) ଓ କ୍ରିସ ଓ୍ବକ୍ସ (୫) ବିନା କୌଣସି ରନ୍‌ କରି ଆଉଟ୍‌ ହୋଇଥିଲେ। ଏହିଠାରୁ କେବଳ ଜନ୍ନି ବେୟାରଷ୍ଟୋ ଗୋଟିଏ ପକ୍ଷରେ ୩୬ ରନ୍‌ର ଲଢ଼ୁଆ ପାଳି ଖେଳିଥିବା ବେଳେ ଅନ୍ୟପକ୍ଷରେ କୌଣସି ଇଂଲିଶ ବ୍ୟାଟ୍ସମ୍ୟାନ ତିଷ୍ଠି ପାରି ନ ଥିଲେ। ବିଜୟୀ ଦଳ ପାଇଁ ମିଚେଲ ଷ୍ଟାର୍କ ୫ଟି ଉଇକେଟ ନେଇଥିଲେ। ସେହିଭଳି ହାଜେଲଉଡ ଓ ନାଥନ ଲିଅନ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଏଥିପୂର୍ବରୁ ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ୪୪୨ କରିଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ପାଳିରେ ୨୨୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପରେ ୨୧୫ ରନ୍‌ ଆଗୁଆ ଥିବା ଟିମ୍‌ ଅଷ୍ଟ୍ରେଲିଆ ୨ୟ ଇନିଂସ୍‌ରେ ୧୩୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଫଳରେ ଇଂଲଣ୍ଡ ଆଗରେ ୩୫୪ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।  ବିଜୟୀ ଦଳ ପାଇଁ ପ୍ରଥମ ଇନିଂସ୍‌ରେ ଅପରାଜିତ ଶତକୀୟ ପାଳି ଖେଳିଥିବା ଶନ୍‌ ମାର୍ଶଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଭାବେ ବିବେଚିତ କରାଯାଇଥିଲା। ଉଲ୍ଲେଖଥାଉ କି, ଦିବାରାତ୍ର ଭିତ୍ତିରେ ଖେଳାଯାଇଥିବା ଟେଷ୍ଟର ୫ମ ଦିବସରେ ୨୦,୦୯୮ ଦର୍ଶକ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିଲେ। ଫଳରେ ମ୍ୟାଚ୍‌ର ମୋଟ ଦର୍ଶକ ସଂଖ୍ୟା ବୃଦ୍ଧି ପାଇ ୧,୯୯, ୧୪୭ରେ ପହଞ୍ଚିଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri