ଜର୍ମାନୀଠାରୁ ହାରିଲା ଭାରତ


ଭୁବନେଶ୍ୱର, ୫।୧୨(କ୍ରୀଡ଼ା ପ୍ରତିନିଧି)- ବିଶ୍ୱ ହକିରେ ୟୁରୋପିଆନ ଦେଶଗୁଡ଼ିକର ଆଧିପତ୍ୟ ବଢ଼ିବାରେ ଲାଗିଛି। ହକି ୱାଲର୍‌ଡ ଲିଗ୍‌ ଫାଇନାଲରେ ମଧ୍ୟ ଏହା ପ୍ରତିଫଳିତ ହୋଇଛି। ଘରୋଇ ପରିବେଶ ଏବଂ ଭରପୂର ଦର୍ଶକ ସମର୍ଥନ ଭାରତକୁ କୌଣସି ପ୍ରକାରେ ସହାୟତା କରିପାରିନାହିଁ। ଅତି ଲଜ୍ଜାଜନକ ଭାବେ ଦଳ ପ୍ରତିପକ୍ଷ ଦଳଗୁଡ଼ିକ ନିକଟରେ ଆତ୍ମସମର୍ପଣ କରିଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଲିଗ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌କୁ ଡ୍ର ରଖି ସାହସିକତାର ପରିଚୟ ଦେଇଥିବା ମନପ୍ରୀତ୍‌ ସିଂଙ୍କ ଦଳ ଦ୍ୱିତୀୟ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଇଂଲଣ୍ଡ ଏବଂ ସୋମବାର ଜର୍ମାନୀଠାରୁ ୦-୨ ଗୋଲରେ ହାରି ନିଜ ପୁଲ୍‌ର ନିମ୍ନ ସ୍ଥାନରେ ରହିଛି। ୩ ମ୍ୟାଚ୍‌ରୁ ଦଳ ୧ ଡ୍ର ଓ ୧ ପରାଜୟ ସହ ମାତ୍ର ୧ ପଏଣ୍ଟ ପାଇ ପୁଲ୍‌ ‘ବି’ରେ ଲଜ୍ଜାଜନକ ଭାବେ ୪ର୍ଥ ସ୍ଥାନରେ ରହିଛି। କ୍ବାର୍ଟର ଫାଇନାଲରେ ଭାରତ ପୁଲ‘ଏ’ର ଶୀର୍ଷସ୍ଥାନୀୟ ଦଳକୁ ଭେଟିବ। ଅନ୍ୟପକ୍ଷରେ ଜର୍ମାନୀ ୩ ମ୍ୟାଚ୍‌ରୁ ୨ ବିଜୟ ଓ ୧ ଡ୍ର ସହ ୭ ପଏଣ୍ଟ ପାଇ ପୁଲ‘ବି’ର ଶୀର୍ଷସ୍ଥାନ ଅଧିକାର କରିଛି। ଦଳ କ୍ବାର୍ଟର ଫାଇନାଲରେ ପୁଲ‘ଏ’ର ୪ର୍ଥ ସ୍ଥାନୀୟ ଦଳ ସହ ମୁକାବିଲା କରିବ। ଟୁର୍ନାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ବିଜୟ ସ୍ବାଦ ଚାଖି ନ ଥିବାବେଳେ ଜର୍ମାନୀ ଅପରାଜେୟ ରହିଛି। ମଙ୍ଗଳବାର ଅନ୍ତିମ ୨ ଲିଗ୍‌ ମ୍ୟାଚ ସହ କ୍ବାର୍ଟର ଫାଇନାଲ ଲାଇନ୍‌ଅପ୍‌ ହେବ। ସୋମବାର ମ୍ୟାଚ୍‌ରେ ଜର୍ମାନୀର ଜୋହାନେସ ଗ୍ରୋବ ଜୁନିୟର ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଏବଂ ମ୍ୟାଟ୍ସ ଗ୍ରାମ୍‌ବସ୍କ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି। ଗଜପତି ମହାରାଜ ଦିବ୍ୟସିଂହ ଦେବ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri