ବିପର୍ଯ୍ୟୟ ଘଟାଇଲା ସ୍ପେନ୍‌


ଭୁବନେଶ୍ୱର, ୩।୧୨(କ୍ରୀଡ଼ା ପ୍ରତିନିଧି)- ହକି ୱାଲର୍‌ଡ ଲିଗ୍‌ ଫାଇନାଲରେ ପ୍ରଥମେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି ସ୍ପେନ। ଶନିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ବିଶ୍ୱ ର଼୍ୟାଙ୍କିଙ୍ଗର ୯ ନମ୍ବର ସ୍ଥାନରେ ଥିବା ସ୍ପେନ ୪ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ନେଦରଲାଣ୍ଡକୁ ହରାଇ ଦେଇଛି। ଏଥିସହ ଟୁର୍ନାମେଣ୍ଟର ଅଣ୍ଡରଡଗ୍‌ ବିବେଚିତ ସ୍ପେନ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି। ଯୁବ ଖେଳାଳିଙ୍କୁ ନେଇ ସମୃଦ୍ଧ ସ୍ପେନ ଏଠାରେ ସ୍ପିଡ୍‌ ଗେମ୍‌ ରଣନୀତି ଅବଲମ୍ବନ କରି ସଫଳ ହୋଇଥିଲା। ପ୍ରଥମ କ୍ବାର୍ଟର ଶେଷଭାଗ ଅର୍ଥାତ୍‌ ୧୫ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ପାଉ କ୍ବିମାଡା ସ୍ପେନକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟ କ୍ବାର୍ଟରରେ ନେଦରଲାଣ୍ଡ ଗୋଲ ପରିଶୋଧ କରିବାକୁ ସକ୍ଷମ ନ ହେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ସ୍ପେନ ଅଗ୍ରଣୀ ବଜାୟ ରଖିଥିଲା। ତୃତୀୟ କ୍ବାର୍ଟର ସଂଘର୍ଷପୂର୍ଣ୍ଣ ହୋଇଥିଲା। ୩୫ତମ ମିନିଟରେ ଏନରିକ୍‌ ଗୋଞ୍ଜାଲେଜ ଏକ ଫିଲ୍ଡ ଗୋଲ ଦେଇ ସ୍ପେନକୁ ୨-୦ରେ ଅଗ୍ରଣୀ କରାଇଥିବାବେଳେ ୩୭ତମ ମିନିଟରେ ଲାର୍ସ ବଲ୍କଙ୍କ ପେନାଲ୍ଟି କର୍ନର ଗୋଲ ବଳରେ ନେଦରଲାଣ୍ଡ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ତେବେ ୩୯ତମ ମିନିଟରେ ଡିଏଗୋ ଆରାନା ଫିଲ୍ଡ ଗୋଲ ଦେଇ ସ୍ପେନକୁ ଡ୍ରାଇଭର ସିଟ୍‌ରେ ବସାଇ ଦେଇଥିଲେ। ୪୦ତମ ମିନିଟରେ ପାଇଥିବା ପେନାଲ୍ଟି କର୍ନରକୁ ନେଦରଲାଣ୍ଡ ହାତଛଡ଼ା କରିଥିଲା। ଅନ୍ତିମ କ୍ବାର୍ଟରରେ ଉଭୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ। ୫୫ତମ ମିନିଟରେ ମାର୍କୋ ପ୍ରୁଇଜସେର ଗୋଟିଏ ଗୋଲ ପରିଶୋଧ କରିବାରୁ ମ୍ୟାଚ ରୋମାଞ୍ଚକ ସ୍ଥିତିକୁ ଚାଲି ଆସିଥିଲା। ମାତ୍ର ଶେଷ ୫ ମିନିଟକୁ ସ୍ପେନ ଚତୁରତାର ସହ ଖେଳିଥିଲା। ଫଳରେ ନେଦରଲାଣ୍ଡ ଏହାର ରକ୍ଷଣଭାଗ ଭେଦ କରିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନ ଥିଲା। ସ୍ପେନର ଏନରିକ ଗୋଞ୍ଜାଲେଜ ଇମର୍ଜିଂ ପ୍ଲେୟର ଏବଂ ରିକାର୍ଡୋ ସାଣ୍ଟାନା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଏନରିକ ସ୍ପେନ ଜୁନିୟର ବିଶ୍ୱକପ ଦଳର ସଦସ୍ୟ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri