ପ୍ରଥମ ମ୍ୟାଚ ଜିତିଲା ଜର୍ମାନୀ


ଭୁବନେଶ୍ୱର, ୧।୧୨(କ୍ରୀଡ଼ା ପ୍ରତିନିଧି) କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଛି ହକି ସମର। ବିଶ୍ୱର ଶ୍ରେଷ୍ଠ ୮ଟି ଦଳର ଉପସ୍ଥିତିରେ ଏଠାରେ ହକି ରୋମାଞ୍ଚ ଉପଭୋଗ କରିଛନ୍ତି ଉପସ୍ଥିତ ଦର୍ଶକ। ହକି ୱାଲର୍‌ଡ ଲିଗ୍‌ ଫାଇନାଲର ତୃତୀୟ ତଥା ଅନ୍ତିମ ସଂସ୍କରଣର ପ୍ରଥମ ମ୍ୟାଚରେ ଆକ୍ରମଣାତ୍ମକ ଖେଳର ନମୁନା ଦେଖାଇ ଇଂଲଣ୍ଡକୁ ପରାସ୍ତ କରିଛି ଜର୍ମାନୀ। ମ୍ୟାଚଟି ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମାତ୍ର ଖେଳ ଆଗକୁ ବଢ଼ିବା ସହ ଏହା କ୍ରମେ ଜର୍ମାନୀ ନିୟନ୍ତ୍ରଣକୁ ଚାଲି ଯାଇଥିଲା। ଉଭୟ ଦଳ ପକ୍ଷରୁ କେତୋଟି ମୁଭ୍‌ ହୋଇଥିଲେ ହେଁ ୧୫ ମିନିଟର ପ୍ରଥମ କ୍ବାର୍ଟରରେ କୌଣସି ଗୋଲ ହୋଇ ନ ଥିଲା। ଦ୍ୱିତୀୟ କ୍ବାର୍ଟର ଆରମ୍ଭରୁ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରିଥିଲା ଜର୍ମାନୀ। ୧୯ତମ ମିନିଟରେ ଇଂଲଣ୍ଡର ଡିଫେନ୍ସ ଭେଦ କରି ଜର୍ମାନୀ ପାଇଁ ପ୍ରଥମ ଫିଲ୍ଡ ଗୋଲ ଦେଇଥିଲେ ମ୍ୟାଟ୍ସ ଗ୍ରାମବସ୍କ। ଇଂଲଣ୍ଡ ଗୋଲଟି ପରିଶୋଧ କରିବାକୁ ଉଦ୍ୟମ କରିବା ଚେଷ୍ଟାରେ ଥିବାବେଳେ ୨୫ତମ ମିନିଟରେ ଦ୍ୱିତୀୟ ଗୋଲ ଦେଇ ଖ୍ରିଷ୍ଟଫର ରୁହର ଜର୍ମାନୀକୁ ଡ୍ରାଇଭର ସିଟ୍‌ରେ ବସାଇଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଜର୍ମାନୀ ୨-୦ ଗୋାଲରେ ଅଗ୍ରଣୀ ହୋଇଥିଲା। ମଧ୍ୟାନ୍ତର ପଟ୍ଟପରିବର୍ତ୍ତନ ପରେ ଇଂଲଣ୍ଡ ମ୍ୟାଚକୁ ଫେରିବାକୁ ଉଦ୍ୟମ କରିବ ବୋଲି ଆଶା କରାଯାଉଥିଲା। ଉଦ୍ୟମ ମଧ୍ୟ ହୋଇଥିଲା। ମାତ୍ର ଶକ୍ତିଶାଳୀ ଜର୍ମାନୀ ଡିଫେନ୍ସ ବିଭାଗ ତାହା କରିବାକୁ ଦେଇ ନ ଥିଲେ। ତୃତୀୟ କ୍ବାର୍ଟରରେ ମ୍ୟାଚର ୩୮ତମ ମିନିଟରେ ଜର୍ମାନୀକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ମାତ୍ର ଅମ୍ପାୟରଙ୍କ ନିଷ୍ପତ୍ତିକୁ ବିରୋଧ କରି ଇଂଲଣ୍ଡ ଭିଡିଓ ରେଫରାଲ ମାଗିଥିଲା। ରିପ୍ଲେପରେ ଏହା ନାକଚ ହୋଇ ଯାଇଥିଲା। ୪ର୍ଥ ତଥା ଅନ୍ତିମ କ୍ବାର୍ଟରରେ ୪୦ତମ ମିନିଟରେ ଇଂଲଣ୍ଡକୁ ଏକ ପେନାଲ୍ଟି ମିଳିଥିଲା। ମାତ୍ର ଜର୍ମାନୀ ଦଳ ଭିଡିଓ ରେଫରାଲ ମାଗିଥିଲା। ରିପ୍ଲେରେ ଏହା ମଧ୍ୟ ନାକଚ ହୋଇ ଯାଇଥିଲା। ଅବଶିଷ୍ଟ ୧୦ ମିନିଟର ଖେଳରେ କୌଣସି ଗୋଲ ନ ହେବାରୁ ଜର୍ମାନୀ ପ୍ରଥମ ବିଜେତା ହୋଇଥିଲା। ମ୍ୟାଚର ୪୨ ଓ ୪୭ତମ ମିନିଟରେ ଜର୍ମାନୀର ଡାନ୍‌ ନାଗୁଏ ଏବଂ ୨୨ତମ ମିନିଟରେ ଇଂଲଣ୍ଡର ଲିଆମ ସାନ୍‌ଫୋର୍ଡ ଗ୍ରୀନକାର୍ଡ ପାଇଥିଲେ। ୪୯ତମ ମିନିଟରେ ଜର୍ମାନୀର ମାର୍କୋ ମିଲ୍ଟକାଉ ହଳଦିଆ କାର୍ଡ ପାଇବା ଥିଲା ମ୍ୟାଚର ଅନ୍ୟତମ ଉଲ୍ଲେଖନୀୟ ଘଟଣା। ଜର୍ମାନୀ ପକ୍ଷରୁ ପ୍ରଥମ ଗୋଲ ଦେଇଥିବା ଗ୍ରାମବସ୍କ ମ୍ୟାନ ଅଫ ଦି ମ୍ୟାଚ ଏବଂ ଏହି ଦଳର ଜୁଲୟର ମେୟର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପାଇଥିଲେ। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଏହି ଦୁଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri