୬ ଖେଳାଳିଙ୍କ ବୟସପ୍ରମାଣ ପତ୍ରରେ ତ୍ରୁଟି


କଟକ ଅଫିସ,୩୦ା୧୧- ବୟସ ଜାଲିଆତି କରି ଖେଳୁଥିବା ୬ ଜଣ ଖେଳାଳି ଏବେ ସିବିଆଇ ଜାଲରେ ଛନ୍ଦି ହୋଇଛନ୍ତି। ସିବିଆଇର ଅତର୍କିତ ଚଢ଼ାଉ ପରେ ଏହି ପର୍ଦ୍ଦା ଖୋଲିଛି। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସତ୍ୟପାଠ ଜରିଆରେ ଖେଳାଳିଙ୍କୁ ଦଳରେ ସାମିଲ କରୁଥିଲେ ସୁଦ୍ଧା ଖେଳାଳିମାନେ ସେମାନଙ୍କ ଆଖିରେ ଧୂଳି ଦେଇଥିବା ସ୍ପଷ୍ଟ ହୋଇଛି। ୨ ଦିନର ଏହି ଚଢ଼ାଉ ମଧ୍ୟରେ ୬ ଜଣ ଖେଳାଳି ମିଥ୍ୟା ଜନ୍ମପ୍ରମାଣ ପତ୍ର ଦାଖଲ କରିଛନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଯାହା ମଧ୍ୟରୁ ୨ ଜଣ ଖେଳାଳିଙ୍କ ସମସ୍ତ ତଥ୍ୟ ସିବିଆଇ ନିକଟରେ ଦାଖଲ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କ ତଥ୍ୟ ସମ୍ବଳିତ କାଗଜପତ୍ର ଗୁରୁବାର ଦାଖଲ କରାଯିବ। ଓସିଏ କ୍ଲବରେ ଚାଲିଛି ସିବିଆଇର ଜେରା। କ୍ଲବର ରୁମ୍‌ ନଂ-୨୦୫ ରେ ସିବିଆଇର ୨ ଜଣ ଅଧିକାରୀଙ୍କ ଉପସ୍ଥିତିରେ ଜଣଙ୍କ ପରେ ଜଣେ ଖେଳାଳି ଜେରାର ସମ୍ମୁଖୀନ ହେଉଛନ୍ତି। ସମୁଦାୟ ୧୯ ଜଣଙ୍କ ସମ୍ପର୍କରେ ସିବିଆଇ କାଗଜପତ୍ର ଯାଞ୍ଚ କରୁଛି ବୋଲି ଓସିଏ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ପଲାଇ କହିଛନ୍ତି। ବୁଧବାର ଏହି ୧୯ ଜଣଙ୍କ ମଧ୍ୟରୁ ୫ ଜଣ ସିବିଆଇ ନିକଟରେ ହାଜର ହୋଇଛନ୍ତି। ଏହାଛଡ଼ା କିଛି ଖେଳାଳି ନିଜ ଅଭିଭାବକଙ୍କୁ ନେଇ ମଧ୍ୟ ସେଠାରେ ଉପସ୍ଥିତ ହୋଇଛନ୍ତି। ଗତ ସୋମବାର କଟକ ମହାନଗର ନିଗମ(ସିଏମ୍‌ସି)ନିକଟକୁ ସିବିଆଇ ପକ୍ଷରୁ ଏକ ମେଲ୍‌ ଯାଇଥିଲା। ଯେଉଁଥିରେ ସେ ଜଣେ ଖେଳାଳିଙ୍କ ସମ୍ପର୍କରେ କିଛି ପ୍ରଶ୍ନ କରିଥିଲେ। ଉକ୍ତ ଖେଳାଳି ଜଣଙ୍କ ଓସିଏ ନିକଟରେ ଦାଖଲ କରିଥିବା ଜନ୍ମପ୍ରମାଣ ପତ୍ରର ନକଲ ମଧ୍ୟ ଯୋଡ଼ି ହୋଇଥିଲା। ବୁଧବାର ପୂର୍ବାହ୍ନ ୧୧ ଟା ମଧ୍ୟରେ ଏହାର ଉତ୍ତର ଦେବାକୁ ସିବିଆଇ ପକ୍ଷରୁ ନିର୍ଦ୍ଦେଶ ରହିଥିଲା। ପରେ ବୁଧବାର ଦିନ ୧୧ ଟାରେ ଅନ୍ୟଏକ ମେଲ୍‌ ସିବିଆଇ ପକ୍ଷରୁ ଯିବା ସହ ଅପରାହ୍ନ ମଧ୍ୟରେ ଉକ୍ତ ଖେଳାଳିଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ସିଏମ୍‌ସିକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଏହି ୨ଟି ମେଲ୍‌ ଯୋଗେ ଯେଉଁ ଖେଳାଳିଙ୍କ ସମ୍ପର୍କରେ ସିଏମ୍‌ସିକୁ ପ୍ରଶ୍ନ ହୋଇଥିଲା ସେମାନେ ହେଲେ ନିଶିକାନ୍ତ ରାଉତ ଓ କୁନାଲ ପଣ୍ଡା। ଉଭୟ ଓସିଏ ନିକଟରେ ଯେଉଁ ଜନ୍ମପ୍ରମାଣ ପତ୍ର ଦାଖଲ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ଜାଲ୍‌ ବୋଲି ଜଣାପଡ଼ିଛି। ନିଶିକାନ୍ତ ଓ କୁନାଲ ସିଏମ୍‌ସି ନିକଟରେ ଆଦୌ ଏହି ଜନ୍ମପ୍ରମାଣ ପତ୍ର ଇସ୍ୟୁ କରିନାହାନ୍ତି । ଉଭୟ ଦାଖଲ କରିଥିବା ଜନ୍ମପ୍ରମାଣ ପତ୍ରର ପ୍ରିଣ୍ଟିଂ ଶୈଳୀ ଗୋଟିଏ ପ୍ରକାର ରହିବା ସହ ତ୍ରୁଟି ମଧ୍ୟ ସମାନ ରହିଛି। ସେମାନେ ପ୍ରମାଣପତ୍ରରେ ୨୦୦୨ ଜାନୁୟାରୀ ୮ ତାରିଖ ଜନ୍ମ ତାରିଖ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଥମ ତ୍ରୁଟି ଧରାପଡ଼ିଛି ସେମାନଙ୍କ ଜନ୍ମ ପ୍ରମାଣପତ୍ରରେ ଉଲ୍ଲେଖ ରହିଥିବା ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କ ନାମରୁ। ଉଭୟଙ୍କ ପ୍ରମାଣପତ୍ରରେ ନଗର ସ୍ବାସ୍ଥ୍ୟ ଅଧିକାରୀ ଭାବେ ନିରଞ୍ଜନ ଦାସଙ୍କ ନାମ ରହିଛି। ମାତ୍ର ନିରଞ୍ଜନ ଦାସ ୨୦୦୭ ମସିହାରୁ୨୦୧୦ ପର୍ଯ୍ୟନ୍ତ ସିଏମ୍‌ସିର ନଗର ସ୍ବାସ୍ଥ୍ୟ ଅଧିକାରୀ ରହିଥିଲେ। ୨୦୦୨ ସମୟରେ ସିଏମ୍‌ସିର ନଗର ସ୍ବାସ୍ଥ୍ୟ ଅଧିକାରୀ ଭାବେ ବିଶ୍ୱନାଥ ମିଶ୍ର ଦାୟିତ୍ୱ ବହନ କରିଛନ୍ତି। ଏଣୁ ଏହି ଜନ୍ମପ୍ରମାଣପତ୍ର ୨୦୦୭ ମସିହାର ପରବର୍ତ୍ତୀ ସମୟରେ ତିଆରି ହୋଇଛି। ଏହାଛଡ଼ା ଦ୍ୱିତୀୟ ତ୍ରୁଟି ଧରାପଡ଼ିଛି ଜନ୍ମପ୍ରମାଣପତ୍ରର କ୍ରମିକ ନଂରୁ। ଉଭୟଙ୍କ ପ୍ରମାଣପତ୍ରରେ କ୍ରମିକ ନଂ- ୮୬୦୦ରୁ ଊର୍ଦ୍ଧ୍ୱକୁ ରହିଛି। ଯଦି ଜାନୁୟାରୀ ୮ ତାରିଖରେ ଏହି ପ୍ରମାଣପତ୍ର ଇସ୍ୟୁ କରାଯାଇଛି ତେବେ ବର୍ଷର ଆରମ୍ଭରୁ ଏତେ ସଂଖ୍ୟାରେ ପ୍ରମାଣପତ୍ର ଦେବା ଅସମ୍ଭବ ବୋଲି ସିଏମ୍‌ସିର ଜଣେ ଉପରିସ୍ଥ ଅଧିକାରୀ ସୂଚନା ଦେଇଛନ୍ତି। ଏହି ୨ ଜଣଙ୍କ ଜନ୍ମପ୍ରମାଣପତ୍ରକୁ ସିଏମ୍‌ସିର ଜଣେ ଅଧିକାରୀ ବୁଧବାର ସିବିଆଇ ନିକଟରେ ଦାଖଲ କରିବା ସହ ଏହା ଏଠାରେ ଇସ୍ୟୁ କରାଯାଇନାହିଁ ବୋଲି କହିଛନ୍ତି। ତେବେ ଉଭୟ ପ୍ରମାଣପତ୍ର କେଉଁ ଏକ କମ୍ପ୍ୟୁଟର ଦୋକାନ ଅର୍ଥାତ୍‌ ଜାଲ ସଂସ୍ଥାରେ ତିଆରି କରିଛନ୍ତି ବୋଲି ସିଏମ୍‌ସି ପକ୍ଷରୁ ମଧ୍ୟ କୁହାଯାଇଛି। ଅନ୍ୟପକ୍ଷରେ ଓଡ଼ିଶାର ଅନ୍ୟ ସମସ୍ତ ଜିଲାର ପୌର ସଂସ୍ଥାକୁ ଏହିଭଳି ମେଲ୍‌ ସିବିଆଇ ପକ୍ଷରୁ ପଠାଯାଇଥିବା ଜଣାପଡ଼ିଛି। ଗୁରୁବାର ବାଲେଶ୍ୱରର ଜଣେ ପୌରସଂସ୍ଥାର ପ୍ରତିନିଧି ସିବିଆଇ ନିକଟରେ ହାଜର ହେବେ। ବାଲେଶ୍ୱରକୁ ଯେଉଁ ୪ ଜଣ ଖେଳାଳିଙ୍କ ଜନ୍ମପ୍ରମାଣ ପତ୍ର ମେଲ ହୋଇଛି, ତାହା ମଧ୍ୟ ଜାଲ୍‌ ବୋଲି ସ୍ପଷ୍ଟ ସୂଚନା ମିଳିଛି। ଉକ୍ତ ୪ ଜଣଙ୍କ ନାମ ଠିକ୍‌ ଭାବେ ଜଣାପଡ଼ିନାହିଁ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri