ପ୍ରଥମ ଦିନରେ ୯ ଖେଳାଳିଙ୍କୁ ଜେରା


କଟକ ଅଫିସ, ୨୯ା୧୧- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ରେ ମଙ୍ଗଳବାର ସିବିଆଇ ଚଢ଼ାଉ କରିଛି। ବୟସ ଜାଲିଆତି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ଦର୍ଶାଇ ସିବିଆଇ ପ୍ରାଥମିକ ପର୍ଯ୍ୟାୟରେ ୧୯ଜଣ ଖେଳାଳିଙ୍କୁ ଡକାଇଥିଲା। ତେବେ ପ୍ରଥମ ଦିନରେ ପ୍ରାୟ ୯ଜଣ ଖେଳାଳି ସିବିଆଇ ଜେରାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ସିବିଆଇର ୨ଜଣ ଅଧିକାରୀ ଓସିଏରେ ପହଞ୍ଚିଥିବା ଏକ ବିଶେଷ ସୂତ୍ରରୁ ଖବର ମିଳିଛି। ବୁଧବାର ମଧ୍ୟ ପୁର୍ନବାର ଓସିଏ କାର୍ଯ୍ୟାଳୟରେ ସିବିଆଇ କିଛି ଖେଳାଳିଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ଜରୁରୀ କାଗଜପତ୍ର ଯାଞ୍ଚ କରିବ। ଏହାଛଡ଼ା ଆସୋସିଏଶନର କିଛି ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିବେ । ଅନ୍ୟପକ୍ଷରେ ବୟସ ଜାଲିଆତିକୁ ନେଇ କଟକ ମହାନଗର ନିଗମ(ସିଏମ୍‌ସି)କୁ ତଦନ୍ତରେ ସହଯୋଗ କରିବା ନିମନ୍ତେ ସିବିଆଇ ସହାୟତା ଲୋଡ଼ିଛି। ସମ୍ପୃକ୍ତ ଖେଳାଳିଙ୍କ ବୟସ ପ୍ରମାଣପତ୍ର ଯାଞ୍ଚ କରିବାକୁ ସିଏମ୍‌ସି ପକ୍ଷରୁ ସହାୟତା କରାଯିବାକୁ କୁହାଯାଇଛି। ଏ ନେଇ ଓସିଏ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ପଲାଇ କୁହନ୍ତି, ବୟସ ଜାଲିଆତିରେ ଆସୋସିଏଶନର କୌଣସି ଭୂମିକା ନାହିଁ। ଖେଳାଳିମାନେ ବୟସ ପ୍ରମାଣପତ୍ର ନେଇ ସତ୍ୟପାଠ ଦାଖଲ କରିଛନ୍ତି। ଯେଉଁ ଖେଳାଳିମାନେ ଏଥିରେ ଜାଲିଆତି କରିଥିବେ ସେମାନେ ଦଣ୍ଡିତ ହେବେ ବୋଲି ଅଧ୍ୟକ୍ଷ ପଲାଇ ପ୍ରତିକ୍ରିୟା ଦେଇଛନ୍ତି। ସୂଚନାଥାଉକି, ଓଡ଼ିଶା କ୍ରିକେଟ ଆସୋସିଏଶନରେ ୧୯ବର୍ଷରୁ କମ୍‌ ଓ ୧୬ବର୍ଷରୁ କମ୍‌ ବର୍ଗର ଖେଳାଳି ବୟସ ଜାଲିଆତି କରିଥିବା ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା। ଏ ନେଇ ସ୍ଥାନୀୟ କ୍ୟାଣ୍ଟନମେଣ୍ଟ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପରବର୍ତ୍ତୀ ସମୟରେ ନୂଆଦିଲ୍ଲୀ ସ୍ଥିତ ସିବିଆଇ ସ୍ପୋଟର୍‌ସ ଇଣ୍ଟିଗ୍ରିଟି ୟୁନିଟ୍‌ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri