ଜାନୁୟାରୀ ୧୪ରେ ଭୁବନେଶ୍ୱର ହାଫ୍‌ ମାରାଥନ


ଭୁବନେଶ୍ୱର, ୧୫।୧୧ (କ୍ରୀଡ଼ା ପ୍ରତିନିଧି)- ଟାଟା ଷ୍ଟିଲ୍‌ ଆନୁକୂଲ୍ୟରେ ଭୁବନେଶ୍ୱର ହାଫ୍‌ ମାରାଥନର ତୃତୀୟ ସଂସ୍କରଣ ଜାତୀୟ ଯୁବ ଦିବସ ଅବସରରେ ୨୦୧୮ ଜାନୁୟାରୀ ୧୪ ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଅନୁମୋଦନକ୍ରମେ ହେଉଥିବା ଏହି ରେସ୍‌ରେ ଏଥର ପୂର୍ବ ସଂସ୍କରଣ ଅପେକ୍ଷା ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ମାରାଥନର ଅଫିସିଆଲ ଜର୍ସି ଉନ୍ମୋଚନ କରାଯାଇଛି। ଭୁବନେଶ୍ୱର ହାଫ୍‌ ମାରାଥନକୁ ଦେଶର ଅନ୍ୟତମ ମୁଖ୍ୟ ରନିଂ ଇଭେଣ୍ଟ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏଥରେ ଅତ୍ୟାଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯାଉଛି ବୋଲି ଟାଟା ଷ୍ଟିଲ୍‌ କାର୍ପୋରେଟ ସେବା ବିଭାଗର ଭାଇସ୍‌ ପ୍ରେସିଡେଣ୍ଟ ସୁନୀଲ ଭାସ୍କରନ ପ୍ରକାଶ କରିଥିଲେ। କ୍ରୀଡ଼ାର ସାମଗ୍ରିକ ବିକାଶ ପାଇଁ ଟାଟା ଷ୍ଟିଲ୍‌ କାର୍ଯ୍ୟ କରୁଛି। ଭୁବନେଶ୍ୱର ହାଫ୍‌ ମାରାଥନ ନିଶ୍ଚିତଭାବେ ଲୋକଙ୍କ ମଧ୍ୟରେ ଫିଟ୍‌ ରହିବାର ସଚେତନତା ସୃଷ୍ଟି କରିବ ବୋଲି ଟାଟା ଷ୍ଟିଲ୍‌ ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେଣ୍ଟ ତଥା ଟାଟା ଷ୍ଟିଲ୍‌ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ମିଶ୍ର କହିଥିଲେ। ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଟାଟା ଷ୍ଟିଲ୍‌ କଳିଙ୍ଗ ନଗରର ଭାଇସ ପ୍ରେସିଡେଣ୍ଟ(ଅପରେଶନ୍ସ) ରାଜୀବ କୁମାର, ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଅଲିମ୍ପିଆନ ଧାବିକା ଦୂତୀ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ଜୀବନରେ ଫିଟ୍‌ନେସର ଆବଶ୍ୟକତା ଏବଂ ନିଜ କ୍ୟାରିୟର ସମ୍ପର୍କରେ ଦୂତୀ ଚାନ୍ଦ ବର୍ଣ୍ଣନା କରିଥିଲେ। ୨୦୦୬-୦୭ରେ ମାରାଥନରୁ ହିଁ ତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍‌ ଭୁବନେଶ୍ୱରର ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ ମଣିକାନ୍ତ ନାୟକ, ଟାଟା ଷ୍ଟିଲ୍‌ ଭାରତ ଓ ଦକ୍ଷିଣ-ପୂର୍ବ ଏସିଆ କର୍ପୋରେଟ କମ୍ୟୁନିକେଶନ ବିଭାଗ ମୁଖ୍ୟ କୁଲଭିନ ସୁରୀ ଓ ଅନ୍ୟ ସିନିୟର ଅଫିସରମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱର ହାଫ୍‌ ମାରାଥନ ୨୧.୧ କିଲୋମିଟର ବିଶିଷ୍ଟ ହେବ। ଏହା କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇ ଖଣ୍ଡଗିରିଛକ ପର୍ଯ୍ୟନ୍ତ ଯିବ ଏବଂ ପୁଣି କଳିଙ୍ଗ ଷ୍ଟାଡିୟମ ଫେରିବ। ୧୬ ବର୍ଷରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କ ପାଇଁ ୧୦ କିଲୋମିଟର ଏବଂ ୧୬ ବର୍ଷରୁ କମ୍‌ ବାଳିକା ବାଳକଙ୍କ ପାଇଁ ୫ କିଲୋମିଟର ବିଶିଷ୍ଟ ରନ ହେବ। ହାଫ୍‌ ମାରାଥନ ପାଇଁ ପଞ୍ଜୀକରଣ ଫି’ ୩୦୦, ୧୦ କିଲୋମିଟର ପାଇଁ ୨୦୦ ଓ ୫ କିଲୋମିଟର ପାଇଁ ୧୦୦ ଟଙ୍କା ରଖାଯାଇଛି। ସମସ୍ତ ପ୍ରତିଯୋଗୀଙ୍କୁ ଟି-ସାର୍ଟ, ବିଆଇବି ଚିପ୍‌ ଓ ନମ୍ବର ଏବଂ ଅନ୍ୟ ଆବଶ୍ୟକ ଉପକରଣ ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିମାନେ ବୁଧବାର(ନଭେମ୍ବର ୧୫)ଠାରୁ ଅଫିସିଆଲ ଓ୍ବେସାଇଟ୍‌ www.tatasteelbbsr-run.comରେ ଅନ୍‌ଲାଇନ୍‌ ପଞ୍ଜୀକରଣ କରିପାରିବେ। ରନ ସମୟରେ ଟାଇମିଂ ମ୍ୟାଟ୍‌ ଓ ଏହାର ନିୟନ୍ତ୍ରଣ, ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେଶନ (ଆରଏଫଆଇଡି) ଚିପ୍‌, ରାସ୍ତାରେ ସ୍ପିଲ୍ଟ ଟାଇମିଂ ମ୍ୟାଟ୍‌, ଟ୍ରାକିଂ କ୍ୟାମେରା, ଓ୍ବାଇଫାଇ ନେଟ୍‌ଓ୍ବର୍କ ଭଳି ଅତ୍ୟାଧନିକ କୌଶଳ ବ୍ୟବହାର କରାଯିବ। ମାରାଥନ୍‌ର ୩ଟି ବିଭାଗ ପାଇଁ ମୋଟ ୮,୬୪,୦୦୦ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ୨୧.୧ କିଲୋମିଟର ବିଶିଷ୍ଟ ମାରାଥନର ବିଜେତା(ମହିଳା ଓ ପୁରୁଷ)ଙ୍କୁ ୧,୦୦,୦୦୦ଟଙ୍କା ଲେଖାଏ ପ୍ରଦାନ କରାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri