ଗ୍ରାଣ୍ଡମାଷ୍ଟର ଦେବାଶିଷଙ୍କ ପ୍ରଭାବୀ ପ୍ରଦର୍ଶନ


ଭୁବନେଶ୍ୱର, ୧୧।୧୧(କ୍ରୀଡ଼ା ପ୍ରତିନିଧି)-ବିହାରର ପାଟନାରେ ଶୁକ୍ରବାର ଶେଷ ହୋଇଥିବା ହାଇ ପ୍ରୋଫାଇଲ ନ୍ୟାଶନାଲ ପ୍ରିମିୟର ଚେସ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ(୨୪୯୪ ରେଟିଂ) ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଅଳ୍ପକେ ତୃତୀୟ ସ୍ଥାନ ହାସଲରୁ ବଞ୍ଚତ୍ତ ହୋଇଥିବା ଦେବାଶିଷ୍‌ ୧୩ତମ ତଥା ଅନ୍ତିମ ରାଉଣ୍ଡରେ ତାମିଲନାଡ଼ୁ ଗ୍ରାଣ୍ଡମାଷ୍ଟର ଅରବିନ୍ଦ ଚିଦାମ୍ବରମ(୨୫୭୩)ଙ୍କୁ ପରାସ୍ତ କରି ପ୍ରତିଯୋଗିତା ଶେଷ କରିଛନ୍ତି। ସେ ମୋଟ ୭.୫ ପଏଣ୍ଟ ପାଇବା ସହ ୪ର୍ଥ ସ୍ଥାନରେ ରହିଛନ୍ତି। ୧୩ ରାଉଣ୍ଡ ମଧ୍ୟରୁ ମାତ୍ର ଗୋଟିଏ ମ୍ୟାଚରେ ପରାଜିତ ହୋଇଥିବା ଓଡ଼ିଶାର ଏହି ଏକମାତ୍ର ଗ୍ରାଣ୍ଡମାଷ୍ଟରଙ୍କୁ ଟୁର୍ନାମେଣ୍ଟରୁ ୭.୪ ପଏଣ୍ଟର ଫାଇଦା ହୋଇଛି। ସେ ୧୧ତମ ର଼୍ୟାଙ୍କ୍‌ରୁ ଖେଳ ଆରମ୍ଭ କରିଥିଲେ ଏବଂ ଏହି ସମ୍ମାନଜନକ ପ୍ରତିଯୋଗିତାରେ ୩ ବିଜୟ, ୧ ପରାଜୟ ଓ ୯ ମ୍ୟାଚ ଡ୍ର ରଖିଥିଲେ। ଗ୍ରାଣ୍ଡମାଷ୍ଟର ଏମ. ଲଳିତ ବାବୁ ୯ ପଏଣ୍ଟ ପାଇ ଚାମ୍ପିୟନ ହୋଇଥିବାବେଳେ ଶେଷ ରାଉଣ୍ଡରେ ଦେବାଶିଷଙ୍କଠାରୁ ହାରିଥିବା ଚିଦାମ୍ବରମ ୮.୫ ପଏଣ୍ଟ ସହିତ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଛନ୍ତି। ଅନ୍ୟତମ ତାମିଲନାଡ଼ୁ ଗ୍ରାଣ୍ଡମାଷ୍ଟର ମୁରଲୀ କାର୍ତ୍ତିକେୟନ ଦେବାଶିଷଙ୍କ ସମକକ୍ଷ ୭.୫ ପଏଣ୍ଟ ପାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ରାଉଣ୍ଡରେ ସମିଦ ଜୟକୁମାର ଶେଟେ(୨୩୧୦)ଙ୍କ ବିପକ୍ଷ ମ୍ୟାଚକୁ ଡ୍ର ରଖି ଅଭିଯାନ ଆରମ୍ଭ କରିଥିବା ଦେବାଶିଷ ଦ୍ୱିତୀୟ ଓ ତୃତୀୟ ରାଉଣ୍ଡରେ ମଧ୍ୟ ଯଥାକ୍ରମେ ଗ୍ରାଣ୍ଡମାଷ୍ଟର ଦୀପେନ ଚକ୍ରବର୍ତ୍ତୀ (୨୪୭୭) ଓ ସୁନୀଲଦୂତ ନାରାୟଣନ (୨୫୬୮)ଙ୍କ ସହ ପଏଣ୍ଟ ଭାଗ କରିଥିଲେ। ଏକମାତ୍ର ୪ର୍ଥ ରାଉଣ୍ଡରେ ସେ ଟୁର୍ନାମେଣ୍ଟ ଚାମ୍ପିୟନ ଗ୍ରାଣ୍ଡମାଷ୍ଟର ଏମ. ଲଳିତବାବୁ (୨୫୨୫)ଙ୍କଠାରୁ ହାରି ଯାଇଥିଲେ। ୫ମ ଓ ୬ଷ୍ଠ ରାଉଣ୍ଡରେ ଅନ୍ତର୍ଜାତୀୟ ମାଷ୍ଟର ଏସ.ନୀତୀନ (୨୪୧୫) ଓ ପି.ଶ୍ୟାମନିଖିଲ (୨୪୨୨) ଙ୍କ ବିପକ୍ଷରେ ମ୍ୟାଚ ଡ୍ର ରଖି ସେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ୭ମ ରାଉଣ୍ଡରେ ସେ ପ୍ରଥମ ବିଜୟସ୍ବାଦ ପାଇଥିଲେ। ଏଠାରେ ସେ ଗ୍ରାଣ୍ଡମାଷ୍ଟର ହିମାଂଶୁ ଶର୍ମା(୨୫୧୦)ଙ୍କୁ ପରାସ୍ତ କରିଥିଲେ। ୮ମ, ୯ମ ଓ ୧୦ମ ରାଉଣ୍ଡରେ ସେ ଯଥାକ୍ରମେ ଗ୍ରାଣ୍ଡମାଷ୍ଟର ସ୍ବପ୍ନିଳ ଧୋପ୍‌ଡେ(୨୫୧୬), ଅନ୍ତର୍ଜାତୀୟ ମାଷ୍ଟର ଅର୍ଘ୍ୟଦୀପ ଦାସ (୨୪୩୪) ଓ ଗ୍ରାଣ୍ଡମାଷ୍ଟର ମୂରଲୀ କାର୍ତ୍ତିକେୟନ (୨୫୭୮)ଙ୍କ ବିପକ୍ଷରେ ପଏଣ୍ଟ ଭାଗ କରିଥିଲେ। ୧୧ତମ ରାଉଣ୍ଡରେ ଗ୍ରାଣ୍ଡମାଷ୍ଟର ଆର.ଆର. ଲକ୍ଷ୍ମଣ (୨୩୯୨)ଙ୍କୁ ହରାଇଥିବା ବେଳେ ୧୨ତମ ରାଉଣ୍ଡରେ ଗ୍ରାଣ୍ଡମାଷ୍ଟର ଅଭିଜିତ କୁନ୍ତେ(୨୫୦୩)ଙ୍କ ବିପକ୍ଷ ମ୍ୟାଚକୁ ଡ୍ର ରଖିଥିଲେ। ୧୩ତମ ତଥା ଅନ୍ତିମ ରାଉଣ୍ଡରେ ସେ ଗ୍ରାଣ୍ଡମାଷ୍ଟର ଅରବିନ୍ଦ ଚିଦାମ୍ବରମ(୨୫୭୩)ଙ୍କୁ ପରାସ୍ତ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri