ଭାରତ-ଏ ଓ ବାଂଲାଦେଶ ମହିଳା ସିରିଜ ଓଡ଼ିଶାରେ


କଟକ ଅଫିସ, ୧୦।୧୧- ଓଡ଼ିଶାରେ ପୁଣି ଏକ ଆନ୍ତର୍ଜାତୀୟ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ ହେବ। ଆସନ୍ତା ମାସରେ ଭାରତ-ଏ ମହିଳା ଦଳ ଓ ବାଂଲାଦେଶ ଜାତୀୟ ମହିଳା ଦଳ ମଧ୍ୟରେ ଏକଦିବସୀୟ ଓ ଟି-୨୦ ସିରିଜ ଆୟୋଜନ କରିବାର ସୁଯୋଗ ପାଇଛି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)। ଏନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇ ନଥିଲେ ସୁଦ୍ଧା ଟୁର୍ନାମେଣ୍ଟ ହେବା ନିଶ୍ଚିତ ବୋଲି ଓସିଏ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ପଲାଇ ସୂଚନା ଦେଇଛନ୍ତି। ପ୍ରତିଯୋଗିତା ଆୟୋଜନ କରିବା ନେଇ ଗୁରୁବାର ବିସିସିଆଇ ପକ୍ଷରୁ ଓସିଏକୁ ପ୍ରଶ୍ନ କରାଯାଇଥିଲା। ଏଥିରେ ଓସିଏ ପ୍ରତିଯୋଗିତା ଆୟୋଜନ କରିବ ବୋଲି ସମ୍ମତି ଜଣାଇବା ପରେ ପ୍ରଥମେ ୫ଟି ଏକଦିବସୀୟ ଓ ୩ଟି ଟି୨୦ ହେବା ପାଇଁ ମେଲ୍‌ ଯୋଗେ ସୂଚନା ଦିଆଯାଇଥିଲା। ମାତ୍ର ପରେ ୩ଟି ଲେଖାଏ ଏକଦିବସୀୟ ଓ ଟି-୨୦ ଭାରତ-ଏ ଓ ବାଂଲାଦେଶ ମହିଳା ଦଳ ମଧ୍ୟରେ ଖେଳାଯିବ ବୋଲି ସ୍ଥିର କରାଯାଇଛି। ଆସନ୍ତା ଡିସେମ୍ବର ୨୦ ତାରିଖରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଥିବାରୁ ବାରବାଟୀରେ ଉକ୍ତ ସିରିଜର ମ୍ୟାଚ୍‌ ଆୟୋଜନ କରାଯିବା ସମ୍ଭବପର ନୁହେଁ। ଏଣୁ ଭୁବନେଶ୍ୱରର କିଟ୍‌ ଓ ବିକାଶ ଗ୍ରାଉଣ୍ଡ ସହ ଟାଙ୍ଗୀ ସ୍ଥିତ ଡ୍ରିମ୍‌ସ ଗ୍ରାଉଣ୍ଡରେ ଏହି ସିରିଜର ମ୍ୟାଚ୍‌ଗୁଡ଼ିକ ଖେଳାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଚଳିତମାସ ୨୩ ତାରିଖରେ ଉଭୟ ଦଳ ଓଡ଼ିଶାରେ ପହଞ୍ଚିବେ। ଏ ନେଇ ସମସ୍ତ ପ୍ରସ୍ତୁତି ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ ବୋଲି ଧୀରେନ କହିଛନ୍ତି। ଧୀରେନଙ୍କ କହିବା ଅନୁଯାୟୀ, ଗୋଟିଏ ବର୍ଷରେ ୩ଟି ଆର୍ନ୍ତଜାତୀୟ ମ୍ୟାଚ୍‌ ପରିଚାଳନା କରିବାର ସୁଯୋଗ ଓସିଏକୁ ମିଳିଛି। ଯାହା ଓସିଏର କାର୍ଯ୍ୟକାରିତାର ପରିଚୟ। ଏତଦ୍‌ବ୍ୟତୀତ ଓସିଏକୁ ଆର୍ନ୍ତଜାତୀୟ ମ୍ୟାଚ୍‌ ପରିଚାଳନା ଦାୟିତ୍ୱ ମିଳିବା ପଛରେ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କର ଅବଦାନ ରହିିଛି ବୋଲି ଧୀରେନ ନିଜ ପ୍ରତିକ୍ରିୟାରେ କହିଥିଲେ। ତେବେ ଖୁବ୍‌ଶୀଘ୍ର ଏହି ପ୍ରତିଯୋଗିତା ଆୟୋଜନ କରିବା ନେଇ ଓସିିଏ ପକ୍ଷରୁ ବୈଠକ ଡକାଯିବ ବୋଲି ଜଣାପଡ଼ିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri