ଏସିଆନ୍‌ ବକ୍ସିଂ ଚାମ୍ପିୟନ୍‌ଶିପ୍‌: ମେରୀକମ୍‌ଙ୍କୁ ୫ମ ସ୍ବର୍ଣ୍ଣ


ହୋଚିମିନ ସିଟି(ଭିଏତନାମ), ୯।୧୧(ପି.ଟି.)- ଚାମ୍ପିୟନ୍‌ ମହିଳା ବକ୍ସର ଏମ୍‌.ସି. ମେରୀକମ୍‌ ଏଠାରେ ଚାଲିଥିବା ଏସିଆନ୍‌ ମହିଳା ବକ୍ସିଂ ଚାମ୍ପିୟନ୍‌ଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ୫ମ ଏସିଆନ୍‌ ଇଭେଣ୍ଟ ସ୍ବର୍ଣ୍ଣ ପଦକ। ମୋଟରେ ୬ଷ୍ଠ ଏସିଆନ୍‌ ଇଭେଣ୍ଟ ପଦକ। ଅନ୍ୟପକ୍ଷରେ ସୋନିଆ ଲାଥରଙ୍କୁ(୫୭ କିଗ୍ରା) ରନର୍ସ ଅପ୍‌ ସହ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଏଭଳି ଫଳାଫଳ ଯୋଗୁ ଭାରତ ଏହି ଇଭେଣ୍ଟରେ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ରୌପ୍ୟ ସମେତ ମୋଟ ୭ଟି ପଦକ ସହ ଅଭିଯାନ ଶେଷ କରିଛି। ମେରୀକମ୍‌ ୪୮ କିଗ୍ରା ବର୍ଗର ଫାଇନାଲରେ ଉତ୍ତର କୋରିଆର କିମ ହ୍ୟାଙ୍ଗ ମିଙ୍କୁ ୫-୦ ବ୍ୟବଧାନରେ ପରାସ୍ତ କରି ଦେଶ ପାଇଁ ସର୍ବାଧିକ ସଫଳତା ଆଣିଛନ୍ତି। ଉତ୍ତର କୋରିଆ ବକ୍ସର ପ୍ରତ୍ୟେକ ବାଉଟ୍‌ରେ ମେରୀକମ୍‌ଙ୍କୁ ମୁଥ ମାରିବାକୁ ଉଦ୍ୟମ କରିଥିଲେ, ଯାହାକୁ ପୂର୍ବ ଚାମ୍ପିୟନ୍‌ ନିଜର ଜବରଦସ୍ତ ଫୁଟ୍‌ଓ୍ବର୍କ ବଳରେ ପ୍ରତିହତ କରିଥିଲେ। ପରେ ଜବାବୀ ଆକ୍ରମଣ କରି ମେରୀକମ୍‌ ଏକତରଫା ଭାବେ ମୁକାବିଲା ଜିତି ନେଇଥିଲେ। ୨୦୧୪ ଏସିଆନ୍‌ ଗେମ୍ସ ପରେ ଏହା ତାଙ୍କର ପ୍ରଥମ ସ୍ବର୍ଣ୍ଣ ଏବଂ ଚଳିତ ବର୍ଷର ପ୍ରଥମ ପଦକ। ଏଭଳି ସଫଳତା ପରେ ମେରୀକମ୍‌ କହିଛନ୍ତି, ”ଅନ୍ୟ ପଦକ ଭଳି ଏହି ପଦକ ମଧ୍ୟ ମୋ ପାଇଁ ସ୍ବତନ୍ତ୍ର। କାରଣ ଏହା ପଛରେ ରହିଛି ମୋ ସଂଘର୍ଷର କାହାଣୀ। କେବଳ ଏବେ ମିଳିଥିବା ପଦକ ନୁହେଁ, ମୁଁ ଜିତିଥିବା ସମସ୍ତ ପଦକ ପଛରେ କିଛି ନା କିଛି ସ୍ମୃତି ରହିଛି’ ବୋଲି ସେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri