ବମ୍ବେ ଖେଳିବ ୫୦୦ ମ୍ୟାଚ୍‌


ବମ୍ବେ, ୯।୧୧- ରଣଜୀ ଟ୍ରଫି ରାଉଣ୍ଡ-୫’ର ଏକ ମୁକାବିଲାରେ ଗୁରୁବାର ବମ୍ବେ ଓ ଭ୍ରମଣକାରୀ ବରୋଦା ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଘରୋଇ ବମ୍ବେ ପାଇଁ ଐତିହାସିକ ଦୃଷ୍ଟିରୁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ହୋଇଛି। କାରଣ ଏହି ମ୍ୟାଚ୍‌ ଜରିଆରେ ବମ୍ବେ ଦଳ ରଣଜୀ ଟ୍ରଫି କ୍ରିକେଟରେ ନିଜର ୫୦୦ତମ ମ୍ୟାଚ୍‌ ଖେଳିବାର ସୌଭାଗ୍ୟ ଲାଭ କରିବ। ତେଣୁ ଏହି ମ୍ୟାଚ୍‌ରେ ବରୋଦାକୁ ପରାସ୍ତ କରି ଅଧିନାୟକ ଆଦିତ୍ୟ ତାରେ ସ୍ମରଣୀୟ ବିଜୟ ହାସଲ ଲକ୍ଷ୍ୟରେ ରହିଛନ୍ତି। ସିଜନରେ ଫାଇନାଲରେ ନର୍ଦନ ଇଣ୍ଡିଆକୁ ପରାସ୍ତ କରି ବମ୍ବେ ରଣଜୀ ଟ୍ରଫିର ଉଦ୍‌ଘାଟନୀ ସଂସ୍କରଣ ଟାଇଟଲ ହାସଲ କରିବାରେ ସଫଳ ହୋଇଥିଲା। ୮୧ ବର୍ଷର ଲମ୍ବା ଯାତ୍ର ମଧ୍ୟରେ ବମ୍ବେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୪୯୯ଟି ମ୍ୟାଚ୍‌ ଖେଳିଛି। ଯେଉଁଥିରୁ ୨୪୨ଟି ବିଜୟ ହାସଲ କରିଥିବାବେଳେ ୨୩୧ଟି ମ୍ୟାଚ୍‌ ଡ୍ର ରଖିଛି। ସେହିପରି ମାତ୍ର ୨୬ଟି ମ୍ୟାଚ୍‌ରେ ଦଳକୁ ପରାଜୟବରଣ କରିବାକୁ ପଡ଼ିଛି। ରଣଜୀ ଟ୍ରଫିର ମୋଟ୍‌ ୮୩ଟି ସଂସ୍କରଣରୁ ବମ୍ବେ ମୋଟ୍‌ ୪୬ଟିଥର ଫାଇନାଲକୁ ପ୍ରବେଶ କରିଥିବାବେଳେ ସେଥିରୁ ୪୧ଥର ଚାମ୍ପିୟନ ହୋଇଛି। ୧୯୫୫-୫୬ରୁ ୧୯୭୬-୭୭ ମଧ୍ୟରେ ବମ୍ବେ ମୋଟ୍‌ ୨୨ଟି ସିଜନରୁ ୨୦ଟିରେ ଟ୍ରଫି ଜିତିବାରେ ସକ୍ଷମ ହୋଇଥିଲା। ଏଥିରୁ ୧୫ଟି ଟାଇଟଲ ଅର୍ଥାତ୍‌ ୧୯୫୮-୫୯ରୁ ୧୯୭୨-୭୩ ପର୍ଯ୍ୟନ୍ତ ଲଗାତର ୧୫ଥର ବିଜେତା ଆଖ୍ୟା ଅର୍ଜନ କରିଥିଲା। ୮୩ ବର୍ଷର ଇତିହାସରେ ଅନେକ ଜଣାଶୁଣା କ୍ରିକେଟର ବମ୍ବେ ଦଳରୁ ବାହାରିଛନ୍ତି। ଯେଉଁମାନଙ୍କ ମଧ୍ୟରେ ରଣଜୀ ଟ୍ରଫିର ପ୍ରଥମ ଶତକ ହାସଲକାରୀ ବିଜୟ ମର୍ଚ୍ଚାଣ୍ଟଙ୍କଠାରୁ ସୁନୀଲ ଗାଭାସ୍କର, ଦିଲ୍ଲୀପ୍‌ ଭେଙ୍ଗସରକାର, ସଚିନ ତେନ୍ଦୁଲକର ଏବଂ ବର୍ତ୍ତମାନର ତାରକା ରୋହିତ ଶର୍ମା ଓ ଅଜିଙ୍କ୍ୟ ରାହାନେ ପ୍ରମୁଖ ରହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri