ବିରଳ ବୋଲିଂ: ୪-୪-୦-୧୦


ଜୟପୁର, ୯।୧୧(ପି.ଟି.)- କ୍ରିକେଟରେ ଦିନକୁ ଦିନ ଅଜବ ରେକର୍ଡ ଦେଖିବାକୁ ମିଳୁଛି। କେଉଁଠି ବ୍ୟାଟ୍ସମ୍ୟାନ ୩୫ ଓଭର ମ୍ୟାଚ୍‌ରେ ଏକାକୀ ୩୦୦ ରନ ସଂଗ୍ରହ କରୁଛି ତ ଅନ୍ୟ କେଉଁଠି ଗୋଟିଏ ଇନିଂସରେ ଜଣେ ବୋଲର ୩ଟି ହ୍ୟାଟ୍ରିକ ଉଇକେଟ୍‌ ସଫଳତା ଅର୍ଜନ କରୁଛି। ମଙ୍ଗଳବାର ଅଷ୍ଟ୍ରେଲିଆ ବୋଲର ମିଚେଲ ଷ୍ଟାର୍କ ଏକ ପ୍ରଥମଶ୍ରେଣୀ ମ୍ୟାଚ୍‌ର ଉଭୟ ଇନିଂସରେ ହ୍ୟାଟ୍ରିକ ଅର୍ଜନ କରି ବିରଳ ରେକର୍ଡ ସ୍ଥାପନ କରିଥିଲେ। ଏହିକ୍ରମରେ ବୁଧବାର ଆଉ ଜଣେ କ୍ରିକେଟର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁକୁ ଆସିଛନ୍ତି। ସେ ହେଲେ ରାଜସ୍ଥାନର ଆକାଶ ଚୌଧାରୀ। ଏକ ଘରୋଇ ଟି୨୦ ଟୁର୍ନାମେଣ୍ଟରେ ଆକାଶ କୌଣସି ରନ ବ୍ୟୟ ନ କରି ପ୍ରତିପକ୍ଷ ଦଳର ସମସ୍ତ ୧୦ଟି ଯାକ ଉଇକେଟ୍‌ ଅକ୍ତିଆର କରିଛନ୍ତି। ସ୍ବର୍ଗତ ବନଓ୍ବର ସିଂହ ଟି୨୦ ଟୁର୍ନାମେଣ୍ଟରେ ଆକାଶ ଦିଶା କ୍ରିକେଟ ଏକାଡେମୀ ପକ୍ଷରୁ ଖେଳୁଥିବାବେଳେ ପର୍ଲ ଏକାଡେମୀ ବିପକ୍ଷରେ ଏହି ବିରଳ ସ୍ପେଲ ବୋଲିଂ କରିଥିଲେ। ଦିଶା ଏକାଡେମୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୫୬ ରନ କରିଥିଲା। ଜବାବରେ ପର୍ଲ ଏକାଡେମୀ ୩୬ ରନରେ ସମସ୍ତ ଉଇକେଟ୍‌ ହରାଇ ପରାସ୍ତ ହୋଇଥିଲା। ୧୫ ବର୍ଷୀୟ ଆକାଶ ନିଜ ୪ ଓଭର ସ୍ପେଲରେ ୪ଟି ମେଡେନ ସହ ୧୦ଟି ଯାକ ଉଇକେଟ୍‌ ହାସଲ କରିଥିଲେ। ପ୍ରଥମ ୩ ଓଭରରେ ୨ଟି ଲେଖାଏ ଉଇକେଟ୍‌ ହାସଲ କରିଥିବା ବାମହାତୀ ଦ୍ରୁତ ବୋଲର ଆକାଶ ଅନ୍ତିମ ତଥା ୪ର୍ଥ ଓଭରରେ ୪ଟି ଉଇକେଟ୍‌ ପାଇଥିଲେ। ଯେଉଁଥିରେ ଏକ ହ୍ୟାଟ୍ରିକ ସାମିଲ ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri