ଭାରତ ସିରିଜ ବିଜୟୀ


ଥିରୁଭାନନ୍ତପୁରମ, ୭।୧୧- ବର୍ଷା ବାଧାପ୍ରାପ୍ତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ୬ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥିସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିଛି। ଭାରତ ପକ୍ଷରୁ ଧାର୍ଯ୍ୟ ୬୮ ରନ ବିଜୟ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୮ ଓଭରରେ ୬ ଉଇକେଟ ହରାଇ ୬୧ ରନ କରିବାକୁ ସକ୍ଷମ ହୋଇଥିଲା। ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହେବାରୁ ମ୍ୟାଚକୁ ୮ ଓଭର ବିଶିଷ୍ଟ କରାଯାଇଥିଲା। ୬୮ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୮ ରନରେ ବିସ୍ଫୋରକ ଓପନର ମାର୍ଟିନ ଗୁପଟିଲଙ୍କ ଉଇକେଟ ହରାଇଥିଲା। ଭୁବନେଶ୍ୱର କୁମାର ତାଙ୍କୁ କ୍ଲିନ ବୋଲ୍ଡ କରି ଭାରତ ପାଇଁ ପ୍ରଥମ ସଫଳତା ଆଣିଥିଲେ। ଫର୍ମରେ ଥିବା କଲିନ ମୁନ୍‌ରୋ ମଧ୍ୟ ଅଧିକ କିଛି କରିପାରି ନ ଥିଲେ। ସେ ୬ ବଲ୍‌ରୁ ୭ ରନ କରି ଯଶପ୍ରୀତ ବୁମ୍‌ରାଙ୍କ ଶିକାର ବନିଥିଲେ। ଅଧିନାୟକ କେନ୍‌ ଓ୍ବିଲିୟମସନ ୧୦ ବଲ୍‌ରୁ ୮ ରନ କରିଥିବାବେଳେ ରନ୍‌ଆଉଟ ହୋଇ ଯାଇଥିଲେ। ଭଲ ଖେଳୁଥିବା ଗ୍ଲେନ ଫିଲିପ୍ସ(୯ ବଲ୍‌ରୁ ୧୧ ରନ)ଙ୍କୁ ଆଉଟ କରି କୁଲଦୀପ ଯାଦବ ଭାରତୀୟ ଶିବିରରେ ଆଶା ସଞ୍ଚାର କରାଇଥିଲେ। ୪.୪ ଓଭରରେ ୨୮ ରନରେ ନ୍ୟୁଜିଲାଣ୍ଡର ୪ର୍ଥ ଉଇକେଟ ପତନ ହୋଇଥିଲା। ହେନରି ନିକୋଲସ ୪ ବଲ୍‌ରୁ ୨ ରନ କରି ବୁମ୍‌ରାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ସ୍କୋର ୪୮ ହୋଇଥିବାବେଳେ ଟମ୍‌ ବ୍ରୁସ ୪ ରନକରି ରନଆଉଟ ହୋଇଥିଲେ। ଶେଷ ଓଭରରେ ମ୍ୟାଚ ଜିତିବା ପାଇଁ ୧୯ ରନ ଆବଶ୍ୟକ ହେଉଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ବଲ୍‌ରେ ବାଇରୁ ୧ ରନ ଆସିଥିବାବେଳେ ଦ୍ୱିତୀୟ ବଲ୍‌ ଡକ୍‌(୦) ରହିଥିଲା। ତୃତୀୟ ବଲ୍‌କୁ କଲିନ ଗ୍ରାଣ୍ଡହୋମ ଛକା ମାରି ମ୍ୟାଚରେ ଉଷ୍ମତା ଭରିଥିଲେ। ୪ର୍ଥ ବଲ୍‌କୁ ଓ୍ବାଇଡ୍‌ ପକାଇ ପାଣ୍ଡ୍ୟା ଚିନ୍ତା ବଢ଼ାଇଥିବାବେଳେ ୫ମ ବଲ୍‌ରୁ ମାତ୍ର ୧ ରନ ସଂଗୃହୀତ ହୋଇଥିଲା। ୫ମ ବଲ୍‌ରୁ ମିଚେଲ ସାଣ୍ଟନର ମାତ୍ର ୨ ରନ ସଂଗ୍ରହ କରିବାରୁ ଭାରତର ବିଜୟ ସ୍ପଷ୍ଟ ହୋଇଯାଇଥିଲା। ଅନ୍ତିମ ବଲ୍‌ରୁ ମାତ୍ର ୧ ରନ ଆସିଥିଲା। ଗ୍ରାଣ୍ଡହୋମ ୧୦ ବଲ୍‌ରୁ ୧୭( ୨ ଛକା) ରନରେ ଅପରାଜିତ ରହିଥିଲେ। ଭାରତ ପକ୍ଷର ଯଶପ୍ରୀତ ବୁମ୍‌ରା ୨ଟି ଏବଂ ଭୁବନେଶ୍ୱର କୁମାର ଓ କୁଲଦୀପ ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୟୁଜବେନ୍ଦ୍ର ଚହଲ ଚମତ୍କାର ବୋଲିଂ କରି ୨ ଓଭରରେ ମାତ୍ର ୮ ରନ ବ୍ୟୟ କରିଥିଲେ। ଟସ୍‌ ଜିତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଓଭର କମ୍‌ ଥିବାରୁ ବଡ଼ ଶଟ୍‌ ଖେଳିବା ଚକ୍କରରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିପାରି ନ ଥିଲେ। ଦୁଇ ଓପନର ଶିଖର ଧାଓ୍ବନ ୮(୯ ବଲ୍‌, ୧ ଚୌକା) ଓ ରୋହିତ ଶର୍ମା ୬ (୬ ବଲ, ୧ ଚୌକା) ରନ କରିବାକୁ ସକ୍ଷମ ହୋଇଥିବାବେଳେ ଅଧିନାୟକ ବିରାଟ କୋହଲି ୬ ବଲ୍‌ରୁ ୧୩(୧ ଚୌକା, ୧ ଛକା), ଶ୍ରେୟାସ ଆୟାର ୬ ବଲ୍‌ରୁ ୬ ଓ ମନୀଶ ପାଣ୍ଡେ ୧୧ ବଲ୍‌ରୁ ୧୭(୧ ଚୌକା, ୧ ଛକା) ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୦ ବଲ୍‌ରୁ ୧୪ ରନ କରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ବୋଲରଙ୍କ ମଧ୍ୟରେ ଟିମ୍‌ ସୌଦୀ ଓ ଈଶ୍‌ ସୋଧୀ ୨ଟି ଲେଖାଏ ଏବଂ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଉଇକେଟ ନେଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri