ଓଡ଼ିଶାରେ ସର୍ବଭାରତୀୟ ଏଲଆଇସି ସ୍ପୋଟର୍‌ସ ମିଟ୍‌


ଭୁବନେଶ୍ୱର, ୭।୧୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜନ ହେବାକୁ ଯାଉଛି ସର୍ବଭାରତୀୟ ଏଲଆଇସି ସ୍ପୋଟର୍‌ସ ମିଟ୍‌। ୧୯୫୬ରେ ଏଲଆଇସି ଆରମ୍ଭ ହେବା ପରଠାରୁ ଓଡ଼ିଶାକୁ ପ୍ରଥମଥର ପାଇଁ ଏହି ସର୍ବୋଚ୍ଚ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ସୁଯୋଗ ମିଳିଛି। ମିଟ୍‌ରେ ଆଥଲେଟିକ୍ସ, ଭଲିବଲ, ଟେବୁଲ ଟେନିସ, ଚେସ୍‌, କ୍ୟାରମ ଓ ବ୍ୟାଡ୍‌ମିଣ୍ଟନ ଆଦି ୬ଟି ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା ହେବ। କଳିଙ୍ଗ ଷ୍ଟାଡିୟମରେ ଆଥଲେଟିକ୍ସ, ଭଲିବଲ, ଚେସ୍‌ ଓ କ୍ୟାରମ ଏବଂ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଟେବୁଲ ଟେନିସ ଓ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଚଳିତ ମାସ ୯ ତାରିଖରୁ ପ୍ରତିଯୋଗିତା ଆରମ୍ଭ ହୋଇ ୧୨ ତାରିଖଯାଏ ଚାଲିବ। ସର୍ବଭାରତୀୟ ସ୍ତରରେ ନିଗମର ୮ଟି ଜୋନ ଓ ୧୧୩ଟି ଡିଭିଜନରୁ ମୋଟ ୪୨୪ ଖେଳାଳି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ମଧ୍ୟରେ ୫୫ ଅନ୍ତର୍ଜାତୀୟ ଓ ୧୫୫ ଜାତୀୟସ୍ତରର ଖେଳାଳି ସାମିଲ ରହିବେ ବୋଲି ଭୁବନେଶ୍ୱର ମଣ୍ଡଳର ବରିଷ୍ଠ ପ୍ରବନ୍ଧକ ଲକ୍ଷ୍ମୀ ପ୍ରସାଦ ଦାସ ସୋମବାର ସୂଚନା ଦେଇଛନ୍ତି। ଆଥଲେଟିକ୍ସର ୧୦୦, ୨୦୦, ୪୦୦, ୮୦୦ ଓ ୧୫୦୦ ମିଟରର ଉଭୟ ମହିଳା ଓ ପୁରୁଷ ବର୍ଗରେ ପ୍ରତିଯୋଗିତା ହେବ। ୫୦୦୦ ମିଟର, ୧୦,୦୦୦ ମିଟର ଓ ୧୦୦ ମିଟର ହର୍ଡଲ୍ସ କେବଳ ପୁରୁଷ ବର୍ଗରେ ଏବଂ ୧୧୦ ମିଟର ଏବଂ ୪୦୦ ମିଟର ହର୍ଡଲ୍ସ କେବଳ ମହିଳା ବର୍ଗରେ ଆୟୋଜିତ ହେବ। ଏହାବ୍ୟତୀତ ହାଇଜମ୍ପ, ଲଙ୍ଗଜମ୍ପ, ଟ୍ରିପଲ ଜମ୍ପ, ଜାଭେଲିନ, ଡିସ୍‌କସ୍‌, ଶଟ୍‌ପୁଟ୍‌ ଓ ହାମର ଥ୍ରୋ ଇଭେଣ୍ଟ ମଧ୍ୟ ଅନୁଷ୍ଠିତ ହେବ। କ୍ୟାରମ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଓ ଚେସ୍‌ ଇଭେଣ୍ଟର ମହିଳା ଓ ପୁରୁଷ ବର୍ଗରେ ୩୨ ଜଣ ଲେଖାଏ ଖେଳାଳି ଭାଗନେବେ। ଭଲିବଲର ପୁରୁଷ ବର୍ଗରେ ୮ଟି ଦଳ ଅଂଶଗ୍ରହଣ କରିବ ବୋଲି ସେ କହିଛନ୍ତି। ଲକ୍ଷ୍ମୀ ପ୍ରସାଦଙ୍କ ସୂଚନା ଅନୁସାରେ ଭୁବନେଶ୍ୱର ମଣ୍ଡଳରୁ ଚେସ୍‌ ପୁରୁଷ ବର୍ଗରେ ମନୋରଞ୍ଜନ ସାହୁ ଓ ମହିଳା ବର୍ଗରେ ମହିଳା ଗ୍ରାଣ୍ଡମାଷ୍ଟର କିରଣ ମନୀଷା ମହାନ୍ତି ପ୍ରତିନିଧିତ୍ୱ କରିବେ। ଏହାଛଡ଼ା ଜାଭେଲିନ ଥ୍ରୋରେ ପ୍ରକାଶ କୁମାର ମହାନ୍ତି, ୨୦୦ ମିଟର ରେସ୍‌ରେ ମଧୁସୂଦନ ବଳ, ଭଲିବଲରେ ସନ୍ତୋଷ କୁମାର ପଣ୍ଡା ଓ ଶ୍ରୀନିବାସ ବଡ଼ଜେନା ଭାଗନେବେ। ଆସନ୍ତା ୯ ତାରିଖ ସକାଳ ୯ଟାରେ ଭାରତୀୟ ଜୀବନବୀମା ନିଗମ(ଏଲଆଇସି) ଅଧ୍ୟକ୍ଷ ଭି.କେ.ଶର୍ମା କଳିଙ୍ଗ ଷ୍ଟାଡିୟମରେ ଏହି ସର୍ବଭାରତୀୟ କ୍ରୀଡ଼ାକୁ ଉଦ୍‌ଘାଟନ କରିବେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri