ଏସିଆ କପ୍‌ ମହିଳା ହକି: ଭାରତ ଚାମ୍ପିୟନ, ବିଶ୍ୱକପ୍‌ ଯୋଗ୍ୟତା


କାକାମିଗାହାରା(ଜାପାନ), ୫।୧୧(ପି.ଟି.)-ଭାରତୀୟ ପୁରୁଷ ଦଳ ଭଳି ମହିଳା ଦଳ ମଧ୍ୟ ଏସିଆ କପ୍‌ ହକି ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଭାରତ ଶୁଟ୍‌ଆଉଟ୍‌ ୫-୪ ଗୋଲରେ ଚାଇନାକୁ ହରାଇ ଟାଇଟଲ ହାସଲ କରିଛି। ଏଥିସହ ଭାରତ ଆସନ୍ତାବର୍ଷ ହେବାକୁଥିବା ବିଶ୍ୱକପ ହକି ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏହାକୁ ମିଶାଇ ଦ୍ୱିତୀୟଥର ପାଇଁ ଭାରତ ଏସିଆ କପ୍‌ ଜିତିବାର ଗୌରବ ପାଇଛି। ୨୦୦୪ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଫାଇନାଲରେ ଜାପାନକୁ ହରାଇ ଭାରତ ଟ୍ରଫି ଜିତିଥିଲା। ପ୍ରକାଶଯୋଗ୍ୟ ଗତମାସରେ ଡାକାରେ ଅନୁଷ୍ଠିତ ଏସିଆ କପ୍‌ ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୨-୧ ଗୋଲରେ ହରାଇ ଟାଇଟଲ ହାସଲ କରିଥିଲା। ଗୋଟିଏ ବର୍ଷ ଉଭୟ ମହିଳା ଓ ପୁରୁଷ ଦଳ ଏସିଆ କପ୍‌ ଜିତିବା ସହ ଭାରତ ବିରଳ ସଫଳତା ହାସଲ କରିଛି। ପୂର୍ବରୁ କେବଳ ଦକ୍ଷିଣ କୋରିଆ ଏହି ସଫଳତା ପାଇଥିଲା। ୧୯୯୪ରେ ଏହାର ମହିଳା ଓ ପୁରୁଷ ଦଳ ଚାମ୍ପିୟନ ହୋଇଥିଲା। ଭାରତୀୟ ଦଳରେ ଓଡ଼ିଶାର ୫ ଖେଳାଳି ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ନମିତା ଟପ୍ପୋ, ଲିଲିମା ମିଞ୍ଜ, ସୁନୀତା ଲାକ୍ରା ଓ ରଶ୍ମିତା ମିଞ୍ଜ ପାନପୋଷ ହଷ୍ଟେଲର ହୋଇଥିବାବେଳେ ଦୀପ୍‌ ଗ୍ରେସ ଏକ୍କା ସୁନ୍ଦରଗଡ଼ ହଷ୍ଟେଲର ଛାତ୍ରୀ। ସମସ୍ତ ଓଡ଼ିଆ ଖେଳାଳି ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ଗିଫୁ ହକି ଷ୍ଟାଡିୟମରେ ଅନୁଷ୍ଠିତ ଫାଇନାଲର ନିର୍ଦ୍ଧାରିତ ସମୟ ୧-୧ ଗୋଲରେ ଶେଷ ହୋଇଥିଲା। ୨୫ତମ ମିନିଟରେ ନଭଜୋତ କୌର ଗୋଲ ଦେଇ ଭାରତକୁ ଅଗ୍ରଣୀ କରାଇଥିବାବେଳେ ଚାଇନାର ଟିଆନଟିଆନ ଲୁଓ ୪୭ତମ ମିନିଟରେ ପେନାଲ୍ଟି କର୍ନର ସହାୟତାରେ ଗୋଲ ପରିଶୋଧ କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ଆଉ ଗୋଲ ନ ହେବାରୁ ଶୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏହି ପର୍ଯ୍ୟାୟ ମଧ୍ୟ ବେଶ୍‌ ରୋମାଞ୍ଚକ ହୋଇଥିଲା। ଉଭୟ ଦଳ ସମାନ ପ୍ରଦର୍ଶନ କରିବାରୁ ଏକଦା ସ୍ଥିତି ୪-୪ରେ ପହଞ୍ଚତ୍ ଯାଇଥିଲା। ୫ମ ତଥା ଅନ୍ତିମ ଶଟ୍‌କୁ ଗୋଲରେ ପରିଣତ କରିବାରେ ଉଭୟ ଦଳର ଖେଳାଳି ବିଫଳ ହୋଇଥିଲେ। ଭାରତ ପକ୍ଷରୁ ରାଣୀ, ମୋନିକା ମଲିକ, ନଭଜୋତ କୌର ଓ ଲିଲିମା ମିଞ୍ଜ ଗୋଲ ଦେଇଥିବାବେଳେ ନଭନୀତ କୌର ଟାର୍ଗେଟ୍‌ ମିସ୍‌ କରିଥିଲେ। ସଡନ୍‌ ଡେଥ୍‌ରେ ଅଧିନାୟିକା ରାଣୀ ରାମପାଲ ଭାରତ ପାଇଁ ଗୋଲ ସ୍କୋର କରିଥିବାବେଳେ ଚାଇନାର ଲିଆଙ୍ଗ ମେଇୟୁ ବିଫଳ ହୋଇଥିଲେ। ଭାରତୀୟ ଗୋଲକିପର ସବିତା ଚମତ୍କାର ସେଭ୍‌ କରି ଚାଇନା ଆଶାରେ ପାଣି ଭରି ଦେଇଥିଲେ। ତେଣୁ ତାଙ୍କୁ ଗୋଲକିପର ଅଫ ଦି ଟୁର୍ନାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଠାରେ ବିଜୟୀ ହେବାସହ ୨ ଥର ଚାମ୍ପିୟନ ଚାଇନା ବିପକ୍ଷରେ ଭାରତ ମଧୁର ପ୍ରତିଶୋଧ ନେବାରେ ସଫଳ ହୋଇଛି। ୨୦୦୯ ଫାଇନାଲରେ ଭାରତକୁ ହରାଇ ଚାଇନା ଚାମ୍ପିୟନ ହୋଇଥିଲା। ଦୀର୍ଘ ୧୩ ବର୍ଷ ବ୍ୟବଧାନରେ ଭାରତୀୟ ମହିଳା ଦଳକୁ ଏସିଆ କପ୍‌ ହକି ଟାଇଟଲ ମିଳିଛି। ମହାଦେଶୀୟ ଚାମ୍ପିୟନଭାବେ ଦଳ ୨୦୧୮ରେ ଇଂଲଣ୍ଡରେ ହେବାକୁଥିବା ବିଶ୍ୱକପ ପାଇଁ ମଧ୍ୟ ଟିକେଟ୍‌ ପାଇଛି। ଏସିଆ କପ୍‌ରେ ଭାରତୀୟ ମହିଳା ଦଳ ଅପରାଜେୟ ରହିଥିଲା। ଗ୍ରୁପ୍‌ ପର୍ଯ୍ୟାୟରେ ଦଳ ସିଙ୍ଗାପୁରକୁ ୧୦-୦, ଚାଇନାକୁ ୪-୧ ଓ ମାଲେସିଆକୁ ୨-୦ରେ ହରାଇବା ପରେ କ୍ୱାର୍ଟର ଫାଇନାଲରେ କାଜାଖସ୍ତାନକୁ ୭-୧ ଓ ସେମିଫାଇନାଲରେ ଗତଥର ଚାମ୍ପିୟନ ଜାପାନକୁ ୪-୨ ଗୋଲରେ ପରାସ୍ତ କରିଥିଲା। ଏଠାରେ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ପ୍ଲେ-ଅଫ୍‌ରେ ଦକ୍ଷିଣ କୋରିଆ ୧-୦ ଗୋଲରେ ଜାପାନକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି। ପୂର୍ବରୁ ଚାଇନା ମହିଳା ହକି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ୨୦୧୬-୧୭ ହକି ଓ୍ବାଲର୍‌ଡ ଲିଗ୍‌ ସେମିଫାଇନାଲ୍ସର ଫାଇନାଲରେ ପ୍ରବେଶ କରି ଦଳ ଏହି ସଫଳତା ପାଇଛି। ଫାଇନାଲରେ ଚାଇନା ୦-୨ ଗୋଲରେ ନେଦରଲାଣ୍ଡଠାରୁ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା। ଏସିଆର ଅନ୍ୟ ଦୁଇ ଦଳ ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟ ବିଶ୍ୱକପ ଯୋଗ୍ୟତା ପାଇଛନ୍ତି। ଉଭୟ ଦଳ ହକି ଓ୍ବାଲର୍‌ଡ ଲିଗ୍‌ ସେମିଫାଇନାଲ୍ସରୁ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ୨୦୧୮ ହକି ବିଶ୍ୱକପରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବ। ଏଥିପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦଳଗୁଡ଼ିକ ହେଲେ ଆୟୋଜକ ଇଂଲଣ୍ଡ, ହକି ଓ୍ବାଲର୍‌ଡଲିଗ୍‌ ସେମିଫାଇନାଲ୍ସରେ ପ୍ରଦର୍ଶନ ଭିତ୍ତିରେ ଚାଇନା, ନ୍ୟୁଜିଲାଣ୍ଡ, ଦକ୍ଷିଣ କୋରିଆ, ଇଟାଲୀ, ସ୍ପେନ, ବେଲ୍‌ଜିୟମ (ବେଲାରୁଷରେ ହୋଇଥିବା ପ୍ରତିଯୋଗିତା), ଆମେରିକା, ଜର୍ମାନୀ, ଜାପାନ, ଆୟର୍ଲାଣ୍ଡ (ଜୋହାନ୍ସବର୍ଗରେ ହୋଇଥିବା ପ୍ରତିଯୋଗିତା), ପାନ୍‌ ଆମେରିକା ଚାମ୍ପିୟନ ଆର୍ଜେଣ୍ଟିନା, ୟୁରୋପ ଚାମ୍ପିୟନ ନେଦରଲାଣ୍ଡ, ଓସେନିଆ ଚାମ୍ପିୟନ ଅଷ୍ଟ୍ରେଲିଆ, ଆଫ୍ରିକା ଚାମ୍ପିୟନ ଦକ୍ଷିଣ ଆଫ୍ରିକା ଓ ଏସିଆ ଚାମ୍ପିୟନ ଭାରତ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri