ସିଜନର ପ୍ରଥମ ବିଜୟ ସ୍ବାଦ ଚାଖିଲା ବମ୍ବେ


ଭୁବନେଶ୍ୱର, ୪।୧୧(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କିଟ୍‌ କ୍ରିକେଟ ଗ୍ରାଉଣ୍ଡରେ ଘରୋଇ ଓଡ଼ିଶା ବିପକ୍ଷରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ଶକ୍ତିଶାଳୀ ବମ୍ବେ ଦଳ ବିଜୟୀ ହୋଇଛି। ଗ୍ରୁପ୍‌-ସି’ର ଏହି ମ୍ୟାଚରେ ବମ୍ବେ ପକ୍ଷରୁ ଧାର୍ଯ୍ୟ ୪୧୩ ରନର କଷ୍ଟସାଧ୍ୟ ଟାର୍ଗେଟ୍‌କୁ ପିଛା କରି ଗୋବିନ୍ଦ ପୋଦ୍ଦାରଙ୍କ ଦଳ ଅନ୍ତିମ ତଥା ୪ର୍ଥ ଦିବସରେ ଶନିବାର ୨୯୨ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଫଳରେ ବମ୍ବେ ୧୨୦ ରନରେ ସହଜସାଧ୍ୟ ବିଜୟ ଲାଭ କରିଥିଲା। ଏଥିସହ ୪୧ଥର ରଣଜୀ ଚାମ୍ପିୟନ ବମ୍ବେ ଚଳିତ ସିଜନରେ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଉଭୟ ଇନିଂସରେ (୧୦୫ ଓ ୪୬) ଆକର୍ଷଣୀୟ ବ୍ୟାଟିଂ ଲାଗି ପୃଥ୍ବୀ ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ରନର ଟାର୍ଗେଟ୍‌କୁ ପିଛା କରିଥିବା ଓଡ଼ିଶା ଦଳ ଶୁକ୍ରବାର ୩ୟ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ୨ୟ ଇନିଂସରେ ୪ ଉଇକେଟ୍‌ ହରାଇ ୯୩ ରନ କରିଥିଲା। ଅନ୍ତିମ ଦିବସ ତଥା ଶନିବାର ଓଡ଼ିଶାକୁ ବିଜୟ ପାଇଁ ଆଉ ୩୨୦ ରନ ଆବଶ୍ୟକ ହେଉଥିବାବେଳେ ବମ୍ବେକୁ ମାତ୍ର ୬ ଉଇକେଟ୍‌ ଦରକାର ଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଆଉଟ୍‌ ହୋଇଯାଇଥିବାରୁ ଓଡ଼ିଶା ପାଇଁ ଅନ୍ତିମ ଦିବସରେ ଏହି ଲକ୍ଷ୍ୟ ହାସଲ କରିବା କଷ୍ଟସାଧ୍ୟ ଥିଲା। ତେବେ ପୂର୍ବଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓ ପଦାର୍ପଣକାରୀ ଶାନ୍ତନୁ ମିଶ୍ର ସତର୍କତାର ସହ ବ୍ୟାଟିଂ କରିଥିଲେ। ଦୁହେଁ ବମ୍ବେ ବୋଲରଙ୍କୁ ନିରାଶ କରିବା ସହ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିଥିଲେ। ଇତ୍ୟବସରରେ ପୋଦ୍ଦାର ଅର୍ଦ୍ଧଶତକ ହାସଲ କରି ଶତକର ନିକଟତର ହୋଇଥିବାବେଳେ ଆଉଟ୍‌ ହୋଇଥିଲେ। ବ୍ୟକ୍ତିଗତ ୮୭ ରନ କରି ଖେଳୁଥିବାବେଳେ ଅଭିଷେକ ନାୟାରଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ସେ ପ୍ୟାଭିଲିୟନ ଫେରିଥିଲେ। ୨୧୮ ବଲର ସମ୍ମୁଖୀନ ହୋଇଥିବା ପୋଦ୍ଦାର ଇନିଂସରେ ୧୩ଟି ଚୌକା ମାରିଥିଲେ। ଆଉଟ୍‌ ହେବା ପୂର୍ବରୁ ପୋଦ୍ଦାର ୫ମ ଉଇକେଟ୍‌ରେ ଶାନ୍ତନୁଙ୍କ ସହ ୯୦ ରନ ପାର୍ଟନରଶିପ୍‌ କରିଥିଲେ। ଶନିବାର ପ୍ରଥମ ଉଇକେଟ୍‌ ହାସଲ କରିବା ପାଇଁ ବମ୍ବେ ବୋଲର ୨୨ ଓଭର ବୋଲିଂ କରିଥିଲେ। ଗୋବିନ୍ଦଙ୍କ ପରେ ଶାନ୍ତନୁ ମଧ୍ୟ ୪୯ (୮ ଚୌକା) ରନ କରି ଆଉଟ୍‌ ହୋଇଥିଲେ। ପୂର୍ବରୁ ପ୍ରଥମ ଇନିଂସରେ ୩୬ ରନ କରିଥିବା ଶାନ୍ତନୁ ପଦାର୍ପଣରେ ଛାପ ଛାଡ଼ିବାରେ ସଫଳ ହୋଇଛନ୍ତି। ଏହି ଦୁଇ ସେଟ୍‌ ବ୍ୟାଟ୍ସମ୍ୟାନଙ୍କ ବିଦାୟ ପରେ ବିପ୍ଳବ ସାମନ୍ତରାୟ (୩୧), ସୌରଭ ରାଓ୍ବତ (୨୯) ଓ ସୂର୍ଯ୍ୟକାନ୍ତ ପ୍ରଧାନ (୩୨) ମ୍ୟାଚ୍‌ ବଞ୍ଚାଇବା ଲାଗି ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଦ୍ୱିତୀୟ ସେସନ ଜଳପାନ ବିରତି ପରେ ଓଡ଼ିଶା ୨ୟ ଇନିଂସରେ ୮୫.୧ ଓଭର ଖେଳି ୨୯୨ ରନରେ ଅଲ୍‌ଆଉଟ୍‌ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ମହାନ୍ତି ୧୦ ରନ କରିଥିଲେ। ଭ୍ରମଣକାରୀ ବମ୍ବେ ପକ୍ଷରୁ ଅନ୍ତର୍ଜାତୀୟ ତାରକା ଧାଓ୍ବଲ କୁଲକର୍ନୀ ଓ ଆକାଶ ପାର୍କର ୩ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ନାୟାର (୨), ବିଜୟ ଗୋହିଲ (୧) ଓ ଶାର୍ଦ୍ଦୁଳ ଠାକୁର (୧) ମଧ୍ୟ ଉଇକେଟ ସଫଳତା ପାଇଥିଲେ। ପ୍ରଥମ ବିଜୟ ସହ ବମ୍ବେ ମ୍ୟାଚ୍‌ରୁ ପୂରା ୬ ପଏଣ୍ଟ ହାସଲ କରିଛି। ଗୋଟିଏ ବିଜୟ ଓ ୨ଟି ଡ୍ର ସହ ବମ୍ବେ ମୋଟ୍‌ ୧୦ ପଏଣ୍ଟ ପାଇ ଗ୍ରୁପ୍‌-ସି’ରେ ତାମିଲନାଡ଼ୁକୁ ପଛରେ ପକାଇ ୩ୟ ସ୍ଥାନରେ ରହିଛି। ଅପରପକ୍ଷରେ ଓଡ଼ିଶା ୨ଟି ଡ୍ର ଓ ଗୋଟିଏ ପରାଜୟ ସହ ୩ଟି ମ୍ୟାଚ୍‌ରୁ ୨ ପଏଣ୍ଟ ପାଇ ୭ ଦଳୀୟ ଏହି ଗ୍ରୁପ୍‌ରେ ସର୍ବନିମ୍ନ ସ୍ଥାନରେ ରହିଛି। ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ତାମିଲନାଡ଼ୁକୁ ଭେଟିବ। ଏହି ମ୍ୟାଚ୍‌ ଆସନ୍ତା ୯ରୁ କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri