ଦ୍ୱିତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ବିଜୟୀ


ରାଜକୋଟ, ୪।୧୧ (ପି.ଟି.)-ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ କଲିନ ମୁନ୍‌ରୋଙ୍କ ଅପରାଜିତ ଶତକ (୧୦୯) ସହାୟତାରେ ନ୍ୟୁଜିଲାଣ୍ଡ ୪୦ ରନ୍‌ରେ ଭାରତକୁ ହରାଇ ଦେଇଛି। ୧୯୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଘରୋଇ ଦଳ ୨୦ ଓଭରରେ ୭ ଉଇକେଟ ବିନିମୟରେ ୧୫୬ ରନ କରିଥିଲା। ଦଳ ପକ୍ଷରୁ ଟପ୍‌ ସ୍କୋରର ଅଧିନାୟକ ବିରାଟ କୋହଲି ୬୫ ରନ (୪୨ ବଲ୍‌, ୮ଚୌକା, ୧ ଛକା) କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନୀ ୪୯ (୩୭ ବଲ୍‌, ୨ ଚୌକା, ୩ ଛକା) ଭ୍ରମଣକାରୀ ଦଳ ପକ୍ଷରୁ ସଫଳ ବୋଲର ଭାବେ ଟ୍ରେଣ୍ଟ ବୋଲ୍ଟ ୩୪ରନ ବିନିମୟରେ ୪ଟି ଉଇକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡର ଏହି ବିଜୟ ଦ୍ୱାରା ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସ୍ତରକୁ ଚାଲିଆସିଛି। ମଙ୍ଗଳବାର ଦୁଇ ଦଳ ମଧ୍ୟରେ ଏହି ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଥିରୁଭାନନ୍ତପୁରମର ଗ୍ରୀନ୍‌ ଫିଲ୍ଡ୍‌ ଷ୍ଟାଡିୟମରେ ହେବ। ଅଧିନାୟକ କେନ୍‌ ଓ୍ବିଲିୟମସନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭ୍ରମଣକାରୀ ଦଳ ମୁନ୍‌ରୋଙ୍କ ଅପରାଜିତ ଶତକ ସହାୟତାରେ ନିର୍ଦ୍ଧାରିତ ଓଭରରେ ୨ ଉଇକେଟ ବିନିମୟରେ ୧୯୬ ରନ କରିଥିଲା। ମୁନ୍‌ରୋ ଓ ମାର୍ଟିନ ଗୁପ୍‌ଟିଲ (୪୫) ପ୍ରଥମ ଉଇକେଟ ପାର୍ଟନରଶିପ୍‌ରେ ୧୦୫ ରନ ଯୋଗ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ଅଧିନାୟକ ଓ୍ବିଲିୟମସନ ମାତ୍ର ୧୨ ରନ କରିଥିବାବେଳେ ଟମ୍‌ ବ୍ରୁସ୍‌ ୧୮ରନ କରି ଅପରାଜିତ ରହିଥିଲେ। ମୁନ୍‌ରୋ ମାତ୍ର ୫୮ବଲ୍‌ର ସାମ୍ନା କରି ୭ ଚୌକା ଓ ୭ ଛକା ସହ ୧୦୯ରନ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ଦିଲ୍ଲୀଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଆଶିଷ ନେହେରା ଅବସର ନେଇଥିବାରୁ ତାଙ୍କ ସ୍ଥାନରେ ପେସ୍‌ ବୋଲର ମହମ୍ମଦ ସିରାଜଙ୍କୁ ଦଳରେ ନିଆଯାଇଥିଲା। ଏହାଥିଲା ତାଙ୍କର ପଦାର୍ପଣ ମ୍ୟାଚ। ଭ୍ରମଣକାରୀ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ଟିମ୍‌ ସୌଦି ଓ ଟମ୍‌ ଲଥାମଙ୍କ ସ୍ଥାନରେ ଆଡାମ୍‌ ମିଲ୍‌ନେ ଓ ଗ୍ଲେନ ଫିଲିପ୍ସ ଦଳରେ ସ୍ଥାନ ପାଇଥିଲେ। ଦିଲ୍ଲୀଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତ ୫୩ ରନରେ ବିଜୟ ଲାଭ କରିଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri