ରଣଜୀ ମ୍ୟାଚ୍‌ ବେଳେ ସୁରକ୍ଷାରେ ତ୍ରୁଟି


ନୂଆଦିଲ୍ଲୀ, ୪।୧୧(ପି.ଟି.)-ସ୍ଥାନୀୟ ପାଲାମସ୍ଥିତ ଏୟାର ଫୋର୍ସ ଗ୍ରାଉଣ୍ଡରେ ଦିଲ୍ଲୀ ଓ ଉତ୍ତରପ୍ରଦେଶ (ୟୁପି) ମଧ୍ୟରେ ଖେଳାଯାଉଥିବା ରଣଜୀ ମ୍ୟାଚ୍‌ ବେଳେ ଗୁରୁତର ସୁରକ୍ଷା ତ୍ରୁଟି ପରିଲକ୍ଷିତ ହୋଇଛି। ଶୁକ୍ରବାର ଖେଳ ଶେଷ ହେବାର ୨୦ ମିନିଟ୍‌ ପୂର୍ବରୁ ହଠାତ୍‌ ଏକ କାର୍‌ ଗ୍ରାଉଣ୍ଡ ମଧ୍ୟକୁ ପ୍ରବେଶ କରିଥିଲା। ସେତେବେଳେ ଉତ୍ତର ପ୍ରଦେଶ ଏହାର ଦ୍ୱିତୀୟ ଇନିଂସ ବ୍ୟାଟିଂ କରୁଥିଲା। କାର୍‌ଟି ପିଚ୍‌ ଉପରେ ଦୁଇଥର ଅତିକ୍ରମ କରିଥିଲା। ଏହା ଦେଖି ଗ୍ରାଉଣ୍ଡରେ ଉପସ୍ଥିତ ଥିବା ଖେଳାଳି ଓ ଅଫିସିଆଲ ସ୍ତମ୍ବୀଭୂତ ହୋଇଯାଇଥିଲେ। ଏହି ଘଟଣା ବେଳେ ପଡ଼ିଆରେ ରିଷଭ ପନ୍ତ ଏବଂ ଗୌତମ ଗମ୍ଭୀର ଓ ଈଶାନ୍ତ ଶର୍ମାଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳି ଉପସ୍ଥିତ ଥିଲେ। କାର୍‌ ଚାଳକଙ୍କ ନାମ ଗିରିଶ ଶର୍ମା ବୋଲି ଜଣାପଡ଼ିଛି। ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀମାନେ ଗ୍ରାଉଣ୍ଡର ଫାଟକ ବନ୍ଦ କରି ଚାଳକଙ୍କୁ କାବୁ କରିବା ସହ କାର୍‌କୁ ଜବତ କରିଥିଲେ। ଗିରିଶଙ୍କୁ ପ୍ରଥମେ ଏୟାର ଫୋର୍ସ ପୋଲିସ ପଚରାଉଚରା କରିବା ପରେ ଦିଲ୍ଲୀ ପୋଲିସ୍‌କୁ ହସ୍ତାନ୍ତର କରାଯାଇଛି। ଏ ଘଟଣା ସମ୍ପର୍କରେ ବିସିସିଆଇ ତା’ର ସ୍ବୀକୃତିପ୍ରାପ୍ତ ସଦସ୍ୟ ସର୍ଭିସେସ ସ୍ପୋଟର୍‌ସ କଣ୍ଟ୍ରୋଲ ବୋର୍ଡ(ଏସ୍‌ଏସ୍‌ସିବି)ଠାରୁ ରିପୋର୍ଟ ତଲବ କରିଛି। ଏସ୍‌ଏସ୍‌ସିବି ଗ୍ରାଉଣ୍ଡରେ ଏହି ଘଟଣା ସୁରକ୍ଷା ଜନିତ ତ୍ରୁଟି ପଦାରେ ପଡ଼ିଯାଇଛି। ଯଦି କାର ଚାଳକଙ୍କ ଉଦ୍ଦେଶ୍ୟ ଥିଲେ ପରିସ୍ଥିତି କ’ଣ ହୋଇଥାନ୍ତା ତାହା କଳ୍ପନା ବାହାରେ। ହୁଏତ କେହି ଗୁରୁତର ଆହତ ହୋଇଥାନ୍ତେ ଅବା ମରଣମୁଖରେ ପଡ଼ିଥାନ୍ତେ। ଏହା ଉଦ୍‌ବେଗର ବିଷୟ ବୋଲି ବିସିସିଆଇ କାର୍ଯ୍ୟକାରୀ ସଭାପତି ସି. କେ. ଖାନ୍ନା କହିଛନ୍ତି। ସୂଚନା ଅନୁଯାୟୀ, ଏୟାର ଫୋର୍ସ ଗ୍ରାଉଣ୍ଡର ମୁଖ୍ୟ ଫାଟକରେ କେବଳ ଯାଞ୍ଚ ପରେ ହିଁ କାର୍‌କୁ ପ୍ରବେଶ ଅନୁମତି ମିଳିଥାଏ। କିନ୍ତୁ ଫାଟକ ନିକଟରେ ସୁରକ୍ଷା କର୍ମୀ ଉପସ୍ଥିତ ନ ଥିବାରୁ ଗିରିଶ ସିଧାସଳଖ ପାର୍କିଂ ଅଞ୍ଚଳକୁ ଯିବା ପରିବର୍ତ୍ତେ ଗ୍ରାଉଣ୍ଡ ମଧ୍ୟକୁ କାର୍‌ ଚଳାଇ ନେଇଥିଲେ। ଦିଲ୍ଲୀ ପୋଲିସର ଜଣେ ସିନିୟର ଅଫିସିଆଲ କହଛନ୍ତି, ୩୦ ବର୍ଷୀୟ ଏହି କାର୍‌ ଚାଳକ ଜଣକ ଏକ ପ୍ରାଇଭେଟ୍‌ ଫାର୍ମରେ କାର୍ଯ୍ୟ କରନ୍ତି। ତାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବା ଭଳି ଜଣାପଡ଼ୁଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri