ଖେଳାଳିଙ୍କ ସୁରକ୍ଷା ଉପରେ ଗୁରୁତ୍ୱ


ଭୁବନେଶ୍ୱର,୪ା୧୧(ବ୍ୟୁରୋ)-ଆସନ୍ତା ଡିସେମ୍ବର ୧ ତାରିଖରୁ ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଏହାକୁ ସଫଳତାର ସହ ଆୟୋଜନ କରିବା ପାଇଁ ଶୁକ୍ରବାର କମିଶନରେଟ୍‌ ପୋଲିସ ମୁଖ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କମିଶନରେଟ୍‌ ପୋଲିସ, କ୍ରୀଡ଼ା ବିଭାଗ ଓ ବିଏମ୍‌ସିର ଅଧିକାରୀମାନେ ଉପସ୍ଥିତ ଥିଲେ। ଶୁକ୍ରବାର ବୈଠକରେ ଏହି ଟୁର୍ନାମେଣ୍ଟକୁ ନେଇ ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି। ଆଗାମୀ ଦିନରେ ଏନେଇ ପୁଣି ବୈଠକ ହେବ। ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲରେ ମୋଟ ୮ଟି ଟିମ୍‌ ଅଂଶଗ୍ରହଣ କରିବେ। ଆସନ୍ତା ୧ରୁ ଏହା ୧୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ୨୨ ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚିବା ଆରମ୍ଭ କରିବେ। ଖେଳାଳିଙ୍କ ରହିବା ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ୫ଟି ତାରକା ହୋଟେଲକୁ ଚିହ୍ନଟ କରାଯାଇଛି। ଉକ୍ତ ହୋଟେଲଗୁଡ଼ିକରେ କିପରି ସୁବିଧାରେ ଖେଳାଳିମାନେ ରହିପାରିବେ ଏବଂ ହୋଟେଲରୁ ଷ୍ଟାଡିୟମକୁ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆସିପାରିବେ ସେନେଇ ଆଲୋଚନା ହୋଇଛି। ଏଥିସହ ଖେଳ ସମୟରେ ଷ୍ଟାଡିୟମର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଭାବେ ସିସିଟିଭି କ୍ୟାମେରା ଲାଗିବା ସହ ଅସ୍ଥାୟୀ ପୋଲିସ ଟେଣ୍ଟ ନିର୍ମାଣ ନେଇ ମଧ୍ୟ ଆଲୋଚନା ହୋଇଛି। ଖେଳ ଚାଲୁଥିବା ସମୟରେ ଦର୍ଶକମାନେ କେଉଁ କେଉଁ ସ୍ଥାନରେ ନିଜର ଗାଡ଼ିଗୁଡ଼ିକୁ ପାର୍କିଂ କରିବେ ସେ ନେଇ ବିଏମ୍‌ସି ପକ୍ଷରୁ କମିଶନରେଟ୍‌ ପୋଲିସକୁ ଏକ ଚିଠା ପ୍ରଦାନ କରାଯାଇଛି। ଉକ୍ତ ସ୍ଥାନରେ ଗାଡ଼ିଗୁଡ଼ିକ ଯେପରି ସୁରକ୍ଷିତ ଭାବେ ରହିପାରିବ ସେ ନେଇ ବିଏମ୍‌ସି ପକ୍ଷରୁ ନିଜ ତରଫରୁ ସୁରକ୍ଷାକର୍ମୀ ଯୋଗାଇ ଦିଆଯିବ। ପୋଲିସ ମଧ୍ୟ ପାର୍କିଂ ସ୍ଥଳରେ ଉପସ୍ଥିିତ ରହିବ। ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବା ପରଠାରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ବିମାନବନ୍ଦର, ଖେଳାଳିମାନେ ରହୁଥିବା ହୋଟେଲ ଏବଂ ଖେଳ ଚାଲୁଥିବା ସମୟରେ ଷ୍ଟାଡିୟମରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି। ଖେଳ ଦେଖିବାକୁ ଆସୁଥିବା ଦର୍ଶକମାନେ କେଉଁଠି ଗାଡ଼ିଗୁଡ଼ିକ ପାର୍କିଂ କରିବେ ସେ ନେଇ ଯେପରି ଦର୍ଶକମାନଙ୍କର କୌଣସି ଅସୁବିଧା ନ ହୁଏ ସେଥିପାଇଁ ବିଏମ୍‌ସି ପକ୍ଷରୁ ଷ୍ଟାଡିୟମ ଆଖପାଖ ଅଞ୍ଚଳରେ ହୋର୍ଡିଂ ଲଗାଇବାକୁ କମିଶନରେଟ୍‌ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧ରୁ ପ୍ରତ୍ୟହ ୨ଟି ଲେଖାଏ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଖୁରାନିଆ ସୂଚନା ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri