ମହିଳା ଏସିଆ କପ୍‌ ହକି: ଫାଇନାଲରେ ଭାରତ


କାକାମିଗାହାରା (ଜାପାନ), ୩।୧୧- ଭାରତୀୟ ମହିଳା ହକି ଦଳ ଏଠାରେ ଚାଲିଥିବା ଏସିଆ କପ୍‌ ହକି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ୨ୟ ସେମିଫାଇନାଲ୍‌ରେ ଭାରତୀୟ ଦଳ ଜାପାନକୁ ୪-୨ ଗୋଲ୍‌ରେ ପରାସ୍ତ କରି ଏହି ସଫଳତା ପାଇଛି। ବିଜୟୀ ଦଳ ପାଇଁ ଗୁରଜିତ କୌର (୭ମ, ୯ମ ମିନିଟ୍‌) ୨ଟି ଗୋଲ୍‌ ଦେଇଥିବା ବେଳେ ନବଜୋତ କୌର (୯ମ) ଓ ଲାଲରେମସିଆମି (୩୮ତମ) ଗୋଟିଏ ଲେଖାଏ ଗୋଲ୍‌ କରିଥିଲେ। ଟିମ୍‌ ଇଣ୍ଡିଆ ୪ର୍ଥ ପାଇଁ ଫାଇନାଲରେ ପ୍ରବେଶ କରିଛି। ଏଥିପୂର୍ବରୁ କେବଳ ୨୦୦୪ ସଂସ୍କରଣରେ ଭାରତ ଚାମ୍ପିୟନ୍‌ ହୋଇଥିବା ବେଳେ ୨୦୦୯, ୧୯୯୯ରେ ରନର୍ସ ଅପ୍‌ରେ ସନ୍ତୁଷ୍ଟ ରହିଥିଲା। ରାନୀ ରାମପାଲଙ୍କ ନେତୃତ୍ୱାଧୀନ ଦଳ ରବିବାର ଖେଳାଯିବାକୁ ଥିବା ଟାଇଟଲ ମୁକାବିଲାରେ ଚାଇନାକୁ ଭେଟିବ। ଟୁର୍ନାମେଣ୍ଟରେ ଅପରାଜେୟ ଧାରା ବଜାୟ ରଖିଥିବା ଭାରତ ମ୍ୟାଚ୍‌ ଆରମ୍ଭରୁ ହିଁ ପ୍ରତିପକ୍ଷ ଦଳର ଡିଫେନ୍ସ ଉପରେ କ୍ରମାଗତ ଆକ୍ରମଣ କରିଥିଲା। ଫଳରେ ପୂର୍ବ ଚାମ୍ପିୟନ୍‌ ଦଳ ମାତ୍ର ୧୦ ମିନିଟ୍‌ ମଧ୍ୟରେ ୩-୦ ଗୋଲ୍‌ର ଅଗ୍ରଣୀ ହାସଲ କରି ନେଇଥିଲା। ମ୍ୟାଚ୍‌ର ୭ମ ମିନିଟ୍‌ରେ ଦଳକୁ ମିଳିଥିଲା ପ୍ରଥମ ପେନାଲ୍ଟି କର୍ନର, ଯାହାକୁ ଗୁରଜିତ ଗୋଲ୍‌ରେ ପରିଣତ କରିଥିଲେ। ଏହାର ୨ ମିନିଟ୍‌ ପରେ ନବଜୋତ ଓ ଗୁରଜିତ ଗୋଟିଏ ଲେଖାଏ ଫିଲ୍ଡ ଗୋଲ୍‌ ମାରିଥିଲେ। ଜବାବରେ ଜାପାନ ପକ୍ଷରୁ ୟୁଇ ଇଶିବାଶି (୧୧ତମ ଓ ୧୭ତମ) ଦୁଇଟି ଗୋଲ୍‌ ସ୍କୋର କରି ମ୍ୟାଚ୍‌ରେ ଭାରତର ଅଗ୍ରଣୀ ବ୍ୟବଧାନକୁ ହ୍ରାସ କରାଇଥିଲେ। ଏହି ସ୍କୋର ଲାଇନ୍‌ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଜାରି ରହିଥିଲା। ତୃତୀୟ କ୍ୱାର୍ଟର ତଥା ୩୮ତମ ମିନିଟ୍‌ରେ ଲାଲରେମସିଆମି ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗୋଲ୍‌ ଦେଇଥିଲେ। ଏହା ଥିଲା ଚଳିତ ଟୁର୍ନାମେଣ୍ଟରେ ତାଙ୍କର ପ୍ରଥମ ଗୋଲ୍‌। ଏହିଠାରୁ ଘରୋଇ ଖେଳାଳିଙ୍କ ବହୁ ଉଦ୍ୟମ ସତ୍ତ୍ୱେ ମ୍ୟାଚ୍‌ର ସ୍କୋର ଲାଇନ୍‌ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା। ଆସନ୍ତା ୫ ତାରିଖରେ ଖେଳାଯିବାକୁ ଥିବା ଫାଇନାଲ ତଥା ଟୁର୍ନାମେଣ୍ଟର ବିଜେତା ଦଳ ୨୦୧୮ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri