ରଣଜୀ ଟ୍ରଫି: ପରାଜୟ ଆଶଙ୍କାରେ ଓଡ଼ିଶା


ଭୁବନେଶ୍ୱର, ୩।୧୧(କ୍ରୀଡ଼ା ପ୍ରତିନିଧି)- କିଟ୍‌ ଷ୍ଟାଡିୟମରେ ଚାଲିଥିବା ବମ୍ବେ ବିପକ୍ଷ ରଣଜୀଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପରାଜୟ ଆଶଙ୍କାରେ ରହିଛି। ବମ୍ବେ ପକ୍ଷରୁ ୪୧୩ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଶୁକ୍ରବାର ୪ର୍ଥ ଦିନ ଖେଳ ଶେଷସୁଦ୍ଧା ଓଡ଼ିଶା ୯୩ ରନ ମଧ୍ୟରେ ୪ଟି ଉଇକେଟ ହରାଇ ସାରିଛି। ସନ୍ଦୀପ ପଟ୍ଟନାୟକ(୩), ନଟରାଜ ବେହେରା(୨୧) ପୁଣି ଫେଲ୍‌ ମାରିଥିବାବେଳେ ଶୁଭ୍ରାଂଶୁ ସେନାପତି ୧୩ ରନରେ ଓ ଦୀପକ ବେହେରା ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଛନ୍ତି। ଅଧିନାୟକ ଗୋବିନ୍ଦ ପୋଦ୍ଦାର ୪୮ ଓ ନବାଗତ ଶାନ୍ତନୁ ମିଶ୍ର ୪ ରନରେ ଅପରାଜିତ ରହିଛନ୍ତି। ଶନିବାର ଅନ୍ତିମ ଦିବସରେ ପୋଦ୍ଦାର କେତେ ସମୟ କ୍ରିଜରେ ତିଷ୍ଠିବେ ଏବଂ ବିପ୍ଳବ ସାମନ୍ତରାୟଙ୍କ ଖେଳ ଉପରେ ଓଡ଼ିଶାର ଭାଗ୍ୟ ନିର୍ଭର କରିବ। ହାତରେ ୬ ଉଇକେଟ ବାକିଥିବାବେଳେ ବିଜୟ ପାଇଁ ଓଡ଼ିଶା ଆହୁରି ୩୨୦ ରନ ଆବଶ୍ୟକ କରୁଛି। ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ପ୍ରଥମ ଇନିଂସରେ ମାତ୍ର ୧୪୫ ରନ କରିଥିବା ଓଡ଼ଶା ପାଇଁ ଏହା ଅତ୍ୟନ୍ତ କଷ୍ଟକର ମନେ ହେଉଛି। କ୍ରମାଗତ ବ୍ୟାଟିଂ ବିଫଳତା ଓଡ଼ିଶା ପାଇଁ ବିପଦ ଡାକି ଆଣିଛି। ପୂର୍ବ ୨ଟି ମ୍ୟାଚରୁ ୧ ପଏଣ୍ଟ ଲେଖାଏ ପାଇଥିବା ଓଡ଼ିଶା ପାଇଁ ଏଠାରେ ମ୍ୟାଚ ବଞ୍ଚାଇବା ଅସମ୍ଭବ ହୋଇ ପଡ଼ିଛି। ବିକାଶ ଗ୍ରାଉଣ୍ଡରେ ତ୍ରିପୁରା ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବାବେଳେ ଉଭୟ ଦଳ ଗୋଟିଏ ଲେଖାଏ ଇନିଂସ ଖେଳିବା ସମ୍ଭବ ହୋଇ ନ ଥିଲା। ବିଜୟନଗରମରେ ଅନୁଷ୍ଠିତ ଆନ୍ଧ୍ରପ୍ରଦେଶ ବିପକ୍ଷ ମ୍ୟାଚକୁ ଓଡ଼ିଶା କଷ୍ଟରେ ଡ୍ର ରଖିବାରେ ସକ୍ଷମ ହୋଇଥିବାରୁ ପ୍ରଥମ ଇନିଂସ ପଛୁଆ ଭିତ୍ତିରେ ୧ ପଏଣ୍ଟରେ ସନ୍ତୁଷ୍ଟ ହୋଇଥିଲା। ୪୧୨ ରନରେ ଅଗ୍ରଣୀ : ଦ୍ୱିତୀୟ ଦିବସର ଅସମାପ୍ତ ସ୍କୋର ୫୮/୩ରୁ ଖେଳ ଆରମ୍ଭ କରିଥିବା ବମ୍ବେ ଦ୍ୱିତୀୟ ଇନିଂସରେ ଆକର୍ଷଣର କେନ୍ଦ୍ରରେ ରହିଥିଲେ ସିଦ୍ଧେଶ ଲାଡ୍‌। କିଟ୍‌ ଗ୍ରାଉଣ୍ଡ ପିଚ୍‌ରେ ତିଷ୍ଠି ରହି ଶଟ୍‌ ଖେଳିବା କଷ୍ଟସାଧ୍ୟ ହେଉଥିବାବେଳେ ସିଦ୍ଧେଶ ଆତ୍ମବିଶ୍ୱାସର ସହ ଖେଳି ହାସଲ କରିଥିଲେ ଚଳିତ ସିଜନର ପ୍ରଥମ ଏବଂ କ୍ୟାରିୟରର ୫ମ ପ୍ରଥମଶ୍ରେଣୀ ଶତକ। ବମ୍ବେ ଏକଦା ୮୫ ରନ ମଧ୍ୟରେ ୬ଟି ଉଇକେଟ ହରାଇ ସାରିଥିଲା। ମାତ୍ର ସିଦ୍ଧେଶ ଷ୍ଟ୍ରୋକପୂର୍ଣ୍ଣ ଇନିଂସ ଖେଳି ୭ମ ଉଇକେଟରେ ଅଭିଷେକ ନାୟାରଙ୍କ ସହ ୫୭, ୮ମ ଉଇକେଟ ଯୋଡ଼ିରେ ଆକାଶ ପାର୍କରଙ୍କ ସହ ୭୬ ଏବଂ ୯ମ ଉଇକେଟରେ ଶାର୍ଦ୍ଦୁଳ ଠାକୁରଙ୍କ ସହ ୪୨ ରନର ଭାଗୀଦାରି ଗଢ଼ି ବମ୍ବେର ଅଗ୍ରଣୀ ବ୍ୟବଧାନକୁ ୪୦୦ ଅତିକ୍ରମ କରାଇଥିଲେ। ସିଦ୍ଧେଶଙ୍କ ଶତକ ବଳରେ ବମ୍ବେ ଏହାର ଦ୍ୱିତୀୟ ଇନିଂସକୁ ୨୬୮/୯ରେ ଘୋଷଣା କରିବାକୁ ସକ୍ଷମ ହୋଇଥିଲା। ୧୩୨ ବଲ୍‌ରୁ ଶତକ ପୂରଣ କରିଥିବା ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ୨୩୧ ମିନିଟ କ୍ରିଜରେ ରହି ୧୫୩ ବଲ୍‌ରୁ ୧୬ ଚୌକା ଓ ୧ ଛକା ସହାୟତାରେ ୧୧୭ ରନ କରି ଆଉଟ ହୋଇଥିଲେ। ଓଡ଼ିଶାର ବିପ୍ଳବ ସାମନ୍ତରାୟ କଟ୍‌ ଆଣ୍ଡ ବୋଲ୍ଡ କରି ସିଦ୍ଧେଶଙ୍କ ଇନିଂସର ପରିସମାପ୍ତି ଘଟାଇଥିଲେ। ଅନ୍ୟ ବମ୍ବେ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶାର୍ଦ୍ଦୁଳ ଠାକୁର ୨୭ ବଲ୍‌ରୁ ୩୨(୩ ଚୌକା, ୨ ଛକା) ରନ କରି ଅପରାଜିତ ରହିଥିବାବେଳେ ଆକାଶ ପାର୍କର ୨୧ ରନ କରିବାକୁ ସକ୍ଷମ ହୋଇଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି, ବସନ୍ତ ମହାନ୍ତି ଓ ବିପ୍ଳବ ସାମନ୍ତରାୟ ୨ଟି ଲେଖାଏ ଏବଂ ଦୀପକ ବେହେରା ଗୋଟିଏ ଉଇକେଟ ହାସଲ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri