ରଣଜୀ ଟ୍ରଫି: ପୃଥ୍ବୀଙ୍କ ଶତକ, ବସନ୍ତଙ୍କ ୩୦୦ ଉଇକେଟ ପୂରଣ


ଭୁବନେଶ୍ୱର, ୧।୧୧(କ୍ରୀଡ଼ା ପ୍ରତିନିଧି)- କିଟ୍‌ କ୍ରିକେଷ୍ଟ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା-ବମ୍ବେ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ। ବ୍ୟକ୍ତିଗତଭାବେ ପ୍ରଥମ ଦିବସ ଉଭୟ ବମ୍ବେ ଓ ଓଡ଼ିଶା ଖେଳାଳିଙ୍କ ପାଇଁ ସ୍ମରଣୀୟ ହୋଇଛି। ବମ୍ବେର ପ୍ରତିଭା ସମ୍ପନ୍ନ ୧୭ ବର୍ଷୀୟ ଓପନର ପୃଥ୍ବୀ ଶ’ ଶତକ ହାସଲ କରିଥିବାବେଳେ ଓଡ଼ିଶାର ଷ୍ଟ୍ରାଇକର ବୋଲର ବସନ୍ତ ମହାନ୍ତି ପ୍ରଥମ ଶ୍ରେଣୀ କ୍ରିକେଟରେ ୩୦୦ ଉଇକେଟ ପୂରଣ କରିଛନ୍ତି। ଉଭୟ ଖେଳାଳି ପ୍ରଥମ ଦିବସର ସମ୍ମାନ ଭାଗ କରିଥିବାବେଳେ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ବମ୍ବେ ୯୦ ଓଭରରେ ୬ ଉଇକେଟ ହରାଇ ୨୬୪ ରନ ସଂଗ୍ରହ କରିଛି। ବସନ୍ତଙ୍କ ମାଇଲଖୁଣ୍ଟ: ଟସ୍‌ ଜିତି ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ବସନ୍ତ ମହାନ୍ତି ନିଜ ତୃତୀୟ ଓଭରର ପ୍ରଥମ ବଲ୍‌ରେ ଓପନର ଅଖିଳ ହେରଓ୍ବାଦକରଙ୍କୁ ଆଉଟ କରି ବମ୍ବେକୁ ପ୍ରଥମ ଝଟ୍‌କା ଦେଇଥିଲେ। ଏଥିସହ ଦେବାଶିଷ ମହାନ୍ତିଙ୍କ ପରେ ଦ୍ୱିତୀୟ ଓଡ଼ିଆ ବୋଲରଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ୩୦୦ ଉଇକେଟ ପୂରଣ କରିଥିଲେ ଏହି ଅଭିଜ୍ଞ ଦ୍ରୁତ ବୋଲର। ୧୯୮୬ ନଭେମ୍ବର ୨୪ରେ କଟକରେ ଜନ୍ମିତ ବସନ୍ତ ଜୀବନର ୮୧ତମ ପ୍ରଥମଶ୍ରେଣୀ ମ୍ୟାଚରୁ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି। ପୃଥ୍ବୀ ଶ’ଙ୍କ ସହ ଇନିଂସ ଓପନ କରି ୧୭ ବଲ୍‌ରୁ ୩ ଚୌକା ସହାୟତାରେ ୧୪ ରନ କରିଥିବା ହେରଓ୍ବାଦକରଙ୍କୁ କ୍ଲିନ ବୋଲ୍ଡ କରି ବସନ୍ତ ଏହି ସଫଳତା ପାଇଛନ୍ତି। ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ: ହଓ୍ବୋଦକରଙ୍କ ଉଇକେଟ ଶୀଘ୍ର ହରାଇଥିଲେ ହେଁ ପୃଥ୍ବୀ ଓ ଅଭିଜ୍ଞ ଅଜିଙ୍କ୍ୟ ରାହାନେଙ୍କ ଶତକୀୟଭାଗୀଦାରି ବଳରେ ବମ୍ବେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ପ୍ରଥମ ଦିବସ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ବମ୍ବେ ୩୩ ଓଭରରେ ୧ ଉଇକେଟ ହରାଇ ୧୧୯ ରନ କରିଥିଲା। ପ୍ରତିଭା ସମ୍ପନ୍ନ ଓପର ପୃଥ୍ବୀ ଦ୍ୱିତୀୟ ସେସନରେ ଶତକ ହାସଲ କରିଥିଲେ। ୧୨୪ ବଲ୍‌ରୁ ସେ ୧୦୦ ରନ ପୂରଣ କରିଥିଲେ। ଏହାଥିଲା ରଣଜୀ ଟ୍ରଫିରେ ପୃଥ୍ବୀଙ୍କର ତୃତୀୟ ଏବଂ ପ୍ରଥମଶ୍ରେଣୀ କ୍ରିକେଟରେ ଚତୁର୍ଥ ଶତକ। ୧୮ ବର୍ଷ ହେବା ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପୃଥ୍ବୀଙ୍କ ଅପେକ୍ଷା କେବଳ ସଚିନ ତେନ୍ଦୁଲକର(୭ ଶତକ) ପ୍ରଥମଶ୍ରେଣୀ କ୍ରିକେଟରେ ଅଧିକ ଶତକ ଅର୍ଜନ କରିଥିଲେ। ଚଳିତ ସିଜନରେ ତାମିଲନାଡ଼ୁ ବିପକ୍ଷରେ ମଧ୍ୟ ଶତକ(୧୨୩ ରନ) ହାସଲ କରିଥିବା ପୃଥ୍ବୀ ଏଠାରେ ୧୯୭ ମିନିଟ କ୍ରିଜରେ ରହି ୧୫୩ଟି ବଲ୍‌ର ସାମ୍ନା କରି ୧୮ ଚୌକା ସହାୟତାରେ ୧୦୫ ରନ କରିଥିବାବେଳେ ଲାଇନ୍‌ ମିସ୍‌ କରି ବସନ୍ତ ମହାନ୍ତିଙ୍କ ବଳ୍‌ରେ ଏଲବିଡବଲ୍ୟୁ ଆଉଟ ହୋଇଥିଲେ। ୪୪ତମ ଓଭରରେ ୧୫୬ ରନରେ ବମ୍ବେ ଦ୍ୱିତୀୟ ଉଇକେଟ ହରାଇଥିଲା। ପୃଥ୍ବୀ ଓ ରାହାନେ ଦ୍ୱିତୀୟ ଉଇକେଟରେ ୧୩୬ ରନ ଯୋଗ କରି ବମ୍ବେକୁ ଏକ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର କରାଇଥିଲେ। ମାତ୍ର ପୃଥ୍ବୀଙ୍କ ବିଦାୟ ପରେ ଓଡ଼ିଶା ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଭଲ ଆରମ୍ଭ କରି ବଡ଼ ସ୍କୋର ଆଡ଼କୁ ଆଗଉଥିବା ରାହାନେ ବ୍ୟକ୍ତିଗତ ୪୯ ରନ କରିଥିବାବେଳେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ବଲ୍‌ରେ ଉଇକେଟ କିପର ସୌରଭ ରାଓ୍ବତଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ୨୧୬ ମିନିଟ କ୍ରିଜରେ ରହିଥିବା ରାହାନେ ୧୨୨ଟି ବଲ୍‌ ଖେଳିଥିଲେ ଏବଂ ୮ଟି ଚୌକା ମାରିଥିଲେ। ଚା’ ବିରତି ବେଳକୁ ବମ୍ବେ ୬୦ ଓଭରରେ ୩ ଉଇକେଟ ହରାଇ ୧୮୧ ରନ କରିଥିଲା। ୪ର୍ଥ ଉଇକେଟ ଯୋଡ଼ିରେ ଅର୍ଦ୍ଧଶତକୀୟ ଭାଗୀଦାରି ଗଢ଼ି ସୂର୍ଯ୍ୟକୁମାର ଯାଦବ ଓ ସିେଦ୍ଧେଶ ଲାଡ୍‌ ବମ୍ବେ ଇନିଂସକୁ ଆଗେଇ ନେଇଥିଲେ। ମାତ୍ର ଚା’ ବିରତି ପରେ ବିପ୍ଳବ ସାମନ୍ତରାୟଙ୍କ ଡବଲ ଝଟ୍‌କା ବମ୍ବେକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲା। ଦଳୀୟ ସ୍କୋର ୨୨୬ ଥିବାବେଳେ ସେ ସୂର୍ଯ୍ୟକୁମାର ଯାଦବଙ୍କୁ ଏବଂ ୨୩୧ଥିବାବେଳେ ସିଦ୍ଧେଶଙ୍କୁ ଆଉଟ କରିଥିଲେ। ସୂର୍ଯ୍ୟକୁମାର ୭୮ ବଲ୍‌ରୁ ୨୩(୩ ଚୌକା) ଓ ସିଦ୍ଧେଶ ୭୮ ବଲ୍‌ରୁ ୩୩(୬ ଚୌକା) ରନ କରିବାକୁ ସକ୍ଷମ ହୋଇଥିଲେ। ନିର୍ଭରଯୋଗ୍ୟ ଅଭିଷେକ ନାୟାର ମଧ୍ୟ ବେଶି ସମୟ କ୍ରିଜରେ ତିଷ୍ଠିପାରି ନ ଥିଲେ। ସେ ୧୧ ବଲ୍‌ରୁ ୪ ରନ କରିଥିବାବେଳେ ସ୍ପିନର ଧୀରାଜ ସିଂଙ୍କ ବଲ୍‌ରେ ଆଉଟ ହୋଇଥିଲେ। ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ବମ୍ବେ ଅଧିନାୟକ ଆଦିତ୍ୟ ତାରେ ୬୫ ବଲ୍‌ରୁ ୨୮(୩ ଚୌକା) ଓ ଆକାଶ ପାର୍କର ୨୦ ବଲ୍‌ରୁ ୩ ରନ କରି ଅପରାଜିତ ରହିଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ ଓ ବିପ୍ଳବ ୨ଟି ଲେଖାଏ ଏବଂ ସୂର୍ଯ୍ୟକାନ୍ତ ଓ ଧୀରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଶାନ୍ତନୁ ମିଶ୍ରଙ୍କ ରଣଜୀ କ୍ୟାରିୟର ଆରମ୍ଭ : ଓଡ଼ିଶାର ଶାନ୍ତନୁ ମିଶ୍ର ଏଠାରେ ରଣଜୀ ଟ୍ରଫି କ୍ୟାରିୟର ଆରମ୍ଭ କରିଛନ୍ତି। ବିଜୟନଗରମ୍‌ଠାରେ ଆନ୍ଧ୍ର ପ୍ରଦେଶ ବିପକ୍ଷରେ ଖେଳିଥିବା ଅବିନାଶ ଶାହ ଆହତ ଥିବାରୁ ତାଙ୍କ ସ୍ଥାନରେ ଶାନ୍ତଙ୍କୁ ଚୂଡ଼ାନ୍ତ ଏକାଦଶ ଦଳରେ ସାମିଲ କରାଯାଇଛି। ଏଜ୍‌ ଗ୍ରୁପ ମ୍ୟାଚ ଗୁଡ଼ିକରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଶାନ୍ତନୁଙ୍କୁ ରଣଜୀ କ୍ୟାପ୍‌ ପ୍ରଦାନ କରାଯାଇଛି। କିଟ୍‌ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ କେ.ଏନ.ଅନନ୍ତପଦ୍ମନାଭନ ଓ କେ.ଶ୍ରୀନିବାସନ ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଉଥିବାବେଳେ ନୀତୀନ ଗୋଏଲ ମ୍ୟାଚ ରେଫରି ଅଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri