ନେହେରାଙ୍କୁ ବିଜୟ ଭେଟି


ନୂଆଦିଲ୍ଲୀ, ୧।୧୧(ପି.ଟି.)- ଆଶିଷ ନେହେରାଙ୍କୁ ସମ୍ପୂର୍ଣ୍ଣ ଷ୍ଟାଇଲ୍‌ରେ ବିଦାୟ ଦେଇଛି ଟିମ୍‌ ଇଣ୍ଡିଆ। ବୁଧବାର ଅନୁଷ୍ଠିତ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୫୩ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥିସହିତ ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା ଜଣାଇଛନ୍ତି ଏହି ବାମହାତୀ ଦ୍ରୁତ ବୋଲର। ଭାରତ ପକ୍ଷରୁ ଧାର୍ଯ୍ୟ ୨୦୩ ରନ ବିଜୟ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୮ ଉଇକେଟ ହରାଇ ୧୪୯ ରନ କରିବାକୁ ସକ୍ଷମ ହୋଇଥିଲା। ବିଦାୟୀ ମ୍ୟାଚରେ ନେହେରାଙ୍କୁ ସମ୍ମାନ ଜଣାଇ ବୋଲିଂ ଓପନ କରାଇଥିଲେ ଅଧିନାୟକ ବିରାଟ କୋହଲି। ଅନ୍ତିମ ଓଭର ମଧ୍ୟ ତାଙ୍କୁ ପ୍ରଦାନ କରିଥିଲେ। ନିଜ ୪ ଓଭର ସ୍ପେଲ ମଧ୍ୟରେ ନେହେରା କୌଣସି ଉଇକେଟ ପାଇ ନ ଥିଲାବେଳେ ୨୯ ରନ ବ୍ୟୟ କରିଥିଲେ। ଏହି ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ବଡ଼ ସ୍କୋରର ପିଛା କରିଥିବା ନ୍ୟୁଜିଲାଣ୍ଡ ଦ୍ୱିତୀୟ ଓଭରରେ ବିସ୍ଫୋରକ ଓପନର ମାର୍ଟିନ ଗୁପ୍‌ଟିଲ(୪)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆଶିଷ ନେହେରାଙ୍କ ସହ ବୋଲିଂ ଓପନର କରିଥିବା ସ୍ପିନର ୟୁଜବେନ୍ଦ୍ର ଚହଲ ପାଇଥିଲେ ଗୁପ୍‌ଟିଲଙ୍କ ଉଇକେଟ। ଅନ୍ୟତମ ଓପନର କଲିନ ମୁନ୍‌ରୋ ମଧ୍ୟ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ସେ ୮ ବଲ୍‌ରୁ ୭ ରନ କରି ଭୁବନେଶ୍ୱର କୁମାରଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇ ଯାଇଥିଲେ। ଫଳରେ ନ୍ୟୁଜିଲାଣ୍ଡ ସ୍କୋର ୧୮/୨ ହୋଇ ଯାଇଥିଲା। ଟପ୍‌ ଅର୍ଡରରେ ଅଧିନାୟକ କେନ୍‌ ଓ୍ବିଲିୟମସନ ଭଲ ଆରମ୍ଭ କରିଥିଲେ ମଧ୍ୟ ୨୪ ବଲ୍‌ରୁ ୨୮ (୧ ଚୌକା, ୧ ଛକା)ରନ କରିଥିବାବେଳେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବଲ୍‌ରେ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କୁ କ୍ୟାଚ ଦେଇ କ୍ରିଜ୍‌ ଛାଡ଼ିଥିଲେ। ମିଡିଲ ଅର୍ଡରରେ ଟମ୍‌ ଲାଥାମ ଓ ଟମ୍‌ ବ୍ରୁସ ସତର୍କତାର ସହ ବ୍ୟାଟିଂ କରିଥିଲେ ହେଁ ବଡ଼ ଭାଗୀଦାରି ପାଇ ନ ଥିଲେ। ବ୍ରୁସ ୧୦ ବଲ୍‌ରୁ ୧୦ ରନ କରି ଅକ୍ଷର ପଟେଲଙ୍କ ଶିକାର ବନିଥିଲେ। ଅକ୍ଷର ୩ ବଲ୍‌ ବ୍ୟବଧାନରେ ୨ଟି ଉଇକେଟ ନେଇ ଭାରତର ବୃହତ୍‌ ବ୍ୟବଧାନ ବିଜୟକୁ ନିଶ୍ଚିତ କରିଥିଲେ। ସେ ନିଜ ୪ର୍ଥ ଓଭରର ୪ର୍ଥ ବଲ୍‌ରେ ବ୍ରୁସଙ୍କୁ ଆଉଟ କରିଥିବାବେଳେ ୬ଷ୍ଠ ବଲ୍‌ରେ କଲିନ ଡି’ ଗ୍ରାଣ୍ଡହୋମ(୦)ଙ୍କୁ ଆଉଟ କରି ନ୍ୟୁଜିଲାଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଦଳ ପକ୍ଷରୁ ଟମ୍‌ ଲାଥାମ ସର୍ବାଧିକ ୩୯(୩୬ ବଲ, ୩ ଚୌକା, ୧ ଛକା) ରନ ସ୍କୋର କରିଥିଲେ। ରେକର୍ଡ ଭାଗୀଦାରି ଟସ୍‌ ଜିତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଏହାକୁ ଚ୍ୟାଲେଞ୍ଜଭାବେ ଗ୍ରହଣ କରି ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନ ରେକର୍ଡ ଭାଗୀଦାରି ଗଢ଼ି ଭାରତ ପାଇଁ ବଡ଼ ସ୍କୋରର ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ୮୦ ରନ ଲେଖାଏ କରିଥିବା ଏହି ଦୁଇ ଖେଳାଳି ଓପନିଂ ଯୋଡ଼ିରେ ୧୫୮ ରନ ସଂଗ୍ରହ କରିଥିଲେ। ଟି୨୦ରେ କୌଣସି ଉଇକେଟ ଯୋଡ଼ିରେ ଭାରତ ପାଇଁ ଏହାଥିଲା ସର୍ବାଧିକ ସ୍କୋର। ପୂର୍ବରୁ ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିରାଟ କୋହଲି ଓ ରୋହିତ ଶର୍ମା ୧୩୮ ରନର ଭାଗୀଦାରି ଗଢ଼ି ରେକର୍ଡର ଅଧିକାରୀ ଥିଲେ। ନ୍ୟୁଜିଲାଣ୍ଡ ବୋଲରଙ୍କୁ ଧୂଲେଇ କରି ଆକ୍ରମଣାତ୍ମକ ଖେଳିଥିବା ରୋହିତ ଓ ଧାଓ୍ବନ ୧୬.୨ ଓଭରରେ ୧୫୮ ରନ ସଂଗ୍ରହ କରିବାପରେ ପ୍ରଥମ ଉଇକେଟର ପତନ ଘଟିଥିଲା। ୫୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଧାଓ୍ବନ ୧୦ ଚୌକା ଓ ୨ ଛକା ସହାୟତାରେ ୮୦ ରନ କରିଥିବାବେଳେ ଈଶ୍‌ ସୋଧୀଙ୍କ ବଲ୍‌ରେ ଉଇକେଟ କିପର ଟମ୍‌ ଲାଥାମଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୦) ଖାତା ଖୋଲିବା ପୂର୍ବରୁ ସୋଧୀଙ୍କ ଦ୍ୱିତୀୟ ଶିକାର ବନିଥିଲେ। ରୋହିତ ଶର୍ମା ୫୫ ବଲ୍‌ରୁ ୬ ଚୌକା ଓ ୪ ଛକା ସହାୟତାରେ ୮୦ ରନ କରି ୧୯ତମ ଓଭରର ଶେଷ ବଲ୍‌ରେ ଆଉଟ ହୋଇଥିଲେ। ଅଧିନାୟକ ବିରାଟ କୋହଲି ୨୬(୧୧ ବଲ, ୩ ଛକା) ଓ ମହେନ୍ଦ୍ର ସିଂ ଧୋନୀ ୩ ବଲ୍‌ରୁ ୭(୧ ଛକା) ରନରେ ଅପରାଜିତ ରହିବାରୁ ଭାରତ ୨୦ ଓଭରର ୩ ଉଇକେଟ ହରାଇ ୨୦୨ ରନ ସଂଗ୍ରହ କରି ପାରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ସୋଧୀ ୨ଟି ଓ ବୋଲ୍ଟ ଗୋଟିଏ ଉଇକେଟ ପାଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri