ଫିଫା ବିଶ୍ୱକପ୍‌ ପଦାର୍ପଣ ମ୍ୟାଚ୍‌ରେ ଆମେରିକାକୁ ଭେଟିବ ଭାରତ


ନୂଆଦିଲ୍ଲୀ, ୫।୧୦(ପି.ଟି.)- ସମ୍ମାନଜନକ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଶୁକ୍ରବାରଠାରୁ ଭାରତରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ଆୟୋଜକ ଦେଶଭାବେ ଭାରତ ବିଶ୍ୱକପ୍‌ରେ ଖେଳିବାର ସୁଯୋଗ ପାଇଛି। ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଉଦ୍‌ଘାଟନୀ ଦିବସରେ ଶକ୍ତିଶାଳୀ ଆମେରିକାକୁ ଭେଟିବ। ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ଆୟୋଜିତ କୌଣସି ଇଭେଣ୍ଟରେ ଭାରତର ଏହା ପଦାର୍ପଣ ମ୍ୟାଚ୍‌ ହେବ। ଏହି ବହୁପ୍ରତୀକ୍ଷିତ ପ୍ରତିଯୋଗିତା ଲାଗି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଭାରତୀୟ ଖେଳାଳିମାନଙ୍କୁ ଟ୍ରେନିଂ ଲାଗି ୟୁରୋପ ଗସ୍ତରେ ପଠାଇଥିଲା। ସେହିପରି ମେକ୍ସିକୋ ଗସ୍ତରେ ଯାଇ ଭାରତୀୟ ଯୁବ ଖେଳାଳିମାନେ ସେଠାରେ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଗ୍ରୁପ୍‌-ଏ’ରେ ଆୟୋଜକ ଭାରତ ସମେତ ଆମେରିକା, ଘାନା ଓ କଲମ୍ବିଆ ରହିଛନ୍ତି। ସ୍ଥାନୀୟ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଭାରତ ତା’ର ଲିଗ ପର୍ଯ୍ୟାୟର ୩ଟି ଯାକ ମ୍ୟାଚ୍‌ ଖେଳିବ। ଆମେରିକାର ଅଧିକାଂଶ ଖେଳାଳି ନାମୀଦାମୀ ଯୁଥ୍‌ ଟୁର୍ନାମେଣ୍ଟ ଖେଳିବାର ଅଭିଜ୍ଞତା ରଖିଛନ୍ତି। ସେହପରି ଦଳର କେତେକ ଖେଳାଳି ଟପ୍‌ ୟୁରୋପୀୟ କ୍ଲବ ତରଫରୁ ମଧ୍ୟ ପ୍ରତିନିଧିତ୍ୱ କରିସାରିଛନ୍ତି। ତେବେ ଅମରଜିତ୍‌ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଘରୋଇ ପରିବେଶରେ ଏହି ପ୍ରତିଯୋଗିତା ଖେଳିବାକୁ ଯାଉଥିବାରୁ ଭାରତକୁ ଅଣ୍ଡରଡଗ୍‌ ବିବେଚନା କରାଯାଉଛି। ଲୁଇସ୍‌ ନର୍ଟନ ଡି ମାର୍ଟୋସ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରହିଛନ୍ତି। ଚଳିତବର୍ଷ ଫେବୃୟାରୀରେ ବିବାଦୀୟ ଘଟଣାକ୍ରମେ ଜର୍ମାନୀର ନିକୋଲାଇ ଆଡାମ କୋଚ୍‌ ପଦରୁ ଇସ୍ତଫା ଦେବା ପରେ ଲୁଇସ୍‌ ୭ ମାସ ହେବ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ୱ ତୁଲାଇ ଆସୁଛନ୍ତି। ପ୍ରତିଯୋଗିତାରେ ୨୪ଟି ଦେଶ ଅଂଶଗ୍ରହଣ କରୁଥିବାବେଳେ ସେମାନଙ୍କୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଭାରତରେ ପ୍ରଥମଥର ଲାଗି ଏକ ଫିଫା ଇଭେଣ୍ଟ ଅନୁଷ୍ଠିତ ହେଉଥିବା ବେଳେ ଦେଶର ୬ଟି ସହରର ୬ଟି ଷ୍ଟାଡିୟମରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ଅକ୍ଟୋବର ୨୮ରେ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri