ଭାରତ ବନାମ ଅଷ୍ଟ୍ରେଲିଆ:ନମ୍ବର ଓ୍ବାନ ପାଇଁ ଲଢ଼େଇ


ମାଡ୍ରାସ, ୧୩।୯-ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ। ଏହାପରେ ଭ୍ରମଣକାରୀ ଦଳ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଭାରତ ଓ ଅଷ୍ଟ୍ରେଲିଆ ଆନ୍ତର୍ଜାତିକ କ୍ରିକେଟରେ ଦୁଇ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀଭାବେ ବେଶ୍‌ ଜଣାଶୁଣା। ଆଗାମୀ ସିରିଜରେ କେବଳ ଶକ୍ତି ପ୍ରଦର୍ଶନ ନୁହେଁ, ର଼୍ୟାଙ୍କିଙ୍ଗରେ ନମ୍ବର ଓ୍ବାନ ସ୍ଥାନ ପାଇଁ ମଧ୍ୟ ଲଢ଼େଇ ହେବ। ଏବେ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ୧୧୭ ଲେଖାଏ ପଏଣ୍ଟ ସହିତ ର଼୍ୟାଙ୍କିଙ୍ଗରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ୧୧୯ ପଏଣ୍ଟ ସହିତ ଦକ୍ଷିଣ ଆଫ୍ରିକା ଶୀର୍ଷସ୍ଥାନ ଅକ୍ତିଆର କରିଛି। ତେବେ ଆଗାମୀ ସିରିଜରେ ଭାରତ କିମ୍ବା ଅଷ୍ଟ୍ରେଲିଆ ମଧ୍ୟରୁ ଯେଉଁ ଦଳ ୪-୧ରେ ସିରିଜ ଜିତିବ ସେ ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇ ନମ୍ବର ଓ୍ବାନ ସ୍ଥାନ ହାସଲ କରି ପାରିବ। ତେଣୁ ଆଗାମୀ ସିରିଜ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ। ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏବଂ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଷ୍ଟିଭ୍‌ ସ୍ମିଥ ଆଧୁନିକ କ୍ରିକେଟରେ ଦୁଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ସମସ୍ତେ ଜାଣନ୍ତି। ମାତ୍ର ଦୁହେଁ ଭଲ ବନ୍ଧୁ ନୁହନ୍ତି ବୋଲି ମଧ୍ୟ ସମସ୍ତେ ଅବଗତ। ଦୁହେଁ ଯେକୌଣସି ଉପାୟରେ ଗେମ୍‌କୁ ନିଜ ସପକ୍ଷକୁ ଆଣିବାକୁ ପସନ୍ଦ କରନ୍ତି। ଭାରତୀୟ ଦଳ ଏବେ ଟପ୍‌ ଫର୍ମରେ ଅଛି। ଏହାର ଘରୋଇ ପରିବେଶରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସ୍ମିଥଙ୍କ ଦଳକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ନିକଟରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ, ଦିନିକିଆ ଓ ଟି୨୦ ସିରିଜକୁ କ୍ଲିନ ସୁଇପ୍‌ କରିଛି ବିରାଟ କୋହଲିଙ୍କ ଦଳ। ମାତ୍ର ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍‌ ଇଣ୍ଡିଆକୁ ଭିନ୍ନ ଧରଣର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ଗତ ଏକ ଦଶନ୍ଧିର ଇତିହାସ ଦେଖିବାକୁ ଗଲେ ୨୦୦୭ରେ ଅଷ୍ଟ୍ରେଲିଆ ୪-୨ରେ ସିରିଜ ଜିତିଥିଲା। ଏହା ଏକ ୭ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଥିଲା। ରିକି ପଣ୍ଟିଂ ୫ମ ଅଧିନାୟକଭାବେ ୧୫୦ ଦିନିକିଆରେ ନେତୃତ୍ୱ ନେବାର ସୌଭାଗ୍ୟ ପାଇଥିଲେ। ଭାରତ ପ୍ରଥମ ୨ଟି ମ୍ୟାଚ ହାରିବା ପରେ ତୃତୀୟ ଗେମ୍‌କୁ ୮ ରନରେ ଜିତିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୧୨ ମ୍ୟାଚ ମଧ୍ୟରୁ ଭାରତର ଏହା ପ୍ରଥମ ବିଜୟ ଥିଲା। ଏହା ପୂର୍ବରୁ ୨୦୦୪ ଜାନୁୟାରୀରେ ଅଷ୍ଟ୍ରେଲିଆକୁ ହରାଇବାକୁ ସମର୍ଥ ହୋଇଥିଲା ଭାରତ। ଏହି ସିରିଜରେ ଆଉ କେତେକ ଘଟଣା ସ୍ମରଣୀୟ ଥିଲା। ସଚିନ ତେନ୍ଦୁଲକର ୭ମ ଥରପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧,୦୦୦ ରନ ପୂରଣ କରିଥିଲେ। ମାଥ୍ୟୁ ହେଡେନ ୭ମ ବ୍ୟାଟ୍ସମ୍ୟାନଭାବେ ସେହିବର୍ଷ ୧,୫୦୦ ରନ ପୂରଣ କରିଥିଲେ। ଆଡାମ ଗିଲକ୍ରିଷ୍ଟ ଦିନିକିଆ କ୍ୟାରିୟରରେ ୪୫୦ ଡିସ୍‌ମିଶାଲ୍ସ ହାସଲ କରିଥିଲେ। ୮ ବର୍ଷ ତଳକୁ ଗଲେ ୨୦୦୯ରେ ସଚିନ ତେନ୍ଦୁଲକର ତାଙ୍କ ଦିନିକିଆ କ୍ୟାରିୟରରେ ଅନ୍ୟତମ ସ୍ମରଣୀୟ ଶତକ ହାସଲ କରିଥିଲେ। ସିରିଜର ୫ମ ମ୍ୟାଚରେ ସେ ୧୪୧ ବଲ୍‌ରୁ ୧୭୫ ରନ ସ୍କୋର କରିଥିଲେ। ଏହା ମଧ୍ୟରେ ୧୭ ଚୌକା ଓ ୪ ଛକା ସାମିଲ ଥିଲା। ତେବେ ହାଇଦ୍ରାବାଦରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ଅଳ୍ପକେ ପରାଜିତ ହୋଇଯାଇଥିଲା। ୭ ମ୍ୟାଚ ବିଶିଷ୍ଟ ସିରିଜ ଶେଷରେ ଅଷ୍ଟ୍ରେଲିଆ ୪-୨ରେ ବିଜୟୀ ହୋଇଥିଲା। ୨୦୧୦ରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଉଭୟ ଦେଶ ମଧ୍ୟରେ ଖେଳାଯାଇଥିଲା। ତେବେ ବର୍ଷା ଯୋଗୁ ସିରିଜ ଗୋଟିଏ ମ୍ୟାଚରେ ସୀମିତ ରହି ଯାଇଥିଲା। ବିଶାଖାପାଟଣାରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ସହଜ ବିଜୟ ହାସଲ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ବିରାଟ କୋହଲି(୧୧୮)ଙ୍କ ଶତକ ଏବଂ ଯୁବରାଜ ସିଂଙ୍କ ୫୮ ରନ ସହାୟତାରେ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରେଲିଆକୁ ହରାଇଥିଲା। ମାଇକେଲ କ୍ଲାର୍କ(୧୧୧*)ଙ୍କ ଅପରାଜିତ ଶତକ ଏବଂ ମାଇକେଲ ହସୀଙ୍କ ୬୯ ଓ କାମେରନ ହ୍ବାଇଟଙ୍କ ୮୯ ରନ ସହାୟତାରେ ଅଷ୍ଟ୍ରେଲିଆ ୨୮୯ ରନର ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା। ୨୦୧୩ରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତ କରି ୭ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା। ଏହି ସିରିଜରେ ବିପୁଳ ରନ ସ୍କୋର ହୋଇଥିଲା। ତେବେ ଭାରତ ୩-୨ରେ ସିରିଜ ଜିତିବାକୁ ସକ୍ଷମ ହୋଇଥିଲା। ଗୋଟିଏ ମ୍ୟାଚ ବାତିଲ ହୋଇଥିବାବେଳେ ଅନ୍ୟଟିରୁ ଫଳାଫଳ ମିଳି ନ ଥିଲା। ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଥିଲେ ରୋହିତ ଶର୍ମା। ବାଙ୍ଗାଲୋର ମ୍ୟାଚରେ ସେ ୧୫୮ ବଲ୍‌ରୁ ୨୦୯ ରନ କରିଥିବାବେଳେ ଏହା ମଧ୍ୟରେ ୧୬ ଛକା ମାରିଥିଲେ। ଏହି ସିରିଜରେ ଭାରତର ଟପ୍‌-୩ ବ୍ୟାଟ୍ସମ୍ୟାନ ୮୩୯ ରନ ସ୍କୋର କରିଥିଲେ। ଏହି ତିନି ବ୍ୟାଟ୍ସମ୍ୟାନ ହେଲେ ରୋହିତ, ଶିଖର ଧାଓ୍ବନ ଓ କୋହଲି। ଏପରି କି ଏହି ସିରିଜରେ ଯୁବରାଜ ସିଂ ୪ଟି ଇନିଂସରେ ମାତ୍ର ୧୯ ରନ କରିଥିଲେ ହେଁ ତାହା ନଜରକୁ ଆସି ନ ଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri