ବାଇକ୍‌ ଚୋରି ର଼୍ୟାକେଟ୍‌ର ପର୍ଦ୍ଦାଫାଶ: ୩ ଗିରଫ, ୧୩ ବାଇକ୍‌ ଜବତ


ଜୟପାଟଣା,୭।୧୨ (ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୟପାଟଣା ପୋଲିସ ବୁଧବାର ଏକ ବାଇକ୍‌ ଚୋରି ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯିବା ସହିତ ୧୩ ବାଇକ୍‌ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ ଜୟପାଟଣା କୈବର୍ତ୍ତପଡ଼ାର ସୁଦାମ ନାଏକଙ୍କ ଘରକୁ ଜୟପାଟଣା ଥାନା ଅଧୀନ ସାନକର୍ଲାକୋଟ ଗ୍ରାମର ଚକ୍ର ନାଏକ, ଛତାପଦର ଗ୍ରାମର ପ୍ରଭୁଲାଲ ନାଗ, ଖଲିଆଭଟା ଗ୍ରାମର ପାର୍ଥ ନାଏକ, ଗୋଡ଼ଭଞ୍ଜା ଗ୍ରାମର ସୁଶାନ୍ତ ବେଣୁପାଣି ଏବଂ ମୈଦଳପୁର ନିକଟ ସେମ୍‌ଲା ଗ୍ରାମର ରିଣ୍ଟୁ ଖୁରା ଏକ ବାଇକ୍‌ ଆଣି ତାଙ୍କୁ କିଣିବାକୁ କହିଥିଲେ। ସର୍ତ୍ତ ଅନୁଯାୟୀ, ସୁଦାମ ତାଙ୍କୁ ପ୍ରଥମେ ୧୦ ହଜାର ଟଙ୍କା ଅଗ୍ରୀମ ଦେଇଥିଲେ, କାଗଜପତ୍ର ଦେବା ପରେ ବାକି ୨୫ ହଜାର ଟଙ୍କା ପ୍ରଦାନ କରିବେ ବୋଲି କଥା ଛିଡ଼ିଥିଲା। ଉକ୍ତ ବାଇକ୍‌ଟି ଚକ୍ର ନାଏକଙ୍କ ବାପାଙ୍କ ନାମରେ ଅଛି ବୋଲି ସେମାନେ କହିଥିଲେ। ଗତ ୧ ତାରିଖରେ ସେହି ଯୁବକମାନେ ସୁଦାମଙ୍କୁ ବାଇକ୍‌ର ସାର୍ଟିଫିକେଟ୍‌ ଅଫ୍‌ ରେଜିଷ୍ଟ୍ରେଶନ୍‌ ଦେଇ ବାକି ୨୫ ହଜାର ଟଙ୍କା ମାଗିଥିଲେ। ସୁଦାମ କାଗଜପତ୍ର ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ଯେ ସାର୍ଟିଫିକେଟ୍‌ ଅଫ୍‌ ରେଜିଷ୍ଟ୍ରେଶନରେ ଥିବା ଇଞ୍ଜିନ୍‌ ନଂ. ଏବଂ ଚେସିସ୍‌ ନଂ. ମୋଟର ସାଇକେଲରେ ଥିବା ଇଞ୍ଜିନ୍‌ ନଂ. ଏବଂ ଚେସିସ୍‌ ନଂ. ସହିତ ମେଳ ଖାଉନାହିଁ। ଏ ନେଇ ତାଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ସୁଦାମ ସେମାନଙ୍କୁ କାଗଜପତ୍ର ମୋ’ ନାଁରେ କରି ଦେବା ପରେ ବାକି ଟଙ୍କା ଦେବି ବୋଲି କହିଥିଲେ। ଏହାସହିତ ତୁରନ୍ତ ସେ ଏ ସମ୍ପର୍କରେ ଜୟପାଟଣା ଥାନା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ସାନକର୍ଲାକୋଟ ଗ୍ରାମର ଚକ୍ର ନାଏକଙ୍କ ମୋବାଇଲ ଫୋନ୍‌କୁ ଟ୍ରାକିଂ କରିଥିଲା। ସମସ୍ତ ତଥ୍ୟ ଜଣାପଡିବା ପରେ ତାଙ୍କୁ ପୋଲିସ ଗିରଫ କରିଥିଲା। ଅଧିକ ଜେରା ପରେ ବାଇକ୍‌ ଚୋରି ର଼୍ୟାକେଟରେ ତାଙ୍କ ସହିତ ପ୍ରଭୁଲାଲ ନାଗ, ପାର୍ଥ ନାଏକ, ସୁଶାନ୍ତ ବେଣୁପାଣି ଏବଂ ରିଣ୍ଟୁ ଖୁରା ସାମିଲ ଥିବା ଚକ୍ର ସ୍ବୀକାର କରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରଭୁଲାଲ ନାଗ, ପାର୍ଥ ନାଏକଙ୍କୁ ଗିରଫ କରିଥିବାବେଳେ ସୁଶାନ୍ତ ବେଣୁପାଣି ଫେରାର ହୋଇଯାଇଥିଲେ। ରିଣ୍ଟୁ ଖୁରା ଅନ୍ୟ ଏକ ଚୋରି ଘଟଣାରେ ସମ୍ପୃକ୍ତ ଥିବାରୁ ମୈଦଳପୁର ପୋଲିସ ତାଙ୍କୁ ଅଟକ ରଖିଛି। ଚକ୍ରଙ୍କଠାରୁ ୪, ପ୍ରଭୁଲାଲଙ୍କ ଠାରୁ ୪,ପାର୍ଥଙ୍କଠାରୁ ୪ ଓ ଅଭିଯୋଗକାରୀ ସୁଦାମ କିଣିଥିବା ବାଇକ୍‌କୁ ପୋଲିସ ଜବତ କରିଛି ବୋଲି ଏକ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଅତିରିକ୍ତ ଏସ୍‌ପି ଅକ୍ଷୟ କୁମାର ଦାସ ଏବଂ ଜୟପାଟଣା ଥାନାଧିକାରୀ ପ୍ରବୀର କିଶୋର ତ୍ରିପାଠୀ କହିଛନ୍ତି। ଏହି ଚଢ଼ାଉରେ ଏସ୍‌.ଆଇ. ସୁରେନ୍ଦ୍ର ଛତ୍ରିଆ(ଏସ୍‌) ଆଇ.ଆର୍‌.ବି.ଏନ୍‌ ର ହାବିଲଦାର ସୁଜିତ କୁମାର ବଛାର, ଏସ୍‌.କେ. ସାହୁ, ଏସ୍‌.କେ. ଦୁର୍ଗା, ଏସ୍‌.କେ. ବେହେରା, ଆର୍‌.ଡ଼ି. ସିଂ, ଏମ୍‌.କେ. ବୈରାଗୀ, ଏସ୍‌.କେ. ସାହୁ, ଡ଼ି. ହରିଜନ ଏବଂ ଭି.କେ. ରାଉତ ପ୍ରମୁଖ ସହଯୋଗ କରିଥିଲେ। ଏ ସମ୍ପର୍କରେ ଜୟପାଟଣା ଥାନା ଏକ ମାମଲା( ନଂ. ୩୦୧/୧୭) ରୁଜୁ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri