୮.୨ କୋଟିର ଧାନ ଆତ୍ମସାତ ଘଟଣା: ସିଏସ୍‌ଓ, ଏସିଏସ୍‌ଓଙ୍କୁ ନିଲମ୍ବନ ପାଇଁ ସୁପାରିସ


ଝାରସୁଗୁଡ଼ା ଅଫିସ,୭।୧୨- ଝାରସୁଗୁଡ଼ା ପଣ୍ଡରୀପଥରସ୍ଥିତ ବଜରଙ୍ଗବାଲି ରାଇସ୍‌ ମିଲ୍‌ ଦ୍ୱାରା ୮.୨ କୋଟି ଟଙ୍କାର ଧାନ ଆତ୍ମସାତ ଘଟଣାରେ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। କର୍ତ୍ତବ୍ୟରେ ଅବହେଳା କରିଥିବା ଝାରସୁଗୁଡ଼ା ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ପି.ଡି.ଏମ୍‌. ଖୋସଲା ଓ ସହକାରୀ ଯୋଗାଣ ଅଧିକାରୀ (ଏସିଏସ୍‌ଓ) ସନ୍ଦିପ କୁମାର ଗୁରୁଙ୍କୁ ନିଲମ୍ବନ କରିବାକୁ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ନାୟକ ସୁପାରିସ କରିଛନ୍ତି। ଏ ନେଇ ନିର୍ଦ୍ଦେଶକ ନାୟକ ବୁଧବାର ଚିଠି ସଂଖ୍ୟା-୨୦୭୪୬ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବଙ୍କୁ ସୁପାରିସ କରିଛନ୍ତି। ଉଭୟ ଅଧିକାରୀ କର୍ତ୍ତବ୍ୟରେ ଗୁରୁତର ଅବହେଳା କରିଥିବା ଯୋଗୁ ମିଲ୍‌ ମାଲିକ ଦିଲୀପ ଅଗ୍ରୱାଲ ୮.୨ କୋଟି ଟଙ୍କାର କଷ୍ଟମ ମିଲିଂ ଧାନ ଆତ୍ମସାତ କରିଛନ୍ତି। ଏପରିକି ଅଗ୍ରୱାଲ ଦେଇଥିବା ୧.୫ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ମଧ୍ୟରୁ ୧.୧ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ନକଲି। ଉଭୟ ମାମଲାରେ ଜିଲା ଯୋଗାଣ ଅଧିକାରୀଙ୍କ ଗୁରୁତର ଅବହେଳା ଯୋଗୁ ସରକାରଙ୍କ କୋଟି କୋଟି ଟଙ୍କା ଆତ୍ମସାତ ହୋଇଛି। ଏହି ମାମଲାରେ ବରିଷ୍ଠ ଆକାଉଣ୍ଟସ୍‌ ସୁପରଭାଇଜରଙ୍କୁ ନିଲମ୍ବନ କରାଯାଇଥିବାବେଳେ ଏହିଦୁଇ ଅଧିକାରୀଙ୍କ ନିଲମ୍ବନ ନିଗମ କର୍ତ୍ତୃତ୍ୱାଧୀନ ନୁହେଁ। ତେଣୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଉଭୟ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ନିଗମ ସୁପାରିସ କରିଛନ୍ତି। ନିଗମ ପରିଚାଳନା ନିର୍ଦ୍ଦେଶକ ନାୟକ ଚିଠିରେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ବଜରଙ୍ଗବାଲି ରାଇସ୍‌ ମିଲ୍‌ ନିୟମିତ ଚାଉଳ ଯୋଗାଣ କରିବାରେ ବିଫଳ ହୋଇଥିଲା। ଫଳରେ ନିଗମ ପକ୍ଷରୁ ବାରମ୍ବାର ଚିଠି ଜରିଆରେ ଓ ବ୍ୟକ୍ତିଗତ ଭାବେ ସେ ନିଜେ ଜିଲା ଯୋଗାଣ ଅଧିକାରୀଙ୍କୁ ଧାନ ଫେରାଇ ଆଣିବାକୁ କହିଥିଲେ। କିନ୍ତୁ ଜିଲା ଯୋଗାଣ ବିଭାଗ କର୍ଣ୍ଣପାତ ନ କରିବା ଯୋଗୁ ଏଭଳି ପରିଣତି ସୃଷ୍ଟି ହୋଇଛି। କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ସରକାରୀ ଅଧିକାରୀଙ୍କୁ ନିଲମ୍ବନ କରାଯାଉଥିବାବେଳେ ୮.୨ କୋଟି ଟଙ୍କାର ଧାନ ଆତ୍ମସାତ ଓ ୧.୧ କୋଟି ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇଥିବା ମିଲ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ କରି ନିଗମ ଚୁପ୍‌ ରହିଛି କାହିଁକି ବୋଲି ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ, ୨୦୧୬-୧୭ ଖରିଫ୍‌ରେ କଷ୍ଟମ ମିଲିଂ ପାଇଁ ଝାରସୁଗୁଡ଼ା ବଜରଙ୍ଗବାଲି ରାଇସ ମିଲକୁ ବିଭିନ୍ନ ପ୍ୟାକ୍ସରୁ ୭୯,୩୮୮.୬୭ କୁଇଣ୍ଟାଲ ଧାନ ଦିଆଯାଇଥିଲା। ଏହା ବଦଳରେ ମିଲ ମାଲିକ ଯୋଗାଣ ବିଭାଗକୁ ୫୩୯୮୪.୩୦ କୁଇଣ୍ଟାଲ ଚାଉଳ ପ୍ରଦାନ କରିବା କଥା। ନିୟମ ଅନୁସାରେ ସେପ୍ଟେମ୍ବର ୩୦ ସୁଦ୍ଧା ବିଭାଗ ନିକଟରେ ଚାଉଳ ଦାଖଲ କରାଯିବା କଥା। ହେଲେ ମିଲ ମାଲିକ ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ମାତ୍ର ୧୯୪୦୯.୪୯ କୁଇଣ୍ଟାଲ ଚାଉଳ ଯୋଗାଣ କରିଛନ୍ତି। ମିଲ ମାଲିକ ଅଗ୍ରୱାଲ ୫୦,୮୪୫ କୁଇଣ୍ଟାଲ ଧାନ ହେରଫେର କରିଥିବା ସଂକ୍ରାନ୍ତରେ ତଥ୍ୟଭିତ୍ତିକ ଖବର ନଭେମ୍ବର ୯ରେ ପ୍ରଥମେ ଧରିତ୍ରୀରେ ପ୍ରକାଶିତ ହୋଇଥିଲା। ଏହା ପରେ ବାରମ୍ବାର ଖବର ପ୍ରସାରଣ ପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅବଶିଷ୍ଟ ଧାନ ବାବଦ ୩୪୫୭୪.୮୧ କୁଇଣ୍ଟାଲ ଚାଉଳ ମିଲ ମାଲିକ ଯୋଗାଣ ବିଭାଗକୁ ଦେଇନାହାନ୍ତି। ଫେରାଇ ନ ଥିବା କଷ୍ଟମ୍‌ ମିଲିଂ ବାବଦ ୫୦୮୪୫.୩୦ କୁଇଣ୍ଟାଲ ଧାନର ମୂଲ୍ୟ ୮.୨ କୋଟି ଟଙ୍କା ହୋଇଥିବାବେଳେ ମିଲ ମାଲିକ ୧.୧ କୋଟି ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ଫେରାର ହୋଇଯାଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri