ପିତାମହଲ ଗଣବଳାତ୍କାର ମାମଲା: ୫ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ


ରାଉରକେଲା ଅଫିସ,୬।୧୨-ବହୁଚର୍ଚ୍ଚିତ ପିତାମହଲ ଗଣବଳାତ୍କାର ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ରାଉରକେଲା ପ୍ରଥମ ଶ୍ରେଣୀ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ଶ୍ରୀନିବାସ ପ୍ରତିହାରୀ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ବଲଣ୍ଡାର କାଳିଆ ଓରାମ, ସୁରେଶ ଡୁଙ୍ଗଡୁଙ୍ଗ, ପ୍ରକାଶ ଲାକ୍ରା, ସନ୍ତୋଷ ସେଠ୍‌ ଓ ବିରଞ୍ଚି ମାଝି। ସମସ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡରେ କୋର୍ଟ ଦଣ୍ଡିତ କରିଛନ୍ତି। ଏଥିସହ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜରିମାନା ଅର୍ଥ ପୀଡ଼ିତାଙ୍କୁ ପ୍ରଦାନ କରାଯିବ ବୋଲି ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ୨୦୧୬ ନଭେମ୍ବର ୧୬ ଅପରାହ୍ନରେ ବୀରମିତ୍ରପୁର ଧାଙ୍ଗିଡ଼ିନଚା ଗ୍ରାମର ଏକ ଦମ୍ପତି ପିତାମହଲ ଡ୍ୟାମ୍‌ ବୁଲିବାକୁ ଯାଇଥିଲେ। ଏହି ଡ୍ୟାମ୍‌ ନିକଟରେ ତଟକା ମାଛ ବିକ୍ରି ହେଉଥିବାରୁ ଦମ୍ପତି ମାଛ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ସେଠାରେ ବସିଥିଲେ। କେଉଁଠି ଭଲ ମାଛ ମିଳିବ ବୋଲି ଦମ୍ପତି ସେମାନଙ୍କୁ ପଚାରିଥିଲେ। ହେଲେ ଅଭିଯୁକ୍ତମାନେ ଦମ୍ପତିଙ୍କୁ ଏକ ଭୁଲ ରାସ୍ତା ଦେଖାଇଥିଲେ। କିଛିବାଟ ଯିବା ପରେ ରାସ୍ତାଟି ନିଛାଟିଆ ହୋଇଯାଇଥିଲା। ସେତେବେଳକୁ ସା ମଧ୍ୟ ହୋଇଆସୁଥିଲା। ଏହି ପରିସ୍ଥିତିର ଫାଇଦା ନେଇ ଅଭିଯୁକ୍ତମାନେ ଦମ୍ପତିଙ୍କ ନିକଟକୁ ଯାଇ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ମହିଳାଙ୍କ ସ୍ବାମୀ ସେମାନଙ୍କୁ ବିରୋଧ କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ଏକ ଗଛରେ ବାନ୍ଧିଦେଇ ଜଣକ ପରେ ଜଣେ ସମ୍ପୃକ୍ତା ମହିଳାଙ୍କୁ ବଳାତ୍କାର କରିଥିଲେ। ଏ ବିଷୟରେ କାହାକୁ କିଛି କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇ ଅଭିଯୁକ୍ତମାନେ ସେଠାରୁ ପଳାଇଥିଲେ। ଏହା ସହ ଦମ୍ପତିଙ୍କ ପାଖରେ ଥିବା ୩ଟି ମୋବାଇଲ ଓ ୨ ହଜାର ଟଙ୍କା ଲୁଟି ନେଇଥିଲେ। ମହିଳା ଜଣକ ବହୁ କଷ୍ଟରେ ଉଠି ସ୍ବାମୀଙ୍କୁ ବନ୍ଧା ଯାଇଥିବା ଗଛରୁ ଖୋଲିଥିଲେ। ପରେ ଦୁହେଁ ଘରକୁ ଫେରିଥିଲେ। ପ୍ରଥମେ ସେମାନେ ଭୟ ଓ ଲୋକଲଜ୍ଜାରେ ଘଟଣା ସମ୍ପର୍କରେ କାହାକୁ କିଛି କହି ନ ଥିଲେ। ହେଲେ ଘଟଣା ପରଦିନ ଏହି ଦମ୍ପତି ସାହସ ଜୁଟାଇ ବ୍ରାହ୍ମଣୀତରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ଗଣବଳାତ୍କାର ମାମଲା (ନଂ. ୨୧୦/୨୦୧୬) ରୁଜୁ କରି ତନାଘନା ଆରମ୍ଭ କରିଥିଲା। ଅଭିଯୁକ୍ତମାନଙ୍କ ସମ୍ପର୍କରେ ଖବର ନେଇ ପୋଲିସ ସେମାନଙ୍କୁ ତୁରନ୍ତ ଗିରଫ କରିଥିଲା। ଏହି ମାମଲାରେ ୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସେହିପରି ୪୫ଟି ଦସ୍ତାବିଜ କୋର୍ଟରେ ଦାଖଲ କରାଯାଇଥିଲା। ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତି ଓ ପୋଲିସର ତଦନ୍ତ ଯୋଗୁ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ପି.ପି. ଅଜୟ କୁମାର ପ୍ରଧାନ ମାମଲା ପରିଚାଳନା କରୁଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri