କ୍ୟାଶ୍‌ ଭ୍ୟାନ୍‌ରୁ ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଧାଫାସ: ୯ ଗିରଫ


ରାଉରକେଲା ଅଫିସ,୫।୧୨-ଏଟିଏମ୍‌ଗୁଡିକରେ ଟଙ୍କା ଭର୍ତ୍ତି କରିବାକୁ ଦାୟିତ୍ୱ ନେଇଥିବା ସିଏମ୍‌ଏସ୍‌ କମ୍ପାନୀ ଗାଡି (କ୍ୟାଶ୍‌ ଭ୍ୟାନ୍‌)ରୁ ଗତ ୧ ତାରିଖ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଧାଫାସ କରିଛି ବିଶ୍ରା ଥାନା ପୋଲିସ। ମଙ୍ଗଳବାର ପଶ୍ଚିମାଞ୍ଚଳ ଡିଆଇଜି କବିତା ଜାଲାନ୍‌, ଏସ୍‌ପି ଡା. ଉମାଶଙ୍କର ମିଶ୍ର ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଡକାୟତି ଘଟଣାରେ ସଂପୃକ୍ତ ଥିବା ୯ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେହିପରି ଲୁଟ୍‌ ହୋଇଥିବା ୨୫ ଲକ୍ଷ ଟଙ୍କାରୁ ୨୪ ଲକ୍ଷ ୩୫ ହଜାର ଟଙ୍କା ଡକାୟତମାନଙ୍କଠାରୁ ଜବତ କରାଯାଇଛି । ସେମାନେ ବ୍ୟବହାର କରିଥିବା ଗୋଟିଏ ବନ୍ଧୁକ, ସିକ୍ୟୁରିଟି ଗାର୍ଡଠାରୁ ଛଡାଇ ନେଇଥିବା ଆଉ ଏକ ବନ୍ଧୁକ, ଦୁଇଟି ଭୁଜାଲିକୁ ପୋଲିସ ଜବତ କରିଛି । ସେହିପରି ଟଙ୍କା ଗାଡିର କର୍ମଚାରୀଙ୍କଠାରୁ ଲୁଟି ନେଇଥିବା ମୋବାଇଲ ଓ ଅପରାଧରେ ବ୍ୟବହାର କରାଯାଇଥିବା ଗାଡିଗୁଡିକୁ ପୋଲିସ ଜବତ କରିଛି । ଏଥିରେ ସଂପୃକ୍ତ ଥିବା ଅପରାଧିମାନେ ହେଲେ ସେକ୍ଟର-୨ରେ ରହୁଥିବା କେନ୍ଦ୍ରାପଡା ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମର ରାଜାରାମ ପାତ୍ର, କୋଏଲ ନଗରରେ ରହୁଥିବା ଯାଜପୁର ଜିଲା ବରି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରର ନିର୍ମଳ ଚନ୍ଦ୍ର କର, ସେକ୍ଟର-୧ ବସ୍ତିରେ ରହୁଥିବା ଯାଜପୁର ଟାଉନ୍‌ର ବ୍ରଜ ସୁନ୍ଦର ସେଠୀ, ସେକ୍ଟର-୧ ଆଖଣ୍ଡଳମଣୀ ବସ୍ତିରେ ରହୁଥିବା ପିଣ୍ଟୁ ନାୟକ ଓ ବିଜୁ ନାୟକ। ସେହିପରି ଅନ୍ୟ ଅଭିଯୁକ୍ତ ହେଲେ ସେକ୍ଟର-୧୫ରେ ରହୁଥିବା ଅଜୟ ନାୟକ । ଏଥିରେ ସଂପୃକ୍ତ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ନାବାଳକ । ତେଣୁ ପୋଲିସ ସେମାନଙ୍କ ନାମ ପ୍ରକାଶ କରି ନାହିଁ । ଅପରାଧୀମାନଙ୍କଠାରୁ ଲୁଟ୍‌ ଟଙ୍କା ଗ୍ରହଣ କରିଥିବା ଅଭିଯୋଗରେ ସେକ୍ଟର-୧ କଲ୍ୟାଣୀ ବସ୍ତିରେ ରହୁଥିବା ସୂର୍ଯ୍ୟକାନ୍ତ ସେଠୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏସ୍‌ପି ଦାଶ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ଏହି ଡକାୟତର ବ୍ଲୁ-ପ୍ରିଣ୍ଟ ରଚନା କରିଥିଲେ ସିଏମ୍‌ଏସ୍‌(କ୍ୟାସ ମ୍ୟାନେଜମେଣ୍ଟ ସର୍ଭିସ)ର କର୍ମଚାରୀ ରାଜାରାମ ଓ ନିର୍ମଳ । ଉଭୟ ସିଏମ୍‌ଏସ୍‌ ସଂସ୍ଥାରେ କାର୍ଯ୍ୟ କରନ୍ତି । ଦୁହେଁ ଟଙ୍କା ଏଟିଏମ୍‌ରେ ଭର୍ତ୍ତି କରିବା ବେଳେ ପୂର୍ବରୁ ପାଖାପାଖି ୫ଲକ୍ଷ ଟଙ୍କା ହଡ଼ପ କରିଥିଲେ । ଏହି ଟଙ୍କାରେ ମଉଜ ମଜଲିସ କରିଥିଲେ । ତେଣୁ ଏହି ଟଙ୍କାକୁ ଭରଣ କରିବା ପାଇଁ ଡକାୟତି ଯୋଜନା କରିଥିଲେ । ଡକାୟତି ଟଙ୍କାରୁ ୫ଲକ୍ଷ ଏଟିଏମ୍‌ରେ ଭର୍ତ୍ତି କରି ବାକି ଟଙ୍କା ପରସ୍ପର ମଧ୍ୟରେ ବାଣ୍ଟି ନେବା ପାଇଁ ଯୋଜନା କରିଥିଲେ । ତେଣୁ ପେଶାଦାର ଅପରାଧୀ ବ୍ରଜଙ୍କ ସହ ଦୁହେଁ ଯୋଗାଯୋଗ କରିଥିଲେ। ବ୍ରଜ ସେମାନଙ୍କ କଥାରେ ରାଜି ହୋଇଥିଲେ। ବ୍ରଜ ଅନ୍ୟ ଅପରାଧୀମାନଙ୍କୁ ଯୋଜନା ସଂପର୍କରେ କହିଥିଲେ। ଫଳରେ ଡକାୟତି କରିବା ପାଇଁ ଯୋଜନା ହୋଇଥିଲା । ଉଭୟ କର୍ମଚାରୀ ଗାଡିରେ ଯାଉଥିଲେ । ସେମାନଙ୍କ ସହ ସିକ୍ୟୁରିଟି ଗାର୍ଡ ଓ ଅନ୍ୟ ଜଣେ କର୍ମଚାରୀ ଥିଲେ । ନୂଆଗଁ।ରେ ଥିବା ଏକ ଏଟିଏମରେ ଟଙ୍କା ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ରହିଥିଲା । ସେଠାରେ ଟଙ୍କା ଭର୍ତ୍ତି ପରେ ଶୋରଡା ଏଟିଏମ୍‌କୁ କେବଳ ଚେକିଂ କରିବା ପାଇଁ ଯାଇଥାନ୍ତେ । ହେଲେ ପ୍ରଥମେ ଟଙ୍କା ଭର୍ତ୍ତି ନ କରି ଶୋରଡାରୁ ଆସିବା ବାଟରେ ଟଙ୍କା ଭର୍ତ୍ତି କରାଯିବ ବୋଲି ନିର୍ମଳ କହିଥିଲେ। ଫଳରେ ଗାଡି ଗଡିଥିଲା ଶୋରଡା ଅଭିମୁଖେ । ବାଟରେ ବାରିଲେପଟା ପାଖରେ ଜଙ୍ଗଲ ପଡିଲା । ରାଜାରାମ ଓ ନିର୍ମଳ ଏ ସଂପର୍କରେ ବ୍ରଜକୁ କହିଥିଲେ । ତେଣୁ ବ୍ରଜ ଯୋଜନା ମୁତାବତ ଅନ୍ୟ ଅଭିଯୁକ୍ତମାନଙ୍କୁ ନେଇ ବାଟରେ ଲୁଚି ରହିଥିଲେ । ହଠାତ ନିର୍ମଳ ଗାଡି ରଖିବା ପାଇଁ ଡ୍ରାଇଭରଙ୍କୁ କହିଥିଲେ । ଫଳରେ ଡ୍ରାଇଭର ଗାଡି ରଖିଥିଲେ। ନିର୍ମଳ ଗାଡିରୁ ବାହାରକୁ ଆସି ଫୋନରେ କଥା ହୋଇଥିଲେ । ଏହି ସମୟରେ ଅପରାଧିମାନେ ସିଏମ୍‌ଏସ୍‌ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ କରି ତାଙ୍କ ବନ୍ଧୁକ ଛଡାଇ ନେଇଥିଲେ। ଏହାପରେ ଲୁଟ୍‌ପାଟ୍‌ କରି ଅପରାଧୀମାନେ ଫେରାର ହୋଇ ଯାଇଥିଲେ। ଅଭିଯୋଗ ପରେ ପୋଲିସ ପ୍ରଥମେ ସିଏମ୍‌ଏସ୍‌ କର୍ମଚାରୀଙ୍କୁ ସନ୍ଦେହକୁ ନେଇ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡିଥିଲା ସେ ଏହି ଡକାୟତର ବ୍ଲୁ ପ୍ରିଣ୍ଟ ରଚନା କରିଥିଲେ ରାଜାରାମ ଓ ନିର୍ମଳ । ଫଳରେ ଅନ୍ୟ ଅପରାଧୀମାନଙ୍କୁ ଗିରଫ କରିବା ସମ୍ଭବ ହୋଇଥିଲା ବୋଲି ଏସ୍‌ପି କହିଛନ୍ତି । ବିଶ୍ରା ଥାନାଧିକାରୀ ବିକାଶ ରଞ୍ଜନ ସ୍ବାଇଁ ଓ ଡିଏସ୍‌ପି ପି.କେ. ମିଶ୍ର ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri