ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ବିଳମ୍ବ ପ୍ରସଙ୍ଗ: ଚାଲିଛି ତୁ ତୁ ମେ ମେ


ରାଉରକେଲା ଅଫିସ, ୫।୧୨-ପାନପୋଷଠାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣରେ ବିଳମ୍ବ ପ୍ରସଙ୍ଗ ନେଇ ରାଉରକେଲାରେ ଏବେ ରାଜନୀତି ସରଗରମ ହୋଇ ଉଠିଛି। ରାଜ୍ୟର ତୁନି ପ୍ରମୁଖ ରାଜନୈତିକ ଦଳର ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ଏବେ ତୁତୁମେମେ ଆରମ୍ଭ ହୋଇଯାଇଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଡାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଢୁଛନ୍ତି ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସ୍ମାର୍ଟ ସିଟିର ସମୀକ୍ଷା କରିବାକୁ ଆସିଥିବା ଜୁଏଲ ଏଠାରେ ଗଣମାଧ୍ୟମକୁ କହିଲେ, ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପାଇଁ କେନ୍ଦ୍ର ଅବହେଳା କରୁନାହିଁ। ସେତୁ ନିର୍ମାଣ ପାଇଁ ଯାହା ଆବଶ୍ୟକ କେନ୍ଦ୍ର ସରକାର ତାହା ଯୋଗାଇ ଦେଇଛନ୍ତି। ହେଲେ ଠିକଣା ବେଳେ ରାଜ୍ୟ ସରକାର ଖେଳ ଖେଳୁଛନ୍ତି। ସେତୁ ନିର୍ମାଣ ପାଇଁ ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। ଏହି କାର୍ଯ୍ୟ ହେଉଛି ରାଜ୍ୟ ସରକାରଙ୍କର। ହେଲେ ରାଜ୍ୟ ସରକାର ଜମି ଯୋଗାଇ ଦେଉନାହାନ୍ତି। ସେତୁ ନିର୍ମାଣରେ କିପରି ବିଳମ୍ବ ସେ ନେଇ ରାଜ୍ୟ ସରକାର ଜାଣିଶୁଣି ବାଟ ତିଆରି କରୁଛନ୍ତି। ରବିବାର ଏହି ପ୍ରସଙ୍ଗରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କଲା। ହେଲେ ସୋମବାର ମୁଖ୍ୟମନ୍ତ୍ରୀ କହୁଛନ୍ତି, ଯଦି କେନ୍ଦ୍ର ନ କରିବ ତେବେ ଆମେ କରିବା ପାଇଁ ପ୍ରସ୍ତୁତ। ତେଣୁ ପ୍ରଥମେ ଡାହାଣୀ ହୋଇ ଅସହଯୋଗ କଲେ। ଏବେ ଗୁଣିଆ ହୋଇ ସେତୁ ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ ବୋଲି କହୁଛନ୍ତି। ରାଜନୈତିକ ଫାଇଦା ନେବାକୁ ରାଜ୍ୟ ସରକାର ଏପରି କରୁଛନ୍ତି ବୋଲି ଜୁଏଲ ଅଭିଯୋଗ କରିଛନ୍ତି। ବିଜେଡି କଂଗ୍ରେସ ସହ ହାତ ମିଳାଇଛି। ତେଣୁ କଂଗ୍ରେସ ନେତାମାନେ ମଧ୍ୟ ବ୍ରାହ୍ମଣୀ ସେତୁ ବିଳମ୍ବ ପ୍ରସଙ୍ଗରେ କେନ୍ଦ୍ରକୁ ଦୋଷ ଦେଉଛନ୍ତି। ହେଲେ ଜନସାଧାରଣ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ରାଜନୀତିକୁ ବୁଝିଯିବେ ବୋଲି ଜୁଏଲ କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏହି ଅଭିଯୋଗର ଜବାବରେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସାରଦା ନାୟକ କହିଛନ୍ତି, କେନ୍ଦ୍ର ଜାଣିଶୁଣି ରାଜ୍ୟ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛି। କେନ୍ଦ୍ର ପ୍ରଥମେ ଏହି ପ୍ରକଳ୍ପରୁ ଓହରିଯାଉ, ପରେ ରାଜ୍ୟ ସରକାର ଦେଖାଇଦେବେ ଯେ କିପରି ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ବ୍ରିଜ ନିର୍ମାଣ ହୋଇପାରେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ସେତୁ ନିର୍ମାଣ ନେଇ ନିର୍ବାଚନ ପୂର୍ବରୁ ଓ ପରେ ରାଉରକେଲାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏବେ ସେହି ପ୍ରତିଶ୍ରୁତି ପୂରଣ ପାରୁନାହାନ୍ତି। କେନ୍ଦ୍ର କେନ୍ଦ୍ର ସରକାରଙ୍କ ପାରିବା ପଣିଆ କେତେ ତାହା ଲୋକେ ବୁଝି ସାରିଲେଣି ବୋଲି ନାୟକ କହିଛନ୍ତି। ନିଜ ବିଫଳତାକୁ ଘଣ୍ଟ ଘୋଡ଼ାଇବା ପାଇଁ ଭାଜପା ନେତାମାନେ ରାଜ୍ୟ ଉପରେ ଦୋଷ ଲଦୁଛନ୍ତି। ବିଫଳତାର ସ୍ବାଦ ଚାଖି ସାରିବା ପରେ ଭାଜପା ନେତାମାନେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ନାୟକ କହିଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଉଭୟ ବିଜେଡି ଓ ଭାଜପା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କଂଗ୍ରେସ କହିଛି। ବାସ୍ତବରେ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାରେ ଥିବା ଏହି ଦୁଇଟି ଦଳର ସେତୁ ନିର୍ମାଣ ପାଇଁ ସାମାନ୍ୟ ଆନ୍ତରିକତା ନାହିଁ। ଏହି ପ୍ରସଙ୍ଗରେ କଂଗ୍ରେସ ଖୁବଶୀଘ୍ର ଆନ୍ଦୋଳନକୁ ଓହ୍ଲାଇବାକୁ ଘୋଷଣା କରିଛି। ଜିଲା କଂଗ୍ରେସ ସଭାପତି ବୀରେନ ସେନାପତି ଏକ ପ୍ରେସ ବିବୃତିରେ କହିଛନ୍ତି, ଜିଲାବାସୀଙ୍କ ଦାବିକୁ ବିଚାରକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ପାନପୋଷଠାରେ ଦ୍ୱିତୀୟ ସେତୁ ସମେତ ବୀରମିତ୍ରପୁର-ବାରକୋଟ ୪ଥାକିଆ ରାସ୍ତା ପାଇଁ ୨୦୧୨ରେ ଟେଣ୍ଡର ସାରି କାର୍ଯ୍ୟାଦେଶ ଦେଇଥିଲେ। କାର୍ଯ୍ୟାଦେଶ ପାଇଥିବା ଗେମନ ଇଣ୍ଡିଆ ଇନ୍‌ଫ୍ରାଷ୍ଟ୍ରକଚର କମ୍ପାନୀ କର୍ତ୍ତପକ୍ଷ ରାଉରକେଲାରେ କାର୍ଯ୍ୟାଳୟ ଖୋଲି ୨ ବର୍ଷ ଅପେକ୍ଷା କଲେ। କିନ୍ତୁ ରାଜ୍ୟ ସରକାର ସହଯୋଗ କଲେନାହିଁ କିମ୍ବା ଜମି ଦେଲେ ନାହିଁ। ଫଳରେ ୨୦୧୪ରେ କମ୍ପାନୀ କାର୍ଯ୍ୟରୁ ଓହରିଗଲା। ପ୍ରଧାନମନ୍ତ୍ରୀ ୨୦୧୪ ସାଧାରଣ ନିର୍ବାଚନ ପ୍ରଚାର ଅବସରରେ ରାଉରକେଲା ସଭାରେ ତାଙ୍କ ସରକାର ଆସିବା ପରେ ଦ୍ୱିତୀୟ ସେତୁ ନିର୍ମାଣ ତୁରନ୍ତ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ ମଧ୍ୟ ପରେ ଭୁଲିଯାଇଥିଲେ। ପୁନଶ୍ଚ ୨୦୧୫ ଏପ୍ରିଲ ପହିଲାରେ ରାଉରକେଲା ଗସ୍ତ ଅବସରରେ ସହରବାସୀ ସେତୁ ପ୍ରସଙ୍ଗ ମନେ ପକାଇବାରୁ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ। ତେବେ ଗତ ଜୁଲାଇରେ ସେତୁର ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ ତରବରିଆଭାବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କାରୀ ସେତୁର ଶିଳାନ୍ୟାସ କରି ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି କରିଥିବା ଘୋଷଣା ମଧ୍ୟ ଏବେ ଧୂଆଁବାଣରେ ପରିଣତ ହୋଇଛି। କଂଗ୍ରେସ ସରକାର ସମୟରେ ସ୍ଥିରୀକୃତ ସ୍ଥାନରେ ସେତୁ ନିର୍ମାଣ ନ କରି ୨ଟି ସେତୁ ନିର୍ମାଣ ହେବ କହି ସ୍ଥାନ ପରିବର୍ତ୍ତନ କରିବା ଦ୍ୱାରା ଆଜି ଅଯଥା ବିବାଦ ଦେଖାଦେଇ ସେତୁ ନିର୍ମାଣରେ ଅନିଶ୍ଚିତତା ସୃଷ୍ଟି ହୋଇଛିି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କିଛି ପ୍ରଭାବଶାଳୀ ନେତା ଓ ପୁଞ୍ଜିପତିଙ୍କ ଅଟ୍ଟାଳିକାକୁ ସୁରକ୍ଷା ଦେବା ପାଇଁ ସେତୁ ନିର୍ମାଣର ସ୍ଥାନ ପରିବର୍ତ୍ତନ କରାଯାଇଛି। ଗୋଟିଏ ସେତୁ ନିର୍ମାଣରେ ଅସମର୍ଥ କେନ୍ଦ୍ର ସରକାର ୨ଟି ସେତୁ ନିର୍ମାଣ କଥା କହିବା ହାସ୍ୟସ୍ପଦ ବୋଲି ଦଳ ପକ୍ଷରୁ କୁହାଯାଇଛି। ରାଜ୍ୟ ବିଜେଡି ସରକାର ବିବାଦ ସମାଧାନ କରି ସେତୁ ପାଇଁ ଜମି ଯୋଗାଇ ଦେବା ପରିବର୍ତ୍ତେ ନିଜ ଅବହେଳା ଓ ଅପାରଗତାରୁ ଲୋକଙ୍କ ଦୃଷ୍ଟି ଏଡ଼ାଇବାକୁ ଆନ୍ଦୋଳନର ନାଟକ କରୁଛନ୍ତି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ସ୍ଥାନୀୟ ପ୍ରତିନିଧିମାନେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ସମନ୍ବୟ ରଖି ଜମି ବିବାଦର ସମାଧାନ କରିବା ପରିବର୍ତ୍ତେ କେବଳ ବିବୃତି ଦେଇ ଲୋକଙ୍କ ଅନୁକମ୍ପା ହାସଲ କରିବାକୁ ଲାଗି ପଡ଼ିଛନ୍ତି। ବିଜେଡି ଓ ଭାଜପା ନିଜ ନିଜ ପତିଆରା ଜାହିର ପାଇଁ ସର୍ବଦା କଳହରେ ଲିପ୍ତ ରହି ରାଉରକେଲାର ସ୍ବାର୍ଥକୁ ବଳି ପକାଉଥିବାରୁ ଖୁବ୍‌ଶୀଘ୍ର କଂଗ୍ରେସ ସେତୁ ପ୍ରସଙ୍ଗରେ ନିର୍ଣ୍ଣାୟକ ଆନ୍ଦୋଳନ ଆରମ୍ଭ କରିବ ବୋଲି ପ୍ରେସ୍‌ ବିବୃତିରେ କୁହାଯାଇଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri