ପ୍ରତିଶ୍ରୁତିରେ ଅଟକିଛି ରାଉରକେଲାର ବିକାଶ


ରାଉରକେଲା ଅଫିସ,୫।୧୨- ସୋସିଆଲ ମିଡିଆରେ ଏବେ ରାଉରକେଲାର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ବେଶ୍‌ ଆଗରେ। କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ଦୁଇ ଦଳ ଭାଜପା ଓ ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ ଗୋଡ଼େଇ ତୋଡ଼େଇ ଘେରୁଛନ୍ତି ମହାପାତ୍ର। ଦ୍ୱିତୀୟ ବ୍ରାହ୍ମଣୀ ସେତୁ ହେଉ କି ବାଲୁଘାଟ ହୋଲସେଲ ମାର୍କେଟ କମ୍ପ୍ଲେକ୍ସ, ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ଦୁଇ ଦଳର ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କୁ। ଏବେ ଆଉ ଏକ ପ୍ରମୁଖ ପ୍ରସଙ୍ଗ ବିକାଶ ନେଇ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ ସହରବାସୀଙ୍କୁ ଦେଖାଇଥିବା ବିକାଶର ଚିତ୍ର କିପରି ପ୍ରତିଶ୍ରୁତିରେ ଅଟକି ରହିଛି ସେ ନେଇ ମହାପାତ୍ର ତୀବ୍ର ସମାଲୋଚନା କରିଛନ୍ତି। ଭାଜପା ନେତୃତ୍ୱ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍‌ ନିର୍ମାଣ ନେଇ କେନ୍ଦ୍ର ଉପରେ ଚାପ ପକାଉଥିବାବେଳେ ସାମାନ ପରିସ୍ଥିତିରେ ବିଜେଡି ଆନ୍ଦୋଳନ କରୁଛି। ତେବେ ଏହା କିପରି ସୁରୁଖୁରୁରେ ଆରମ୍ଭ ହୋଇପାରିବ ସେ ନେଇ ଦୁଇ ଦଳ ଚିନ୍ତିତ ନୁହନ୍ତି ବୋଲି ମହାପାତ୍ର କହିଛନ୍ତି। ରାଜ୍ୟ ସରକାର ଜିଲାର ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଜମି ଅଧିଗ୍ରହଣ ନେଇ ବାଟ ବାହାର କରିପାରୁନାହାନ୍ତି। ତେଣୁ ବିକାଶ ନେଇ କାହାର ଆନ୍ତରିକତା କେତେ ତାହା ସ୍ପଷ୍ଟ ଜଣାପଡ଼ୁଛି। କେବଳ ଏହି ଗୋଟିଏ ପ୍ରସଙ୍ଗ ନୁହେଁ, ଏହି ଦୁଇ ଦଳଙ୍କ ଶାସନ କାଳରେ ଉନ୍ନୟନ ଦୂର କଥା କେବେ ସୁଦ୍ଧା କାମ ଶେଷ ହେବ ସେ ନେଇ ବି ଠିକ୍‌ ପ୍ରତିଶ୍ରୁତି ମିଳିପାରୁନି। ଜିଲାରେ ମେଡିକାଲ କଲେଜ ହସ୍ପିଟାଲ ନେଇ ଦାବି ହୋଇ ଆସୁଥିବାବେଳେ ଏ ନେଇ କେହି ମୁହଁ ଖୋଲୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ହାତରେ ଶିଳାନ୍ୟାସ କରାଯାଇଥିବା ବାଲୁଘାଟ ମାର୍କେଟ କମ୍ପ୍ଲେକ୍ସ ଆଜିପର୍ଯ୍ୟନ୍ତ ଫଳକରେ ସୀମିତ ରହିଛି। ହାଉସିଂ କମ୍ପ୍ଲେକ୍ସ ହେଉ କି ବସ୍ତିବାସିନ୍ଦାଙ୍କ ଥାଇଥାନ ପ୍ରସଙ୍ଗ, ଏଥିରୁ ସରକାର ଦୂରେଇ ରହୁଛନ୍ତି। କୋଏଲ ବ୍ୟାରେଜ, ଆଇଜିଏଚ୍‌କୁ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ, ବୀରମିତ୍ରପୁର ରାଜାମୁଣ୍ଡା ରାସ୍ତା ଭଳି ଅନେକ ପ୍ରସଙ୍ଗ ଆଜି ସହରବାସୀଙ୍କ ମନକୁ ଆନ୍ଦୋଳିତ କରୁଛି। କେବଳ ମହାନଗର ନିଗମ କି ସ୍ମାର୍ଟ ସିଟି ଘୋଷଣା କରିଦେଲେ ଯେ ଲୋକଙ୍କ ଦୁଃଖ ଦୂର ହୋଇଯିବ ତାହା ନୁହେଁ, ବରଂ ପ୍ରତିଶ୍ରୁତିରେ ଅଟକି ରହିଥିବା ବିକାଶକୁ କିପରି ବାସ୍ତବରେ ପରିଣତ କରାଯାଇ ପାରିବ ସେ ନେଇ ନିର୍ବାଚିତ ପ୍ରତିନିଧି ଉତ୍ତରଦାୟୀ ରହିବା ଆବଶ୍ୟକ ବୋଲି ମହାପାତ୍ର କହିଛନ୍ତି। ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଉଭୟ ପାର୍ଶ୍ୱ ଜାତୀୟ ରାଜପଥ ନିର୍ମାଣ ପାଇଁ ଆବଶ୍ୟକ ଜମି ରାଜ୍ୟ ସରକାର ମାଗଣାରେ ଯୋଗାଇଦେବା ଦରକାର। ତେବେ ଯାଇ କାମ ତ୍ୱରାନ୍ବିତ ହୋଇାପରିବ। ଅସଲ ଉଦ୍ଦେଶ୍ୟ ଛାଡ଼ି ନିର୍ବାଚିତ ଲୋକ ପ୍ରତିନିଧି କେତେବେଳେ ନିଜ ପାରିବା ପଣିଆକୁ ନେଇ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ତ ଆଉ କେତେବେଳେ ହତାଶ ହୋଇ ନିଜେ ରାସ୍ତାକୁ ଓହ୍ଲାଉଛନ୍ତି। ଜଣେ ଅଭିଯୋଗ କରୁଛି କେନ୍ଦ୍ର ଅବହେଳା, ଆଉ ଜଣେ କହୁଛି ରାଜ୍ୟ ସହଯୋଗ କରୁନି। ଏଣୁ ଉନ୍ନୟନ ବାଧାପ୍ରାପ୍ତ ହେଉଛି। କେନ୍ଦ୍ରରେ ଭାଜପା ୩ ବର୍ଷ ଓ ବିଜେଡି ରାଜ୍ୟରେ ୧୮ବର୍ଷ ଶାସନ କାଳ ମଧ୍ୟରେ କେବଳ ପ୍ରଚାର ସର୍ବସ୍ବ ପାର୍ଟି ଭାବେ ରହି ଯାଇଛନ୍ତି। ଏ ସବୁର ପରିସମାପ୍ତି ଘଟିଲେ ଉନ୍ନୟନ ତ୍ୱରାନ୍ବିତ ହୋଇପାରିବ, ଅନ୍ୟଥା ବିକାଶ କେବଳ ପ୍ରତିଶ୍ରୁତିରେ ଅଟକି ରହିଯିବ ବୋଲି ପ୍ରଭାତ ମହାପାତ୍ର କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri