ଦୁଇ ପଞ୍ଚାୟତରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଘୋଟାଲା


ନୂଆପଡ଼ା ଅଫିସ,୪ା୧୨-ଜିଲାର ବହୁଚର୍ଚ୍ଚିତ ଭାଲେଶ୍ୱର ଓ ବେଲଟୁକୁରୀ ପଞ୍ଚାୟତରେ କୋଟି କୋଟି ଟଙ୍କାର ଅନିୟମିତତା ହୋଇଥିବାବେଳେ ଏଥିରେ ପଞ୍ଚାୟତଠାରୁ ଆରମ୍ଭ କରି ଜିଲାସ୍ତରୀୟ ଅଧିକାରୀ ସାମିଲ ଥିବା କୁହାଯାଉଛି। ହେଲେ ଜିଲା ପୋଲିସ ପ୍ରଶାସନ ଭାକୁର ଛାଡ଼ି କେରାଣ୍ଡିକୁ ଧରିବା ନ୍ୟାୟରେ ଜଣେ, ଦୁଇଜଣଙ୍କୁ ଧରି ଲୁଚକାଳି ଖେଳୁଥିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଆଗକୁ ନିର୍ବାଚନ ଥିବାରୁ ପ୍ରଶାସନ ଏଥିରେ ମୁଣ୍ଡ ନ ପୂରାଇ ଘଟଣାର ମୋଡ଼ ପରିବର୍ତ୍ତନ କରୁଥିବା କୁହାଯାଉଛି। ଭାଲେଶ୍ୱର ପଞ୍ଚାୟତରେ ଦୁଇଟି ପୋଖରୀ କାମ ନ କରି ଏମ୍‌ପି ଲ୍ୟାଡ୍‌ରୁ ୧୦ଲକ୍ଷ ଟଙ୍କା ଉଠାଣ କରାଯାଇଥିବା କଥା ଖୋଦ ବ୍ଲକ ଅଧ୍ୟକ୍ଷ ଉଠାଇଥିଲେ। ଏଥିରେ ଜଣେ, ଦୁଇଜଣ ନେତାଙ୍କ ସମେତ ବ୍ଲକ ପ୍ରଶାସନର ଅଧିକାରୀମାନେ ଫସିଥିବା ସ୍ପଷ୍ଟ ପ୍ରମାଣିତ ହେଲା। ଏହି ମାମଲାରେ ଜିଲାପାଳ କୌଣସି ଠୋସ୍‌ କାର୍ଯ୍ୟାନୁଷ୍ଠାନ କରି ନ ଥିଲେ। କେବଳ ଜଣେ ତଳିଆ କର୍ମଚାରୀ (କାର୍ଯ୍ୟନିର୍ବାହୀ ଅଧିକାରୀ)ଙ୍କୁ ନିଲମ୍ବନ କରିଥିଲେ। ବିଡିଓ, ସହକାରୀ ଯନ୍ତ୍ରୀ, ଯନ୍ତ୍ରୀ ଓ ମୁଖ୍ୟ କିରାଣିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଗତମାସ ୧୦ ତାରିଖରେ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ। ହେଲେ ଆଜିଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଜଣେ ଗ୍ରାମ ରୋଜଗାର ସେବକ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରୁ ୩ କୋଟି ଟଙ୍କା ଆତ୍ମସାତ କରିଥିବା ଭାଲେଶ୍ୱର ସରପଞ୍ଚ ଶିବପ୍ରସାଦ କେଉଁଟ ବିଡିଓ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ତାହା ଫାଇଲରେ ରହିଯାଇଛି। ଘଟଣାର ତଦନ୍ତ ବାହାନାରେ ଅଧିକାରୀମାନେ ସମୟ ଗଡ଼ାଇ ଚାଲିଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଏଠାରେ କୋଟି କୋଟି ଟଙ୍କାର ଘୋଟାଲା ହେଉଛି। ତେଣୁ ଦୁଇ ପଞ୍ଚାୟତବାସୀ ଏକଜୁଟ ହୋଇ ନାଗରିକ କମିଟି ଗଠନ କରି ଦୁଇବର୍ଷରେ ଚତୁର୍ଥ ଏସ୍‌ଏଫ୍‌ସି (ରାଜ୍ୟ ଫାଇନାନ୍ସ କମିଶନ) ଓ ଦତୁର୍ଦ୍ଦଶ ସିଏଫ୍‌ସି (ସେଣ୍ଟ୍ରାଲ ଫାଇନାନ୍ସ କମିଶନ) ଅର୍ଥ ବାବଦ ଆଦୌ କାମ ନ କରି ଟଙ୍କା ଉଠାଣ କରାଯାଇଥିବା ଗତ ମାସ ୬ତାରିଖରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ସେହିଦିନ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଡିଓ ସୁନିଲ କୁମାର କେର୍କେଟା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ବେଲଟୁକୁରୀ ଥାନା ପୋଲିସ ଭାଲେଶ୍ୱର ଓ ବେଲଟୁକୁରୀ ପଞ୍ଚାୟତର ଦୁଇଜଣ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଦୁଇ ପୂର୍ବତନ ସରପଞ୍ଚ, ବର୍ତ୍ତମାନର ସରପଞ୍ଚ ତଥା ଅନ୍ୟ କେତେକ ବ୍ୟକ୍ତିଙ୍କ ନାମରେ ଦଫା ୪୦୬, ୪୦୯ରେ ଏକ ମାମଲା (ନଂ.୧୦୧/୧୭) ରୁଜୁ କରିଥିଲା। ଅକ୍ଟୋବର ୯ରେ ପୂର୍ବତନ ବେଲଟୁକୁରୀ ସରପଞ୍ଚ ଜୟପ୍ରକାଶ ସତନାମୀଙ୍କୁ ଗିରଫ କରିଥିଲା। ଅନ୍ୟ ସମସ୍ତ ଅଭିଯୁକ୍ତ ପୋଲିସ ଆଖିରେ ଧୂଳିଦେଇ ଚମ୍ପଟ ମାରିଥିଲେ। ଦୀର୍ଘଦିନ ବ୍ୟବଧାନରେ ଶୁକ୍ରବାର ଭାଲେଶ୍ୱର ସରପଞ୍ଚ ଶିବପ୍ରସାଦ କେଉଁଟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟମାନେ କୋର୍ଟରୁ ଆଗୁଆ ଜାମିନ ନେବାକୁ ଲାଗିପଡ଼ିଛନ୍ତି। ଅନ୍ୟପକ୍ଷରେ ଜିଲା ପୋଲିସ ଓ ପ୍ରଶାସନ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ଏମ୍‌ପି ଲ୍ୟାଡ୍‌ ଭଳି ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନିୟମିତତା ମାମଲାକୁ ଛାଡ଼ି ମାତ୍ର ୮୬ଲକ୍ଷ ଟଙ୍କାର ଏସ୍‌ଏଫ୍‌ସି ଓ ସିଏଫ୍‌ସି ମାମଲାକୁ ନେଇ ଗୋଳେଇ ଘାଣ୍ଟି ହେଉଥିବା ଅଭିଯୋଗ ହେଉଛି। ଏହା ଦ୍ୱାରା ବହୁ ବଡ଼ବଡ଼ିଆ ଅଧିକାରୀ ଖସିଯିବା ଆଶଙ୍କା ଉପୁଜିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri