କଲେଜ ଛାତ୍ରୀଙ୍କୁ ଅସଦାଚରଣର ଭିଡ଼ିଓ ଭାଇରାଲ ଘଟଣା: ୬ ଅଭିଯୁକ୍ତ ଗିରଫ


ବରଗଡ଼ ଅଫିସ୍‌/ପଦ୍ମପୁର,୩।୧୨ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ କଲେଜ ଛାତ୍ରୀଙ୍କୁ ଅସଦାଚରଣର ଭିଡ଼ିଓ ଭାଇରାଲ ଘଟଣାରୁ ପରଦା ହଟିଛି। ପୋଲିସ ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପାଇକମାଳ ଥାନା ଖଇରା ଗ୍ରାମର ହୁତାଶନ ହାତୀ(୨୪), ଜଗଦଲପୁର ଥାନା ବୁକ୍ରାମୁଣ୍ଡା ଗ୍ରାମର ଅଜିତ ବାରିକ(୨୮), ଜୟପ୍ରକାଶ ଭୋଇ(୩୧), ସାହିଲ ଓ ଓରଫ୍‌ ହିତେଶ ବାରିକ(୧୮), ନୂତନ ବାରିକ(୩୮) ଏବଂ ଉମାକାନ୍ତ ଭୋଇ(୩୯)। ଘଟଣା ସମୟର ଦୃଶ୍ୟ ରେକର୍ଡ଼ିଂରେ ବ୍ୟବହୃତ ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଛି। ଅଭିଯୁକ୍ତଙ୍କ ବିରୋଧରେ ପାଇକମାଳ ଥାନାରେ ଦଫା ୩୪୧, ୩୫୪, ୩୫୪(ବି), ୩୪ ଆଇପିସି, ୬୬(ଏ), (ଇ), ୬୭ ଆଇଟି ଆକ୍ଟ ୨୦୦୮କ୍ରମେ ଏକ ମାମଲା (ନଂ.୧୮୧/୧୭) ରୁଜୁ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ସୋମବାର ପଦ୍ମପୁର କୋର୍ଟକୁ ଚାଲାଣ କରାଯିବ। ଅନ୍ୟପକ୍ଷେ ଏହି ଘଟଣାରେ ଅନ୍ୟ ୫/୬ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବାରୁ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତନାଘନା ଚାଲିଛି। ସମସ୍ତ ଅଭିଯୁକ୍ତଙ୍କୁ ଦିନେ, ଦୁଇଦିନ ମଧ୍ୟରେ ଗିରଫ କରାଯିବ ବୋଲି ପଦ୍ମପୁର ଏସ୍‌ଡ଼ିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା କହିଛନ୍ତି। ଏସ୍‌ଡ଼ିପିଓ ପଣ୍ଡା ପଦ୍ମପୁରସ୍ଥିତ ନିଜ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କହିଥିଲେ, ଗତ ଅକ୍ଟୋବର ୪ ତାରିଖରେ ପାଇକମାଳ ଥାନା ଅନ୍ତର୍ଗତ ଖଇରା ଗ୍ରାମର ପୀଡ଼ିତା କଲେଜ ଛାତ୍ରୀ ତାଙ୍କ ଦୁଇଜଣ ସମ୍ପର୍କୀୟଙ୍କ ସହିତ ଏକ ମୋଟର ସାଇକେଲରେ ଖଇରା ଡ୍ୟାମକୁ ଯାଇଥିଲେ। ସେଠାକାର ସଂରକ୍ଷିତ ଜଙ୍ଗଲ ନିକଟ ରାସ୍ତାରେ ତାଙ୍କର ଜଣେ ସମ୍ପର୍କୀୟ ପୀଡ଼ିତା ଓ ଅନ୍ୟ ସମ୍ପକୀୟଙ୍କୁ ଛାଡ଼ି ମୋଟର ସାଇକେଲ ନେଇ କୁଆଡ଼େ ଚାଲିଯାଇଥିଲେ। ଏହି ସମୟରେ ଖଇରା ଡ୍ୟାମ ନିକଟରେ ବୁକ୍ରାମୁଣ୍ଡାର କେତେକ ଯୁବକ ପିକ୍‌ନିକ୍‌ କରୁଥିଲେ। ସେହି ଯୁବକମାନେ ଛାତ୍ରୀ ଏବଂ ତାଙ୍କ ସାଙ୍ଗରେ ଥିବା ସମ୍ପର୍କୀୟଙ୍କୁ ପ୍ରେମୀଯୁଗଳ ଭାବି ମାରପିଟ୍‌ ଓ ଧମକଚମକ ଦେବା ସହିତ ଅସଦାଚରଣ ପ୍ରଦର୍ଶନ କରିଥିଲେ। ତେବେ ଲୋକଲଜ୍ଜା ପାଇଁ ଏହି ଘଟଣାକୁ ପୀଡ଼ିତା କିମ୍ବା ତାଙ୍କ ସାଙ୍ଗରେ ଥିବା ସମ୍ପର୍କୀୟ ଜଣକ ପ୍ରଘଟ କରି ନ ଥିଲେ। ମାତ୍ର ଘଟଣା ସମୟର ଦୃଶ୍ୟକୁ ନିଜ ମୋବାଇଲରେ ଅଭିଯୁକ୍ତ ହୁତାଶନ ରେକର୍ଡ଼ିଂ କରିଥିଲେ। ପରେ ସେହି ମୋବାଇଲ ଭିଡ଼ିଓଟି ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ଏହାପରେ ଡିଜିପି ଆର୍‌. ପି. ଶର୍ମା ଓ ବରଗଡ଼ ଏସ୍‌ପି ବି. ଯୁଗଳ କିଶୋର ଉକ୍ତ ଘଟଣାର ତଦନ୍ତ କରିବାକୁ ପଦ୍ମପୁର ଏସ୍‌ଡ଼ିପିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ସମ୍ବେଦନଶୀଳତାକୁ ନେଇ ପାଇକମାଳ ଥାନା ଏଏସଆଇ ସନ୍ତୋଷ କୁମାର ସାହୁଙ୍କ ଏତଲାକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ଟି ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ପୀଡ଼ିତାଙ୍କୁ ଚିହ୍ନଟ କରିବା ପରେ ତାଙ୍କ ବୟାନ ରେକର୍ଡ଼ କରିଥିଲେ। ପୋଲିସ ଶନିବାର ବିଳମ୍ବିତ ରାତ୍ରିରେ ୪ ଅଭିଯୁକ୍ତ ହୁତାଶନ, ଅଜିତ୍‌, ଜୟପ୍ରକାଶ ଏବଂ ଉମାକାନ୍ତଙ୍କୁ ଗିରଫ କରିଥିବାବେଳେ ରବିବାର ଅନ୍ୟ ଦୁଇ ଜଣଙ୍କୁ ଧରିଥିଲା। ହୁତାଶନ ଘଟଣା ସମୟର ଭିଡ଼ିଓ ରେକର୍ଡ଼ିଂ କରିଥିବାବେଳେ ନୂତନ ଭିଡ଼ିଓକୁ ଭାଇରାଲ କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri