ରାଜନୈତିକ ଚକ୍ରାନ୍ତର ଶିକାର ଦ୍ୱିତୀୟ ବ୍ରାହ୍ମଣୀ ସେତୁ


ରାଉରକେଲା ଅଫିସ, ୨।୧୨-୧୯୫୫ ମସିହାରେ ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠା କରାଯାଇଥିଲା। ସେଥିପାଇଁ ରାଉରକେଲାକୁ ସଡ଼କ ପଥରେ ସଂଯୋଗ ପାଇଁ ବ୍ରାହ୍ମଣୀ ନଦୀ ଉପରେ ୬୦ ଦଶକରେ ଏକ ସେତୁ ନିର୍ମାଣ କରାଯାଇଥିଲା, ଯାହା ବ୍ରାହ୍ମଣୀ ସେତୁ ନାମରେ ନାମିତ ହୋଇଥିଲା। ଏହି ସେତୁର ସ୍ଥାୟିତ୍ୱ ୧୦୦ ବର୍ଷ ଥିଲା। କିନ୍ତୁ ଧୀରେ ଧୀରେ ଶିଳ୍ପ ସଂସ୍ଥା ବୃଦ୍ଧି ପାଇବା ଫଳରେ ସେହି ସେତୁ ଉପରେ ଆବଶ୍ୟକତାଠାରୁ ଅଧିକ ଭାରିଯାନ ଯାତାୟାତ କଲା। ଏଣୁ ଦିନକୁ ଦିନ ଏହି ସେତୁଟି ଦୁର୍ବଳ ହେବାକୁ ଲାଗିଲା। ତେଣୁ ବିଭିନ୍ନ ସ୍ଥାନରେ ଫାଟ ଦେଖାଗଲା। ଏହାଦ୍ୱାରା ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ସମସ୍ୟା ଲାଗି ରହିଲା। ମରାମତି କରା ଗଲେ ବି ତାହା କାମକୁ ଆସିଲାନାହିଁ। ତେଣୁ ବ୍ରାହ୍ମଣୀ ନଦୀ ଉପରେ ଆଉ ଏକ ସେତୁର ପରିକଳ୍ପନା ୯୦ ଦଶକରେ କରାଗଲା। ସେବେଠାରୁ ଏହାର ସର୍ଭେ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ବିଭିନ୍ନ ଏଜେନ୍ସିକୁ ଦାୟିତ୍ୱ ଦେଲା। ଏଜେନ୍ସିଗୁଡିକ ମଧ୍ୟ ଠିକ୍‌ ସମୟରେ ତଦନ୍ତ କରି ରିପୋର୍ଟ ପ୍ରଦାନ କଲେ। ୨୦୧୨ ମସିହାରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଥିବା ବେଳେ ୮୮୪ କୋଟି ଟଙ୍କା ବ୍ୟୟରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିଲା। ଗେମନ ଇଣ୍ଡିଆ କମ୍ପାନୀ ଏହି ସେତୁର ନିର୍ମାଣ ଦାୟିତ୍ୱ ହାତକୁ ନେଇଥିଲା। କମ୍ପାନୀ ମଧ୍ୟ ରାଉରକେଲା ସିଭିଲ ଟାଉନ୍‌ଶିପରେ ନିଜର କାର୍ଯ୍ୟାଳୟ ଖୋଲି ଯୁଦ୍ଧକାଳୀନ ଭିତ୍ତିରେ ପ୍ରାଥମିକ କାର୍ଯ୍ୟ ସମାପନ କରିଥିଲା। କିନ୍ତୁ ରାଜ୍ୟ ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଟାଳଟୁଳ ନୀତି ଅବଲମ୍ବନ କଲେ। ଫଳରେ ବାଲୁଘାଟ ଓ ପାନପୋଷ ବସ୍ତିବାସିନ୍ଦା ଏହି ପ୍ରକଳ୍ପକୁ ବିରୋଧ କରିଥିଲେ। କମ୍ପାନୀ ରାଜ୍ୟ ସରକାରଙ୍କୁ ଏହା ଜଣାଇଲା, ହେଲେ କିଛି ଲାଭ ହେଲା ନାହିଁ। ଶେଷରେ କମ୍ପାନୀ ୨୦୧୪ ମସିହାରେ ଏହି କାର୍ଯ୍ୟରୁ ଓହରି ଯାଇଥିଲା। ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଥିଲା। ସେତୁ ନିର୍ମାଣ ହେଲେ ଗୋଟିଏ ରାଜନୈତିକ ଦଳ ଫାଇଦା ନେବା ସ୍ପଷ୍ଟ ହେଲା। ପ୍ରକଳ୍ପ କାର୍ଯ୍ୟ କିପରି ନ ହେବ ସେ ନେଇ କେତେକ ରାଜନୈତିକ ଦଳ ଲାଗି ପଡ଼ିଲେ। ଫଳରେ ସେଥିରେ ପେଷି ହେଲେ ରାଉରକେଲାବାସୀ। ୨୦୧୪, ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାରରେ ଆସି ଖୁବଶୀଘ୍ର ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତିର ୧ ବର୍ଷ ପରେ ଅର୍ଥାତ୍‌ ୨୦୧୫ ଏପ୍ରିଲ ୧ରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ରାଉରକେଲା ଆସି ଇସ୍ପାତ କାରଖାନାର ଆଧୁନିକୀକରଣ କାର୍ଯ୍ୟକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ସେହି ସମୟରେ ପୁଣି ଆଶ୍ୱାସନା ଦେଇଥିଲେ ଯେ ବ୍ରାହ୍ମଣୀ ସେତୁ ଖୁବଶୀଘ୍ର ଆରମ୍ଭ ହୋଇ ଶେଷ ହେବ। ହେଲେ ତାଙ୍କ ପ୍ରତିଶ୍ରୁତି ଧୂଅଁାବାଣରେ ପରିଣତ ହେଲାଣି। କାରଣ ଅଦ୍ୟାବଧି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଏହାକୁ ନେଇ ବାଦ ବିବାଦ ବଢ଼ି ଚାଲିଥିଲା। ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବି ଏହି ସେତୁକୁ ନେଇ ଚିନ୍ତାପ୍ରକଟ କରିଥିଲେ। ଏବେ ପ୍ରକଳ୍ପ ଖର୍ଚ୍ଚ ୧୫ କୋଟିରେ ପହଞ୍ଚିଲାଣି। ଚଳିତବର୍ଷ ଜୁଲାଇ ୨୧ରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ରାଉରକେଲା ଆସି ବାଲୁଘାଟଠାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ କାମ ଖୁବ ଶୀଘ୍ର ଆରମ୍ଭ ହୋଇ ୫ବର୍ଷ ମଧ୍ୟରେ ଶେଷ ହେବ। କିନ୍ତୁ ସେହି ପ୍ରକ୍ରିୟା ଏବେ ବି ମନ୍ଥର ଗତିରେ ଚାଲିଛି। କାମ କେବେ ଆରମ୍ଭ ହେବ ତାହା ସ୍ପଷ୍ଟ ହୋଇନି। ଅନ୍ୟପକ୍ଷେ ବ୍ରାହ୍ମଣୀ ସେତୁ ହିଁ ଆଗାମୀ ନିର୍ବାଚନ ପାଇଁ ଏକ ମୁଖ୍ୟ ଇସ୍ୟୁ ହୋଇପାରେ ବୋଲି ଏଠାରେ ଚର୍ଚ୍ଚା ଜୋର ଧରିଛି। ଏ ନେଇ ବିଧାୟକ ରାୟ କହିଛନ୍ତି, ସେତୁ କାମ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ମୁଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଚିଠି ଲେଖିଛି। ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିଛି। କାମ ବିଳମ୍ବ ଯୋଗୁ ଆମେ ଲୋକଙ୍କ କ୍ରୋଧର ଶିକାର ହେଉଛୁ। ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର କହିବା କଥା ସ୍ଥାନୀୟ ପ୍ରଶାସନ ଓ ରାଜନେତା ସ୍ଥାନୀୟ ଲୋକଙ୍କ ସହ ସମ୍ପର୍କ ନ ରଖି କାମ ଆରମ୍ଭ କରିବା ଦ୍ୱାରା ଅସ୍ଥିରତା ସୃଷ୍ଟି ହୋଇଛି। ପୂର୍ବତନ ମନ୍ତ୍ରୀ ସାରଦା ନାୟକ କହିଛନ୍ତି, କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବର ଏହା ଏକ ନମୁନା। ସଚେତନ ନାଗରିକ ମଞ୍ଚ ସାଧାରଣ ସମ୍ପାଦକ ପିପି ରାୟ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ରେଳ ଓ ସଡ଼କ ଉପଯୋଗକାରୀ ସଂଘ ସାଧାରଣ ସମ୍ପାଦକ ଅମୂଲ୍ୟ ଚରଣ ବରାଳଙ୍କ ମତରେ ଉଭୟ ସରକାରଙ୍କ ଖାମଖିଆଲ ମନେଭାବ ଯୋଗୁ ସେତୁ ନିର୍ମାଣ ହୋଇପାରୁନାହିଁ। ରାଉରକେଲା ଶକ୍ତିନଗର ଅଞ୍ଚଳର ବୁଦ୍ଧିଜୀବୀ ସଂଗ୍ରାମ ପରିଡ଼ା କହିଛନ୍ତି, ବିଭିନ୍ନ ରାଜନୈତିକ ଦଳ ଏ ନେଇ ଟ୍ରମ୍ପକାର୍ଡ ଖେଳୁଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri