ବିଜେପୁର ଉପନିର୍ବାଚନ: ବିଜେଡ଼ି ବିଜେପୁର ବ୍ଲକ ସଭାପତି ପଦ ଛାଡ଼ିଲେ


ବରଗଡ଼ ଅଫିସ୍‌/ବିଜେପୁର,(ଡି.ଏନ୍‌.ଏ.)୨।୧୨- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ହୋଇନାହିଁ। ଏ ନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି। ମାତ୍ର ଉପନିର୍ବାଚନକୁ ନେଇ ଯେଭଳି ଘଡ଼ିକେ ଘୋଡ଼ା ଛୁଟୁଛି, ତାହା କେବଳ ରାଜନୈତିକ ସମୀକରଣକୁ ବଦଳାଉଛି, ତାହା ନୁହେଁ, ଏହା ବିଭିନ୍ନ ଦଳର ରାଜନେତାଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ରବିବାର ବିଜେପୁରରେ ବିଜେଡ଼ିର ମିଶ୍ରଣ ପର୍ବ ରହିଛି। ଏଥିରେ ପୂର୍ବତନ ଭାଜପା ଜିଲା ସଭାପତି ନାରାୟଣ ସାହୁ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକଭାବେ ବିଜେଡ଼ିରେ ଯୋଗଦେବେ। ତେବେ ଏହାର ଠିକ୍‌ ଦିନକ ପୂର୍ବରୁ ଶନିବାର ବିଜେଡ଼ିର ବିଜେପୁର ବ୍ଲକ ସଭାପତି ରାଧେଶ୍ୟାମ ମହାପାତ୍ର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଦଳୀୟ କର୍ମୀଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇ ନ ଥିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ଜଣାଇ ଦଳର ପ୍ରାର୍ଥିନୀ ରୀତା ସାହୁଙ୍କ ପ୍ରତି ସମସ୍ତ ବିଜେଡ଼ି କର୍ମୀଙ୍କ ସମର୍ଥନ ରହିଛି। କିନ୍ତୁ ଉପନିର୍ବାଚନରେ ମୂଳ ବିଜେଡ଼ି କର୍ମୀଙ୍କୁ ଅଣଦେଖା କରାଯାଇ କଂଗ୍ରେସର କେତେକ ଠିକାଦାରଙ୍କୁ ଦଳ ଗୁରୁତ୍ୱ ଦେଉଥିବା ପ୍ରତିବାଦରେ ସେ ପଦବୀରୁ ଇସ୍ତଫା ଦେଇଥିବା ଏଥିରେ ଉଲ୍ଲେଖ କରିଛନ୍ତି। ମହାପାତ୍ରଙ୍କ ଇସ୍ତଫା ବିଜେପୁର ରାଜନୀତିକୁ ଓଲଟ୍‌ପାଲଟ୍‌ କରିଦେଇ ଥିବାବେଳେ ମିଶ୍ରଣ ପର୍ବର ଦିନକ ପୂର୍ବରୁ ବିଜେଡ଼ିର ରହିଥିବା ଅନ୍ତର୍ଦ୍ୱନ୍ଦ୍ୱ ପଦାରେ ପଡ଼ିଛି। ଅପରପକ୍ଷେ ମହାପାତ୍ରଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ବରଂ ତାଙ୍କ ଇସ୍ତଫା ପରେ ବିଜେପୁର ନିର୍ବାଚନ ମଣ୍ଡଳୀର ତୃଣମୂଳସ୍ତରରେ କାମ କରୁଥିବା ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ, ଖୁସିର ବାତାବରଣ ଖେଳି ଯାଇଛି ବୋଲି ବିଜେଡ଼ି ଜିଲା ଉପସଭାପତି ଜନାର୍ଦ୍ଦନ ପାଣିଗ୍ରାହୀ କହିଛନ୍ତି। ସେ ଆହୁରି କହିଛନ୍ତି, ମହାପାତ୍ର ସଭାପତି ପଦବୀରେ ରହିଥିଲେ ହେଁ ଦଳୀୟ ସାଙ୍ଗଠନିକ କାର୍ଯ୍ୟରେ ସକ୍ରିୟ ନ ଥିଲେ। ଗତ କିଛିମାସ ହେଲା, ଦଳୀୟ କାର୍ଯ୍ୟରେ ନିଜକୁ ଦୂରେଇ ରଖୁଥିଲେ। ଫଳରେ ଗତ ପ୍ରାୟ ମାସେ ତଳେ ସ୍ଥାନୀୟ ବିଜେଡ଼ି କର୍ମୀଙ୍କୁ ନେଇ ଦଳର ଏକ ବୈଠକ ବସିଥିଲା ଏବଂ ମହାପାତ୍ରଙ୍କୁ ସଭାପତି ପଦବୀରୁ ଅପସାରଣ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏପରିକି ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିଲା ବୋଲି ପାଣିଗ୍ରାହୀ କହିଛନ୍ତି। ଫଳରେ ମହାପାତ୍ରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କୌଣସି କାର୍ଯାନୁଷ୍ଠାନ ନେବା ଭୟରେ ଆଗତୁରା ଏଭଳି ଇସ୍ତଫା ପ୍ରଦାନ କରିଛନ୍ତି ଏବଂ ତାଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ପାଣିଗ୍ରାହୀ କହିଛନ୍ତି। ଅନ୍ୟପକ୍ଷେ ଆଗକୁ କୌଣସି ଦଳରେ ଯୋଗଦେବେ କି ବୋଲି ମହାପାତ୍ରଙ୍କୁ ପଚାରିବାରୁ ବର୍ତ୍ତମାନ ତାଙ୍କର ସେଭଳି ଅଭିପ୍ରାୟ ନ ଥିବା ସେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri