ବିଫଳତାରେ ବିଚଳିତ ନ ହେଲେ ସଫଳତା ମିଳେ: ଡ୍ୟାନ୍ସର, କୋରିଓଗ୍ରାଫର ଅମରଦୀପ


ଝାରସୁଗୁଡା ଅଫିସ,୨।୧୨- ବାରମ୍ବାର ବିଫଳତା ମଣିଷକୁ ବିଚଳିତ କରିଦିଏ। ଏପରି କି ଲକ୍ଷ୍ୟ ପଥରୁ ହଟିବାକୁ ମଣିଷକୁ ବାଧ୍ୟ କରାଏ। କିନ୍ତୁ ବିଫଳତାରେ ବିଚଳିତ ନ ହୋଇ ଆଗକୁ ବଢିଲେ ଶେଷରେ ସଫଳତା ମିଳେ ବୋଲି କହିଛନ୍ତି ଲୋକପ୍ରିୟ ଡ୍ୟାନ୍ସର ତଥା କୋରିଓଗ୍ରାଫର ଅମରଦୀପ ସିଂହ। ଡ୍ୟାନ୍ସ ପ୍ଲସ୍‌-୩ର ଉପବିଜେତା ଅମରଦୀପ ସିଂହ ୨ଦିନିଆ ଝାରସୁଗୁଡ଼ା ଗସ୍ତରେ ଆସି ଶନିବାର ଗଣମାଧ୍ୟମକୁ ନିଜର ସଫଳତା ସଂକ୍ରାନ୍ତରେ ଏହା କହିଛନ୍ତି। ଦୀର୍ଘ ୧୨ ବର୍ଷ ଧରି କରିଥିବା କଠୋର ପରିଶ୍ରମ ଏବଂ ନିରନ୍ତର ଚେଷ୍ଟାର ଫଳ ଆଜି ତାଙ୍କୁ ମିଳିଛି। ବାରମ୍ବାର ବିଭିନ୍ନ ଡ୍ୟାନ୍ସ କାର୍ଯ୍ୟକ୍ରମରେ ବିଫଳତା ପରେ ମଧ୍ୟ ମା’ ଏବଂ ବାପା ନୃତ୍ୟ ଏବଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ତାଙ୍କୁ ପ୍ରେତ୍ସାହିତ କରିଥିଲେ। ତେଣୁ ନିଜର ସଫଳତାର ସମସ୍ତ ଶ୍ରେୟ ନିଜ ମା’ ଏବଂ ବାପାଙ୍କୁ ଦେଇଛନ୍ତି ବୋଲି ଅମରଦୀପ କହିଛନ୍ତି। ଦେଶର କୋଣ ଅନୁକୋଣରେ ଅନେକ ନୃତ୍ୟ ପ୍ରତିଭା ଲୁକ୍କାୟିତ ଭାବେ, ସୁଯୋଗ ଅପେକ୍ଷାରେ ଏବଂ ସହାୟତା ଆଶାରେ ରହିଛନ୍ତି। ସେମାନଙ୍କ ପାଖରେ ପହଞ୍ଚିବା ଏବଂ ନିଜ ସଫଳତାର ମନ୍ତ୍ର ପ୍ରଦାନ କରିବା ସହ ଡ୍ୟାନ୍ସ ସମ୍ପର୍କିତ ଜ୍ଞାନ ପ୍ରଦାନ କରିବା ଉଦ୍ଦେଶ୍ୟରେ ସେ ଅଭିଯାନ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମର ନାମ ରଖିଛନ୍ତି ‘ପୈସା କମ୍‌ ଡ୍ୟାନ୍ସ ଜ୍ୟାଦା’। ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ବିଭିନ୍ନ ସହରକୁ ଯାଇ ସେଠାକାର ପ୍ରତିଭାଙ୍କୁ ଭେଟିବେ। ଡ୍ୟାନ୍ସ ଭିତ୍ତିକ ରିଆଲିଟି ସୋ ପାଇଁ ଆବଶ୍ୟକ ଟିପ୍ପଣୀ ଦେବେ, ଡ୍ୟାନ୍ସ ଅଡିଶନ ପାଇଁ କ’ଣ ଆବଶ୍ୟକତା, ବିଚାରପତିଙ୍କ ମନୋଭାବ ଛୁଇଁଲା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସେ ନୂତନ ପ୍ରତିଭାଙ୍କୁ ଟିପ୍ସ ଦେବେ। ପ୍ରଥମେ ବମ୍ବେରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଦ୍ୱିତୀୟରେ ଝାରସୁଗୁଡ଼ା ଏବଂ ଏହା ପରେ ସେ କର୍ନାଟକ ଯିବାର କାର୍ଯ୍ୟକ୍ରମ ରହିଛି। ଝାରସୁଗୁଡ଼ା ସହରକୁ ସେ ବମ୍ବେ ସହ ତୁଳନା କରିଛନ୍ତି। ଝାରସୁଗୁଡ଼ା ଛୋଟିଆ ସହର ହେଲେ ମଧ୍ୟ ବମ୍ବେ ଭଳି ଏଠାରେ ମାର୍କେଟ, ମଲ୍‌, ଅନ୍ତର୍ଜାତୀୟସ୍ତରର ବ୍ରାଣ୍ଡ୍‌ ହେଟେଲ ରହିଛି। ଶନିବାର ଏବଂ ରବିବାର ୮ ଘଣ୍ଟା ଏଠାକାର ପ୍ରତିଭାଧାରୀଙ୍କୁ ନୃତ୍ୟଶିକ୍ଷା ଦେବେ ଅମରଦୀପ। ଅନ୍ତର୍ଜାତୀୟ ମାନବାଧିକାର ଫେଡେରେଶନ୍‌ ଏବଂ ପ୍ରଫେସନାଲ ଡ୍ୟାନ୍ସ ଆକାଡେମୀ ଦ୍ୱାରା ଏହି କର୍ମଶାଳା ଆୟୋଜନ କରାଯାଉଛି। ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଫେଡେରେଶନର କର୍ମକର୍ତ୍ତା ରବିନ ପାଣ୍ଡେ, ଆଶିଷ ବଧାନ, ଅରବିନ୍ଦ ବାରିକ, ଦେବିନ୍‌ ୟାଦବ, ସମୀର ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri