ଏଟିଏମ୍‌ ଗାଡ଼ିରୁ ୨୫ ଲକ୍ଷ ଟଙ୍କା ଲୁଟ୍‌ ଘଟଣା: ୨୪ ଘଣ୍ଟା ପରେ ବି ପୋଲିସ ହାତ ଖାଲି


ନୂଆଗାଁ,୨।୧୨(ଡି.ଏନ.ଏ)- ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲା ନୂଆଗାଁ, ବିଶ୍ରା ବ୍ଲକ୍‌ ଅଞ୍ଚଳରେ ଛିନ୍‌ତାଇ, ଲୁଟ୍‌, ଅପହରଣ ଓ ହତ୍ୟା ଘଟଣା ଘଟିଚାଲିଛି। ଅପରାଧୀମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇ ଗୋଟିଏ ପରେ ଗୋଟିଏ ଆପରାଧିକ କାର୍ଯ୍ୟକଳାପ ଭିଆଇ ଚାଲିଛନ୍ତି। ବେପାରୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଦିନ ଦ୍ୱିପ୍ରହରରେ ଡକାୟତି, ରାହାଜାନି ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ବିଶ୍ରା ଥାନା ଅଧୀନ ସୋରଡ଼ା ଷ୍ଟେଟ୍‌ବ୍ୟାଙ୍କରୁ ପୂର୍ବରୁ ଦିନବେଳା ଦୁଇଦୁଇଥର ବ୍ୟାଙ୍କ୍‌ ଡକାୟତି, ଏଟିଏମ୍‌ ଭଙ୍ଗାରୁଜା ହୋଇସାରିଛି। ଏହାସତ୍ତ୍ୱେ ପୋଲିସର ଅପରାଧୀ ନିୟନ୍ତ୍ରଣ ଅଭିଯାନ ବାସ୍ତବତାରୁ ଦୂରେଇ ଯାଇଥିବା ବେଳେ ପୁଣିଥରେ ବାରିଲେପ୍‌ଟା-ସୋରଡ଼ା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଅପରାଧୀମାନେ ବଡ଼ଧରଣର ଲୁଟ୍‌ କରି ସୀମାନ୍ତ ପୋଲିସର ପାରିବାରପଣିଆକୁ ପାଣିଚିଆ କରିଦେଇଛନ୍ତି। ଏଥର ଦୁର୍ବୃତ୍ତମାନେ ଏଟିଏମ୍‌କୁ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ସିଏମ୍‌ଏସ୍‌ କମ୍ପାନୀର ଏକ ଗାଡ଼ି (ନଂ.ଓଡି ୦୨ସି ୬୧୮୧)କୁ ଟାର୍ଗେଟ୍‌ କରିଛନ୍ତି। ବନ୍ଧୁକ ଓ ଭୁଜାଲି ଆଦି ମାରଣାସ୍ତ୍ରରେ ଉକ୍ତ ଗାଡ଼ିରୁ ୨୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଶୁକ୍ରବାର ରାତି ପ୍ରାୟ ୭ଟାରୁ ୮ ମଧ୍ୟରେ ଏହି ଡକାୟତି ଘଟିଥିବା ବିଶ୍ରା ଥାନାରେ ଅଭିଯୋଗ ହୋଇଛି। ଫଳରେ ଶୋଇ ରହିଥିବା ପୋଲିସ ପୁଣିଥରେ ଚେଇଁ ଉଠିଛି। ବିଶ୍ରା ଥାନା ଅଧିକାରୀ ବିକାଶ କୁମାର ସ୍ବାଇଁ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ଫେରିଛନ୍ତି। ଥାନାରେ ଏ ନେଇ ଏକ ମାମଲା (ନଂ.୧୦୬/୧୭) ରୁଜୁ ହୋଇଛି। ଶନିବାର ରାଉରକେଲା ଏସ୍‌ପି ନିଜେ ବିଶ୍ରା ଥାନାକୁ ଆସି ଘଟଣାର ତଦନ୍ତ କରିଛନ୍ତି। ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ସମ୍ପୃକ୍ତି ନେଇ ଖୋଳତାଡ଼ ଜାରି ରହିଥିବା ସେ କହିଛନ୍ତି। ହେଲେ ଘଟଣା ଘଟିବାର ୨୪ ଘଣ୍ଟା ପରେ ମଧ୍ୟ ପୋଲିସର ଗୁଇନ୍ଦା ଟିମ୍‌ ସନ୍ଦିଗ୍ଧ ଅପରାଧୀଙ୍କ ନିକଟରେ ପହଞ୍ଚିବାରେ ବିଫଳ ହୋଇଛି। ଏହି ଚାଞ୍ଚଲ୍ୟକର ଲୁଟ୍‌ ହଇଚଇ ସୃଷ୍ଟି କରିଛି। ବିଶ୍ରା ଥାନା ସୋରଡ଼ା, ଚିତାପେଡ଼ି, ଓରମେଇ, ବଡଯୋଜଦା, ବାରଲେପ୍‌ଟା, ବାଗ୍‌ଡ଼େଗା ଭଳି ପଞ୍ଚାୟତ ଅଞ୍ଚଳଗୁଡ଼ିକ ପିଏଲ୍‌ଏଫ୍‌ଆଇ ଉପଦ୍ରୁତ ଅଞ୍ଚଳ ହୋଇଥିବା ବେଳେ ପୋଲିସର ରାତ୍ରି ପାଟ୍ରୋଲିଂ ଦୁର୍ବଳ ବୋଲି ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଝାଡ଼ଖଣ୍ଡ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀମାନେ ପିଏଲ୍‌ଏଫ୍‌ଆଇ ସଙ୍ଗଠନ ନାଁରେ ଏହି ଉପାନ୍ତ ଅଞ୍ଚଳମାନଙ୍କରେ ପତିଆରା ବୃଦ୍ଧି କରିବାରେ ଲାଗିଛନ୍ତି। ସେମାନଙ୍କ ଭୟରେ ଲୋକେ ରାତି ତ ଛାଡ଼ ଦିନବେଳା ଟଙ୍କା ପଇସା ବେପାର କରିବାକୁ ସୁରକ୍ଷିତ ମଣୁନାହାନ୍ତି। ଅନ୍ୟପଟେ, ଯେଉଁଠି ଦିନବେଳା ବ୍ୟାଙ୍କ୍‌ ଡକାୟିତ ଘଟୁଛି ସେଠି ସିଏମ୍‌ଏସ୍‌ କମ୍ପାନୀର ଗାଡ଼ି ଟଙ୍କା ବସ୍ତା ଧରି କିଭଳି ସନ୍ଧ୍ୟାରେ ସୋରଡ଼ା ଏଟିଏମ୍‌ କାଉଣ୍ଟରକୁ ଭର୍ତ୍ତି କରିବାକୁ ଆସୁଥିଲା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସିଏମ୍‌ସି କର୍ତ୍ତୃପକ୍ଷଙ୍କ ଖାମ୍‌ଖିଆଲି, ବେପରୁଆ ମନୋଭାବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଘଟିଥିବା ଘଟଣା ଅନୁଯାୟୀ, ବାରିଲେପ୍‌ଟାରୁ ସୋରଡ଼ା ଏଟିଏମ୍‌ କାଉଣ୍ଟରକୁ ସିଏମ୍‌ସିର ଟଙ୍କା ଭର୍ତ୍ତି ଗାଡ଼ି ସନ୍ଧ୍ୟାରେ ବାହାରିଥିଲା। ଏହି ଗାଡ଼ିକୁ ୨ ବାଇକ୍‌ରେ ୪ ଯୁବକ ପିଛା କରିଥିଲେ। ବାରିଲେପ୍‌ଟାରୁ ମାତ୍ର ଅଧ କିମି ଦୂରରେ ଯୁବକମାନେ ଗାଡ଼ିକୁ ଅଟକାଇଥିଲେ। ଗାଡ଼ିରେ ଚାଳକଙ୍କ ସମେତ ସିକ୍ୟୁରିଟି ଗାର୍ଡଙ୍କୁ ମିଶାଇ ୫ଜଣ କର୍ମଚାରୀ ଥିଲେ। ଯୁବକମାନେ ପ୍ରଥମେ ଗାଡ଼ିର ଚାଳକକୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକ ଛଡ଼ାଇ ନେଇଥିଲେ। ପରେ ଗାଡ଼ି ମଧ୍ୟରେ ଥିବା ଟଙ୍କା ଭର୍ତ୍ତି ବସ୍ତା ଲୁଟି ନେଇଥିଲେ। ଲୁଟେରାମାନେ ଘଟଣାସ୍ଥଳରୁ ଅଦୃଶ୍ୟ ହୋଇଯିବା ପରେ ସିଏମ୍‌ସି ଗାଡ଼ି ସୋରଡ଼ା ପହଞ୍ଚିଥିଲା। ବାରମ୍ବାର ଦାବି ସତ୍ତ୍ୱେ ସୋରଡ଼ାରେ ଥାନାଟିଏ ହୋଇପାରିନଥିବାରୁ ଗାଡ଼ିଟି ହାତିବାରୀ ଥାନା ଆଡ଼କୁ ମହାଁଇଥିଲା। ହେଲେ ବାରିଲେପ୍‌ଟା-ସୋରଡ଼ା ରାସ୍ତା ହାତିବାରୀ ଥାନା ଅଧୀନ ହୋଇନଥିବାରୁ ସେଠାକାର ପୋଲିସ ବିଶ୍ରା ଥାନାକୁ ଖବର କରିଥିଲେ। ବର୍ତ୍ତମାନ ସିଏମ୍‌ଏସ୍‌ ଗାଡ଼ିରେ ଥିବା କର୍ମଚାରୀଙ୍କୁ ପୋଲିସ ପଚରାଉଚୁରା ଚଳାଇଛି। ତଥ୍ୟ ଆଧାରରେ ତଦନ୍ତ ଜାରି ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri