ଭିନ୍ନକ୍ଷମ ଶିଶୁଙ୍କ ଉତ୍ସବ କସ୍ତୁରୀ ଉଦ୍‌ଘାଟିତ: ଦିବ୍ୟାଙ୍ଗ ଦୁର୍ଲଭ ଗୁଣର ଅଧିକାରୀ


ସୋନପୁର,୨।୧୨(ନି.ପ୍ର)-ମଣିଷ ଜୀବନ ଶ୍ରେଷ୍ଠ। ଯାହା ଅନ୍ୟ ଜୀବଙ୍କଠାରେ ନାହିଁ। ଦିବ୍ୟାଙ୍ଗଙ୍କଠାରେ ଦୁର୍ଲଭ ଗୁଣ ରହିଛି। ଆତ୍ମ ବିଶ୍ୱାସ ସୃଷ୍ଟି କରାଯାଇ ପାରିଲେ ସେମାନଙ୍କ ଭିତରେ ଥିବା ସୃଜନଶୀଳତାର ପରିପ୍ରକାଶ ହେବ ବୋଲି ଭିନ୍ନକ୍ଷମ ଶିଶୁ ମହୋତ୍ସବ କସ୍ତୁରୀ-୨୦୧୭ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସୁବର୍ଣ୍ଣପୁର ଜିଲାପାଳ ଦାଶରଥି ଶତପଥୀ ଏହି ମତବ୍ୟକ୍ତ କରିଛନ୍ତି। ଜିଲାପାଳ ଆହୁରି କହିଥିଲେ ଯେ, ଆମ ଦେଶରେ ୧୦୦ ପିଲାଙ୍କ ମଧ୍ୟରୁ ୩୨ ଜଣ ଭିନ୍ନକ୍ଷମ ହୋଇ ଜନ୍ମ ହେଉଛନ୍ତି। ସେମାନଙ୍କୁ ସମାଜ ଓ ପରିବାର ଅଣଦେଖା କରିବା ଅନୁଚିତ। ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ର ଭିନ୍ନକ୍ଷମ ଅଭିଭାବକ ସଂଘ ସମୂହର ସଭାପତି ତଥା ଅବସରପ୍ରାପ୍ତ ସେନା ଅଧିକାରୀ ଶ୍ରୀରଙ୍ଗ ଏନ୍‌ ବିଜୁର ଯୋଗଦେଇ କହିଥିଲେ ଯେ, ଶିଶୁମାନେ ଅମୃତର ସନ୍ତାନ। ଭିନ୍ନକ୍ଷମ ଜନସଂଖ୍ୟାର ୭୫ପ୍ରତିଶତ ଗ୍ରାମାଞ୍ଚଳରେ ବାସ କରୁଥିବାରୁ ସେମାନଙ୍କ ସଶକ୍ତିକରଣ ଓ ଗୋଷ୍ଠୀଭିତ୍ତିକ ଥଇଥାନ ତଥା ଅଧିକାରର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ ଚନ୍ଦ୍ର ଦାଶ, ଅବସରପ୍ରାପ୍ତ ସେନା ଅଧିକାରୀ ମଧୁସୂଦନ ପୂଜାହାରୀ ଓ ସମାଜିକ କର୍ମୀ ଡ. ପରେଶ ଚନ୍ଦ୍ର ଦାନୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ଶିଶୁମାନଙ୍କୁ ଉପଯୁକ୍ତ ଯତ୍ନ ଓ ପରାମର୍ଶ ଦେଲେ ସେମାନେ କାହାରି ଉପରେ ଆଉ ବୋଝ ହୋଇ ରହିବେ ନାହିଁ ବୋଲି ମତପ୍ରକାଶ କରିଥିଲେ। ସିଡିଏମଓ ଡାକ୍ତର ଶୋଭାଚନ୍ଦ୍ର ମେହେର ଯୋଗଦେଇ ପ୍ରତିଭାଗୀମାନଙ୍କୁ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ରହିଥିବା ଚିକିତ୍ସା ସେବା ଓ ପରିବାର ଭିତ୍ତିକ ସେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ରେଆରର ସାଧାରଣ ସମ୍ପାଦକ ଆଶୁତୋଷ ହୋତା ସଭାକୁ ସଂଯୋଜନା କରିଥିଲାବେଳେ ସଭାପତି ଗୌରିଶ୍ୟମ ପଣ୍ଡା ଏହି ଉତ୍ସବ ଭିନ୍ନକ୍ଷମ ବ୍ୟକ୍ତିଙ୍କର ଓ ଜିଲାର ଏକ ସ୍ବାଭିମାନର ଉତ୍ସବ ବୋଲି କହିଥିଲେ। ଉତ୍ସବର ଲକ୍ଷ୍ୟ, ଭିନ୍ନକ୍ଷମଙ୍କ ଉନ୍ନତି ଓ ୮ ବର୍ଷ ଧରି କସ୍ତୁରୀ ଜରିଆରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ନେଇ ସଭାପତି ପଣ୍ଡା ଅବତାରଣା କରିଥିଲେ। ଭିନ୍ନକ୍ଷମଙ୍କ ଅଭିଭାବକଙ୍କ ଜାଣିବା ପାଇଁ ମସ୍ତିଷ୍କ ପକ୍ଷାଘାତ ପୁସ୍ତିକାକୁ ଅତିଥି ବୃନ୍ଦ ଉନ୍ମୋଚନ କରିଥିଲେ। ଅପରପକ୍ଷରେ ଶିଶୁମାନଙ୍କ ପାଇଁ ବେଲୁନ କ୍ରାଫ୍ଟ, କାଗଜ ନିର୍ମିତ ଉପକରଣ, କଣ୍ଢେଇ ପ୍ରସ୍ତୁତି ଓ ରଙ୍ଗୋଲି ଆଦି କାର୍ଯ୍ୟକ୍ରମରେ ଲିପ୍ତ ରହିଥିଲେ। ସନ୍ଧ୍ୟାରେ ଶିଶୁମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି ଉତ୍ସବରେ ସୁବର୍ଣ୍ଣପୁର, ବଲାଙ୍ଗୀର, କୋରାପୁଟ, ସମ୍ବଲପୁର, ବରଗଡ, ଦେବଗଡ, ବୌଦ୍ଧ, ନବରଙ୍ଗପୁର ଓ ବାଲେଶ୍ୱର ଜିଲାରୁ ଶତାଧିକ ଶିଶୁ ଓ ଅଭିଭାବକ ଯୋଗ ଦେଇଛନ୍ତି। ପ୍ରକଳ୍ପ ସଂଯୋଜକ ସୁଶାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ରେଆର ସୋନପୁର, ଜିଲା ଭିନ୍ନକ୍ଷମ ଅଭିଭାବକ ସଂଘ ଓ ସୁବର୍ଣ୍ଣପୁର ଜିଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଭିନ୍ନକ୍ଷମଙ୍କ ରାଜ୍ୟସ୍ତରୀୟ ସୃଜନାତ୍ମକ ଉତ୍ସବ ଆୟୋଜିତ ହେଉଛି। ପ୍ରାରମ୍ଭରେ ବୌଦ୍ଧିକ ଓ ମାନସିକ ଅନଗ୍ରସର ଶିଶୁ ମାନଙ୍କ ଦ୍ୱାରା ଏକ ନୃତ୍ୟ ପରିବେଷଣ କରା ଯାଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri