ପଛରେ ପଡ଼ିଛି ପୁରୁଷ ବନ୍ଧ୍ୟାକରଣ


ଝାରସୁଗୁଡ଼ା ଅଫିସ,୧।୧୨- ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାରଙ୍କ ବହୁବିଧ ଯୋଜନା। ସେଥିମଧ୍ୟରୁ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଅନ୍ୟତମ। କିଛିବର୍ଷ ପୂର୍ବରୁ କେବଳ ମହିଳାମାନେ ଏହି ଅସ୍ତ୍ରୋପଚାର କରୁଥିଲେ। ଏକ ନିର୍ଦ୍ଦିଷ୍ଟ ସମୟ କିମ୍ବା ଇଚ୍ଛା ମୁତାବକ ସନ୍ତାନ ହାସଲ ପରେ ମହିଳାମାନେ ପରିବାର ନିୟୋଜନ ଯୋଜନାରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଇ ନେଉଥିଲେ। ଏହି ଅସ୍ତ୍ରୋପଚାର ପୁରୁଷଙ୍କ କ୍ଷେତ୍ରରେ ସରଳ ଓ ନିରାପଦ ହୋଇଥିଲେ ମଧ୍ୟ ଆମ ସମାଜ ପୁରୁଷ ପ୍ରାଧାନ୍ୟ ହୋଇଥିବାରୁ ଏହାର ପ୍ରଚଳନ ବିଳମ୍ବରେ ହୋଇଥିଲା। ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ସହ ଅସ୍ତ୍ରୋପଚାର ପାଇଁ ସରକାର ବିଭିନ୍ନ ଯୋଜନା କଲେ। ମାଗଣା ଅସ୍ତ୍ରୋପଚାର ସହ ଅନ୍ୟାନ୍ୟ ସହାୟତା ପ୍ରଦାନ ପୂର୍ବକ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାରକୁ ପ୍ରଚାର ପ୍ରସାର କରାଗଲା। ଏ ବାବଦରେ ପୁରୁଷଙ୍କୁ ସଚେତନ କରାଇବା ଲାଗି ସ୍ବାସ୍ଥ୍ୟ ବିଭାଗ ମଧ୍ୟ ବହୁ ଚେଷ୍ଟା କରିଚାଲିଛି। ଏହି କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗ ବିଫଳ ନ ହେଲେ ମଧ୍ୟ ଆଶାଜନକ ସଫଳତା ପାଇପାରିନାହିଁ। ଗତ ୫ ବର୍ଷରେ ହୋଇଥିବା ବନ୍ଧ୍ୟାକରଣ ଅସ୍ତ୍ରୋପଚାର ତଥ୍ୟକୁ ଅନୁସରଣ କଲେ ଜଣାଯାଏ ଯେ ଏହି ସମୟ ମଧ୍ୟରେ ଝାରସୁଗୁଡ଼ା ଜିଲାରେ ମାତ୍ର ୭୧ ଜଣ ପୁରୁଷ ନିଜର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିବାବେଳେ ୭୮୩୧ ମହିଳା ବାକରଣ କରିଥିବା ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜଣାଯାଇଛି। ମିଳିଥିବା ତଥ୍ୟ ଅନୁସାରେ, ୨୦୧୨-୧୩ ବର୍ଷରେ ଝାରସୁଗୁଡ଼ା ଜିଲାରେ ୧୭୬୧ ଜଣ ମହିଳା ନିଜର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିବା ବେଳେ ଉକ୍ତବର୍ଷ ମାତ୍ର ୧୦ ଜଣ ପୁରୁଷ ଏହି ଅସ୍ତ୍ରୋପଚାର କରିଛନ୍ତି। ସେହିପରି ୨୦୧୩-୧୪ରେ ୧୬୮୨ ମହିଳା ଓ ୩ ଜଣ ପୁରୁଷ, ୨୦୧୪-୧୫ରେ ୧୩୧୧ ମହିଳା ଓ ୧୦ ଜଣ ପୁରୁଷ, ୨୦୧୫-୧୬ରେ ୧୫୨୫ ମହିଳା ଓ ୧୯ ଜଣ ପୁରୁଷ, ୨୦୧୬-୧୭ରେ ୧୫୫୨ ମହିଳା ଓ ୨୯ ପୁରୁଷ ନିଜର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିବା ଜଣାଯାଇଛି। ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ସଚେତନ ହୋଇଥିଲେ ମଧ୍ୟ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ସେମାନଙ୍କ ସଂଖ୍ୟା ମହିଳାଙ୍କ ଅନୁପାତରେ ଅତ୍ୟନ୍ତ ନୂ୍ୟନ। ସେହିପରି ଝାରସୁଗୁଡ଼ା ଜିଲାର ବିଭିନ୍ନ ବ୍ଲକ୍‌ରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାରର ଏକ ତୁଳନାତ୍ମକ ବିବରଣୀ ହସ୍ତଗତ ହୋଇଛି। ଗତ ୫ ବର୍ଷରେ ଝାରସୁଗୁଡା ବ୍ଲକର ୨୨୨୩ ମହିଳା ଓ ୯ ଜଣ ପୁରୁଷ, କିର୍ମିରା ବ୍ଲକର ୬୧୭ ମହିଳା ଓ ୧୦ ପୁରୁଷ, କୋଲାବିରା ବ୍ଲକର ୬୯୧ ମହିଳା ଓ ୧୭ ପୁରୁଷ, ଲଇକେରା ବ୍ଲକର ୬୩୬ ମହିଳା ଓ ୧୩ ପୁରୁଷ, ଲଖନପୁର ବ୍ଲକ୍‌ର ୨୦୧୪ ମହିଳା ଓ ୧୫ ପୁରୁଷ ବାକରଣ ଅସ୍ତ୍ରୋପଚାର କରିଛନ୍ତି। ଜିଲା ମୁଖ୍ୟ ହସ୍ପିଟାଲରେ ୧୪୯୮ ମହିଳା ଓ ୭ ପୁରୁଷ ଓ ଘରୋଇ ହସ୍ପିଟାଲରେ ମୋଟ ୪୯ଜଣ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଛନ୍ତି। ନଭେମ୍ବର ୨୧ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ପୁରୁଷ ବନ୍ଧ୍ୟାକରଣ ପକ୍ଷଭାବେ ପାଳନ କରାଯାଉଛି। ଏହି ଅବସରରେ ସ୍ବାସ୍ଥ୍ୟକର୍ମୀ ଘର ଘର ବୁଲି ସଚେତନ କରାଉଛନ୍ତି, ପୋଷ୍ଟର, ଲିଫ୍ଲେଟ୍‌ ବଣ୍ଟନ କରାଯାଉଛି, ମାଗଣା ଶିବିର ଆୟୋଜନ କରି ଅସ୍ତ୍ରୋପଚାର କରାଯାଉଛି ବୋଲି ଜିଲା ହସ୍ପିଟାଲର ଏଡିଏମ୍‌ଓ ଡା. ମହେଶ ମୋହନ ପଣ୍ଡା କହିଛନ୍ତି। ହେଲେ ପୁରୁଷଙ୍କ କ୍ଷେତ୍ରରେ ଆଶାଜନକ ସଫଳତା ମିଳିପାରୁନାହିଁ। ତଥାପି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଛି। ଏହି ଅସ୍ତ୍ରୋପଚାର ପୁରୁଷଙ୍କ କ୍ଷେତ୍ରରେ ସହଜ, ଫଳପ୍ରଦ, ସୁରକ୍ଷିତ, ପ୍ରର୍ଶ୍ୱପ୍ରତିକ୍ରିୟା ବିହୀନ, ପୁରୁଷତ୍ୱ ଓ ଯୌନସୁଖ ହ୍ରାସ ନ ହେବାର ପ୍ରତିଶ୍ରୁତି ଦେଲେ ମଧ୍ୟ ପୁରୁଷମାନେ ଆଗ୍ରହୀ ନ ହେବା ବିଡ଼ମ୍ବନା। ଅନ୍ୟପକ୍ଷରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ନିୟନ୍ତ୍ରଣ ବିନା ରାଜ୍ୟର ପ୍ରଗତି କଷ୍ଟସାଧ୍ୟ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri