୨ ଠିକାଦାର ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା


ରାଉରକେଲା ଅଫିସ,୧।୧୨-ରାଉରକେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ କିଶୋର କୁମାର ମିଶ୍ରଙ୍କ ବଦଳି ନିର୍ଦ୍ଦେଶ ଗତ ୧୫ ତାରିଖରେ ଆସିବା ପରେ ଠିକାଦାରମାନେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ତାଙ୍କୁ ବିରୋଧ କରୁଥିବାବେଳେ ଆଉ ଏକ ଗୋଷ୍ଠୀ ସମର୍ଥନ କରୁଛନ୍ତି। ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ବରଗଡ଼ ଜିଲା ପଦ୍ମପୁରକୁ ହୋଇଛି। ତେଣୁ ସେ ତୁରନ୍ତ ସେଠାରେ ଯୋଗଦେବା ଉଚିତ ବୋଲି ବିରୋଧୀ ଗୋଷ୍ଠୀ କହୁଛନ୍ତି। ରାଉରକେଲାରେ ତାଙ୍କର କିଛି ସ୍ବାର୍ଥ ରହିଯାଇଥିବାରୁ ସେ ଏଠାରୁ ଯାଉନାହାନ୍ତି। ସରକାରୀ ନିର୍ଦ୍ଦେଶ ମୁତାବକ ତୁରନ୍ତ ସେ ରାଉରକେଲା ଛାଡ଼ନ୍ତୁ ବୋଲି ଏହି ଗୋଷ୍ଠୀ ଦାବି କରିଛନ୍ତି। ସେ ରାଉରକେଲା ଛାଡ଼ି ପଦ୍ମପୁରରେ ଯୋଗଦେଲେ ଭୁବନେଶ୍ୱରରୁ ଏଠାରୁ ବଦଳି ହୋଇଥିବା ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟରେ ଯୋଗ ଦେବେ ବୋଲି ଏହି ଗୋଷ୍ଠୀ କହୁଛନ୍ତି। ଅନ୍ୟପକ୍ଷରେ ଆଉ ଏକ ଗୋଷ୍ଠୀ ନିର୍ବାହୀ ଯନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ଲାଗିପଡ଼ିଛନ୍ତି। ତାଙ୍କ ବଦଳି କିପରି ବାତିଲ ହେବ ସେ ନେଇ ଦିନରାତି ଏକ କରିଦେଇଛନ୍ତି। ଗୁରୁବାର ଏହି ଗୋଷ୍ଠୀ ଏକ ପ୍ରେସ ବିବୃତି ଜାରିକରି ନିର୍ବାହୀ ଯନ୍ତ୍ରୀଙ୍କ ସପକ୍ଷରେ ଏକ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି। ଉକ୍ତ ରିପୋର୍ଟ କାର୍ଡରେ ଉଲ୍ଲେଖ ରହିଛି ଯେ କିଶୋର କୁମାର ମିଶ୍ର ଏଠାରେ ଯୋଗଦେବା ପୂର୍ବରୁ ରାଉରକେଲା ଗ୍ରାମ୍ୟ ଉନ୍ନୟନ ବିଭାଗର ର଼୍ୟାଙ୍କ ୫୮ରେ ଥିଲା। କିନ୍ତୁ ତାଙ୍କ ଉଦ୍ୟମ ଯୋଗୁ ତାହା ଆଜି ୨ ନମ୍ବରକୁ ଉନ୍ନୀତ ହୋଇଛି। ସେହିପରି ନିର୍ବାହୀ ଯନ୍ତ୍ରୀ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ଅମଳରେ ମାତ୍ର ୮ ମାସ ମଧ୍ୟରେ ୩୪ଟି ପ୍ରକଳ୍ପ ସମ୍ପନ୍ନ ହୋଇଛି। ୧୩ଟି କାର୍ଯ୍ୟ ପୁନର୍ବାର ଟେଣ୍ଡର ହୋଇ ନୂଆ ଠିକାଦାରଙ୍କୁ ଦିଆଯାଇଛି। ଦୀର୍ଘଦିନରୁ ଅସମ୍ପୂର୍ଣ୍ଣ ଥିବା ୧୨ଟି ସେତୁ ସମ୍ପୂର୍ଣ୍ଣ ହୋଇଛି। ୧୨୨ଟି ନୂତନ ରାସ୍ତା ନିର୍ମାଣ କରିବାକୁ ସେ ଉଦ୍ୟମ କରିଛନ୍ତି। ୮୪ଟି ପିଏମ୍‌ଜିଏସ୍‌ୱାଇ ବିଲ୍‌ ସମ୍ପୂର୍ଣ୍ଣଭାବେ ଫାଇନାଲ କରିଛନ୍ତି। ଯାହା ସର୍ବକାଳୀନ ରେକର୍ଡ ବୋଲି ଏହି ଗୋଷ୍ଠୀ ପ୍ରେସ୍‌ ବିବୃତିରେ ଉଲ୍ଲେଖ କରିଛନ୍ତି। ଏହା ପ୍ରଚାର ହେବା ପରେ ବିରୋଧୀ ଗୋଷ୍ଠୀ ଅଭିଯୋଗ କରିଛନ୍ତି ଯେ ଯନ୍ତ୍ରୀ ଠିକାଦାରମାନଙ୍କ ବିଲ୍‌ ପ୍ରଦାନ ଦିଗରେ ନାନା ସମସ୍ୟା ସୃଷ୍ଟି କରନ୍ତି। ଯାହା ଫଳରେ ଗତବର୍ଷ ଜଣେ ଠିକାଦାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏ ନେଇ କୁଅଁାରମୁଣ୍ଡା ଫାଣ୍ଡିରେ ମାମଲା ମଧ୍ୟ ହୋଇଥିଲା। ନିର୍ବାହୀ ଯନ୍ତ୍ରୀଙ୍କ ଚାଟୁକାର ସାଜିଥିବା ଏହି ଠିକାଦାର ଗୋଷ୍ଠୀଙ୍କ କାର୍ଯ୍ୟର ମାନ ଯାଞ୍ଚ ହେଉ ବୋଲି ବିରୋଧୀ ଦାବି କରିଛନ୍ତି। ଏ ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ମିଶ୍ର କହିଛନ୍ତି, ସେ ସରକାରୀ ନିର୍ଦ୍ଦେଶକୁ ସମ୍ମାନ ଦେଉଛନ୍ତି। ଭୁବନେଶ୍ୱରରୁ ଏଠାକୁ ବଦଳି ହୋଇଥିବା ନିର୍ବାହୀ ଯନ୍ତ୍ରୀ ଆସି ନ ଥିବାରୁ ସେ ଦାୟିତ୍ୱ ହସ୍ତାନ୍ତର କରିପାରୁନାହାନ୍ତି। ଯେଉଁଦିନ ଆସିବେ ସେ ତାଙ୍କ ନୂତନ ବଦଳି ସ୍ଥାନରେ ଯୋଗଦେବେ ବୋଲି ମିଶ୍ର କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri