ଅତିଥି ପକ୍ଷୀଙ୍କ କଳରବରେ କମ୍ପୁଛି ହୀରାକୁଦ ଜଳଭଣ୍ଡାର


ସମ୍ବଲପୁର, ୩୦।୧୧ (ବ୍ୟୁରୋ)- ଏସିଆର ଦୀର୍ଘତମ ନଦୀ ବନ୍ଧ ହୀରାକୁଦ। ୭୪୬ ବର୍ଗ କିଲୋମିଟର ଜଳଭଣ୍ଡାର। ଜଳଭଣ୍ଡାରର ନୀଳ ଜଳରାଶିରେ ଜଳକ୍ରୀଡା କରନ୍ତି ଅତିଥି ପକ୍ଷୀ। ଚଳିତବର୍ଷ ବିଦେଶୀ ପକ୍ଷୀ ହୀରାକୁଦ ଜଳଭଣ୍ଡାରରେ ଆସି ପହଞ୍ଚିଛନ୍ତି। ବର୍ତ୍ତମାନ ସୁଦ୍ଧା କମନ୍‌ ପୋଚାର୍ଡ, କମନ୍‌ ଗଲ୍‌, ଗ୍ରେଟ୍‌ କ୍ରେଷ୍ଟେଟ୍‌ ଗ୍ରିବ୍‌, ବ୍ଲାକ ହେଡେଡ୍‌, ରେଡ ହେଡେଡ୍‌, ଟପ୍‌ ରେଡ ହେଡେଡ୍‌ ପକ୍ଷୀଙ୍କ କଳରବରେ ଉଛୁଳି ପଡୁଛି ହୀରାକୁଦ ଜଳଭଣ୍ଡାର। ମାଳଦୀପ ଓ ସାଇବେରିଆ ଅଞ୍ଚଳରୁ ଆସିଥିବା ଏହି ପକ୍ଷୀମାନେ ଜଳଭଣ୍ଡାରରେ ରମ୍ପାଲୁଗା, ଇବ୍‌ ଥର୍ମାଲ୍‌, ଡୁଙ୍ଗୁରୀ, ପଥରଫେନି, ବାଗମୁଡା, ଚୌରାଶିମାଲ, ପୂଜାରୀପାଲି, ପାର୍ବତୀ ଟଙ୍କ, ରେଙ୍ଗାଲି ପ୍ରଭୃତି ଅଞ୍ଚଳରେ ବେଶି ସଂଖ୍ୟାରେ ଆସ୍ଥାନ ଜମାଇଛନ୍ତି। ପାହାଡ, ଜଙ୍ଗଲ, ପାଣି ଓ କୁଦ ସୌନ୍ଦର୍ଯ୍ୟରେ ବିଦେଶୀ ପକ୍ଷୀମାନେ ଆକର୍ଷିତ ହୋଇଥାନ୍ତି। ଏଥିସହ ମଧୁର ମାଛ ସେମାନଙ୍କୁ ଟାଣି ଆଣିଥାଏ ସୁଦୂର ସାଇବେରିଆ ଓ ମାଳଦୀପରୁ ଏହି ଜଳଭଣ୍ଡାରକୁ। ସମୟାନୁସାରେ ନଭେମ୍ବର ମାସରେ ଏହି ପକ୍ଷୀମାନେ ଆଗମନ କରିଥାନ୍ତି। ଡିସେମ୍ବର ଶେଷ ସପ୍ତାହ ଓ ଜାନୁୟାରୀରେ ପକ୍ଷୀଙ୍କ ସଂଖ୍ୟା ବଢ଼ିଥାଏ। ତେଣୁ ପାଣିପାଗ ଶୀତର ମାତ୍ରାକୁ ଦୃଷ୍ଟିରେ ରଖି ପକ୍ଷୀ ଗଣନା କରାଯାଇଥାଏ। ଏଥିପାଇଁ ୧୪ଟି ଟିମ୍‌ ଗଠନ କରାଯାଇଥାଏ। ପ୍ରତ୍ୟେକ ଟିମ୍‌ରେ ୫ଜଣଙ୍କୁ ସାମିଲ କରାଯାଇଥାଏ। ଏଥିରେ ଡଙ୍ଗା ଚାଳକ, ପକ୍ଷୀ ବିଶେଷଜ୍ଞ, ଗଣନାକାରୀ, ଜଙ୍ଗଲ ବିଭାଗ କର୍ମଚାରୀ ଏବଂ ସହଯୋଗୀ ଡଙ୍ଗାଚାଳକ ରହିଥାନ୍ତି। କିନ୍ତୁ ପରିତାପର ବିଷୟ ଯେ, ବର୍ତ୍ତମାନ ପକ୍ଷୀ ପହଞ୍ଚତ୍ ସାରିଛନ୍ତି। କିନ୍ତୁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପ୍ରସ୍ତୁତ ହୋଇନାହିଁ। ଅପରପକ୍ଷେ ସମ୍ପ୍ରତି ପକ୍ଷୀ ଗଣନା କରିବା ପାଇଁ ୩ଟି ମୋଟର ଡଙ୍ଗା ରହିଛି। ସେଥିମଧ୍ୟରୁ ୨ଟି ଅଚଳ ଥିବାବେଳେ ଅନ୍ୟଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ନାହିଁ। ତେଣୁ ଚଳିତବର୍ଷ କିପରି ପକ୍ଷୀ ଗଣନା କରାଯିବ ସେ ନେଇ ସଂଶୟ ଦେଖାଦେଇଛି। ଅପରପକ୍ଷେ ଚଳିତବର୍ଷ ସାଧାରଣ ଡଙ୍ଗା ବ୍ୟବହାର କରାଯାଇଥିଲା। ଏଥିସହ ପକ୍ଷୀଗଣନା ନାମରେ ବିଭାଗୀୟ ଅଧିକାରୀମାନେ ଗତବର୍ଷ ନିଜ ଛୋଟ ପିଲାଙ୍କୁ ମଧ୍ୟ ବିପଦସଙ୍କୁଳ ଭାବେ ଜଳଭଣ୍ଡାରରେ ବୁଲାଉଥିବା ଦେଖାଯାଇଥିଲା। ଏହାକୁ ନେଇ ପକ୍ଷୀ ବିଶେଷଜ୍ଞଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ବିଭାଗ କିପରି ଭାବେ ପକ୍ଷୀ ଗଣନା କରିବ, ସେ ନେଇ ଏପର୍ଯ୍ୟନ୍ତ କିଛି ପ୍ରସ୍ତୁତି ହୋଇନାହିଁ। ଏନେଇ ବନ୍ୟପ୍ରାଣୀ ଡିଏଫ୍‌ଓ ସୁଦୀପ୍ତ ନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଅତିଥି ପକ୍ଷୀ ଆସି ପହଞ୍ଚତ୍ଛନ୍ତି। ମାତ୍ର ଗଣନା ପାଇଁ ଏପର୍ଯ୍ୟନ୍ତ କୌଣସି ଯୋଜନା କରାଯାଇନାହିଁ। ଖୁବ ଶୀଘ୍ର ଯୋଜନା କରାଯାଇ ପକ୍ଷୀ ଗଣନା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଅନ୍ୟପକ୍ଷେ ଗୁରୁବାର ହୀରାକୁଦ ଡ୍ୟାମ ଅଞ୍ଚଳର ହାଡଖାଇ, ରୋଲକୁସୁମ, ମୁଣ୍ଡୋମହୁଲ, କେନ୍ଦୁଟାଲ, ବର୍ଦ୍ଧମାନ, କୁସୁମକେଲ, ଗୋବିନ୍ଦପୁର, ମହୁଲମାଲ, ଚୋରାଶିମାଲ, ପିଆସାଲ୍‌, ବରଲାଟାଲୁ ଅଞ୍ଚଳରେ ଅସାଧୁ ମତ୍ସ୍ୟଜୀବୀଙ୍କ ପ୍ରବେଶ ହୋଇଛି। ସେମାନେ ଛୋଟଡଙ୍ଗାରେ ମୋଟର ସଂଯୋଗ କରି ଜାଲ ବିଛାଇଛନ୍ତି। ଫଳରେ ଶତାଧିକ ବିଦେଶୀ ପକ୍ଷୀ ଜାଲରେ ପଡୁଛନ୍ତି। ଏଥିପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ବଲପୁର ପକ୍ଷୀ କ୍ଲବ ପକ୍ଷରୁ ଦାବି କରାଯାଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri