ଏଟିଏମ୍‌ ବ୍ୟବହାର ନ ଜାଣିବାରୁ ଠକାମିର ଶିକାର: ହରାଇଲେ ୩୫ ହଜାର ଟଙ୍କା


ମାନେଶ୍ୱର, ୨୩।୧୧ (ଡି.ଏନ.ଏ)- କେନ୍ଦ୍ର ସରକାରଙ୍କ ପକ୍ଷରୁ ଟଙ୍କା ଦିଆନିଆ ପାଇଁ ବ୍ୟାଙ୍କଗୁଡିକୁ କ୍ୟାଶ୍‌ଲେସ୍‌ ମାଧ୍ୟମରେ କରିବାକୁ କଡା ନିର୍ଦ୍ଦେଶ ରହିଛି। ଗ୍ରାମାଞ୍ଚଳରେ ବିଭିନ୍ନ ବ୍ୟାଙ୍କର ନୂତନ ଆକାଉଣ୍ଟ ଜମାକାରୀଙ୍କୁ ଏଟିଏମ୍‌ କାର୍ଡ ପ୍ରଦାନ କରାଯାଉଛି। ହେଲେ ଏଟିଏମ କାର୍ଡର ବ୍ୟବହାର ଉପରେ ବ୍ୟାଙ୍କ ପକ୍ଷରୁ ସଚେତନତା କରାଯାଉନାହିଁ। ବ୍ୟାଙ୍କକୁ ଟଙ୍କା କାଢ଼ିବାକୁ ଗଲେ ଏଟିଏମ ମାଧ୍ୟମରେ କାଢ଼ିବାକୁ କହି ବ୍ୟାଙ୍କ କର୍ମଚାରୀ ଫେରାଇ ଦେଉଛନ୍ତି। ଏପରି କି ଅନେକ ସମୟରେ ଗ୍ରାହକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି। ଏଟିଏମ୍‌ ବ୍ୟବହାର ନ ଜାଣିବାରୁ ଠକେଇର ଶିକାର ହେଉଛନ୍ତି। ଗତ ୧୦ ତାରିଖ ମାନେଶ୍ୱର ଧମା ରୋଡରେ ଥିବା ଏଟିଏମ୍‌ କାଉଣ୍ଟରରେ ଠକେଇ ହୋଇଥିବା ଯୁଯୁମୁରା ଥାନା ଝାଙ୍କରପାଲି ଗ୍ରାମର କେଶବ ମିର୍ଦ୍ଧା ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ତାଙ୍କ ସ୍ତ୍ରୀ ଅନୁରି ମିର୍ଦ୍ଧାଙ୍କ ନାମରେ ମାନେଶ୍ୱର ଷ୍ଟେଟ ବ୍ୟାଙ୍କରେ ଜମା ଖାତା ରହିଛି। ଏକ ଘରୋଇ କମ୍ପାନୀରୁ ଗ୍ରୁପ ଋଣ ୩୫ ହଜାର ଟଙ୍କା ଜମା ହୋଇଥିଲା। ୧୦ ତାରିଖ ଅନୁରି ଓ ତାଙ୍କ ଝିଅ ମାନେଶ୍ୱର ଶାଖାକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ଉପସ୍ଥିତ କର୍ମଚାରୀଙ୍କୁ ଟଙ୍କା ଉଠାଇ ଦେବା ପାଇଁ ଅନୁରୋଧ କରିଥିଲେ। ହେଲେ କର୍ମଚାରୀ ଜଣକ ଏଟିଏମ୍‌ କାର୍ଡ ବ୍ୟବହାର କରି ଟଙ୍କା ଉଠାଇବାକୁ କହିଥିଲେ। ଅନୁରି ଏଟିଏମ ବ୍ୟବହାର ଜାଣୁନାହୁଁ ଓ ବ୍ୟାଙ୍କରୁ ପଇସା ଦେବାକୁ କାକୁତିମିନତି ହୋଇଥିଲେ। ହେଲେ ବ୍ୟାଙ୍କ କର୍ମଚାରୀ ଦୃର୍ବ୍ୟବହାର କରି ଫେରାଇ ଦେଇଥିବା ସେ କହିଛନ୍ତି। ପରେ ବ୍ୟାଙ୍କ ପାଖରେ ଥିବା ଏଟିଏମ୍‌ କାଉଣ୍ଟରକୁ ଆସି ଟଙ୍କା ଉଠାଇବା ପାଇଁ ଠିଆ ହୋଇଥିଲେ। ସେ ସମୟରେ ଜଣେ ଏଟିଏମ୍‌ ଲୁଟେରାଙ୍କ ଦ୍ୱାରା ଠକାମିର ଶିକାର ହୋଇଥିଲେ। ଲୁଟେରା ଜଣକ ଟଙ୍କା ବାହାର କରିଦେବାକୁ କହି ପ୍ରଥମେ ଏଟିଏମ ବ୍ୟବହାର କରିଥିଲେ। ପରେ ଏଟିଏମ୍‌ରେ ଟଙ୍କା ନାହିଁ ବୋଲି କହି ଅନୁରିଙ୍କ କାର୍ଡ ବଦଳରେ ସେ ଅନ୍ୟ କାର୍ଡ ଦେଇଥିଲେ। ସେ କାର୍ଡ ଉପରେ ଦିନେଶ ୟାଦବ ନାମ ରହିଥିବା ବେଳେ କାର୍ଡ ନମ୍ବର (୫୧୦୩୭୨୦୦୪୪୧୭୧୧୩୮) ଉଲ୍ଲେଖ ରହିଛି। ଏଟିଏମ୍‌ ଲୁଟେରା ଅନୁରିଙ୍କ କାର୍ଡ ବ୍ୟବହାର କରି ତାଙ୍କ ଜମାଖାତାରୁ ୩୫ ହଜାର ଟଙ୍କା ଉଠାଇ ଚମ୍ପଟ ମାରିଥିଲେ। ବ୍ୟାଙ୍କକୁ ଯାଇ ପୁଣି ଟଙ୍କା ଉଠାଇବାକୁ ଅନୁରି ତାଙ୍କ ଝିଅ ଗୁହାରି କରିଥିଲେ। ହେଲେ ତାଙ୍କ ଖାତାରେ ଆଉ ଟଙ୍କା ଜମା ନ ଥିବା ବ୍ୟାଙ୍କ କର୍ମଚାରୀ କହିଥିଲେ। ଏହା ଜାଣିବା ପରେ ମାଆ ଝିଅ ନିରାଶ ହୋଇ ଘରକୁ ଫେରିଥିଲେ। ଦୀର୍ଘ ୧୦ଦିନ ଭିତରେ ପରିବାର ବ୍ୟାଙ୍କକୁ ଆସି ଟଙ୍କା ବାବଦରେ ପଚାରି ବୁଝିଥିଲେ। ଶେଷରେ ବୁଧବାର ଆକାଉଣ୍ଟରୁ ଟଙ୍କା ଚୋରି ହୋଇଯାଇଥିବାନେଇ ବ୍ୟାଙ୍କ କର୍ମଚାରୀ ଅନୁରିଙ୍କ ସ୍ବାମୀ କେଶବଙ୍କୁ ଜଣାଇଥିଲେ। ଏନେଇ ସଦର ଥାନା ଅଧିକାରୀ ସୁଜାତା ପଣ୍ଡାଙ୍କୁ ପଚାରିବାରୁ ନିରୀହ ଲୋକମାନେ ବାରମ୍ବାର ଏଟିଏମ୍‌ ଲୁଟେରାଙ୍କ ଶିକାର ହେଉଛନ୍ତି। ଅଭିଯୋଗ ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯିବ ଓ ଏଥିପ୍ରତି ଗ୍ରାହକ ମଧ୍ୟ ସଚେତନ ରହିବା ଆବଶ୍ୟକ ବୋଲି ସେ କହିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri