କୁନି ଝିଅର ମୁଣ୍ଡ ବଢୁଛି, ସହାଯ୍ୟ ମାଗୁଛି ମା’


ସମ୍ବଲପୁର,୨୦।୧୧(ବ୍ୟୁରୋ)- ଅସ୍ବାଭାବିକଭାବେ ମୁଣ୍ଡ ବୃଦ୍ଧି ଯୋଗୁ ଜଣେ ଶିଶୁ ଚାଲିବୁଲି ପାରୁନାହିଁ। ତେଣୁ ବାଧ୍ୟହୋଇ ମା’ କୋଳରେ ରହୁଛି। ସତେ ଯେମିତି ଶୈଶବ ତା’ ପାଇଁ କାଳ ସାଜିଛି। ମୁଣ୍ଡ ବୃଦ୍ଧି ପାଉଥିବାରୁ ସେ ଭଲଭାବେ ଦେଖିପାରୁନାହିଁ। ଏହା କିଛିଦିନ ପରେ ଶିଶୁର ଆଖିକୁ ଘୋଡ଼ାଇ ଦେବାର ସମ୍ଭାବନା ରହିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲା ଗୋଶାଳା ଅଞ୍ଚଳରେ। ଉକ୍ତ ଅଞ୍ଚଳର ଅରୁଣ ଭୋଇ ଓ ମଞ୍ଜୁ ଭୋଇଙ୍କ ତୃତୀୟ ସନ୍ତାନ ଅମ୍ରିତା। ବର୍ତ୍ତମାନ ତାଙ୍କ ବୟସ ମାତ୍ର ୧ବର୍ଷ ୨ମାସ। ଅମ୍ରିତାଙ୍କ ବଡ଼ ଭାଇ ଅମନ (୧୧) ଓ ଅମିତ (ସାଢ଼େ ୫ବର୍ଷ) ସୁସ୍ଥଭାବେ ଖେଳାବୁଲା କରୁଥିବାବେଳେ ଅମ୍ରିତା ସେ ସବୁ କରିପାରନ୍ତି ନାହିଁ। ଜନ୍ମ ସମୟରେ ତାଙ୍କ ଶରୀର ସ୍ବାଭାବିକ ଥିବାବେଳେ ବୟସ ବଢ଼ିବା ସହ ତାଙ୍କ ମୁଣ୍ଡ ଅସ୍ବାଭାବିକ ବୃଦ୍ଧି ପାଇଥିଲା। ପରିବାର ଲୋକେ ତାଙ୍କୁ ବୁର୍ଲା ହସ୍ପିଟାଲରେ ଗତ ଫେବୃୟାରୀ ୬, ଜୁନ୍‌ ୯ ଓ ଜୁନ ୨୭ରେ ଡାକ୍ତରଙ୍କୁ ଦେଖାଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ତେବେ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଗତ ୫ମାସ ହେବ ଅମ୍ରିତାଙ୍କ ଚିକିତ୍ସା କରାଯାଇ ପାରିନାହିଁ। ଏହି ସମୟ ମଧ୍ୟରେ ଅମ୍ରିତାଙ୍କ ମୁଣ୍ଡ ବଢ଼ିବାରେ ଲାଗିଛି। ତେଣୁ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ସହାୟତା ଯୋଗାଇ ଦିଆଗଲେ ଅମ୍ରିତା ଯନ୍ତ୍ରଣାରୁ ମୁକ୍ତି ପାଇବେ ବୋଲି ପରିବାର ଲୋକ ଆଶାବାଦୀ ଅଛନ୍ତି। ସୂଚନାଯୋଗ୍ୟ, ବୀରମହାରାଜପୁର ବାଘମାରି ଗ୍ରାମରେ ଅରୁଣ ଭୋଇଙ୍କ ଘର। ସେଠାରେ କାମଧନ୍ଦା ନ ମିଳିବାରୁ ୧୫ବର୍ଷ ପୂର୍ବେ ସମ୍ବଲପୁର ପଳାଇ ଆସିଥିଲେ। ଏଠାରେ ଏକ ସରକାରୀ ଜମିରେ ଝୁମ୍ପୁଡ଼ି ଘର କରି ରହୁଛନ୍ତି। କାମଧନ୍ଦା କରି ପରିବାର ଚଳାଉଛନ୍ତି। ଯାହା ରୋଜଗାର କରନ୍ତି ୫ପ୍ରାଣୀ କୁଟୁମ୍ବଙ୍କ ପାଇଁ ତାହା ନିଅଣ୍ଟ ହୋଇଥାଏ। ଏଭଳି ସ୍ଥିତିରେ ୨ ପୁଅଙ୍କୁ ପାଠ ପଢ଼ାଇବା ଓ ଅମ୍ରିତାଙ୍କ ଚିକିତ୍ସା କରିବା ତାଙ୍କ ପାଇଁ ଅସମ୍ଭବ ହୋଇପଡ଼ିଛି। ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ପ୍ରଶାସନ ସହାୟତାର ହାତ ବଢ଼ାନ୍ତି ଏହି କୁନି ଝିଅଟି ଯନ୍ତ୍ରଣାରୁ ମୁକ୍ତି ପାଇପାରିବ ବୋଲି ମଞ୍ଜୁ ଓ ଅରୁଣ ଆଶାବାନ୍ଧି ବସିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri