ହାତୀପଲ ଆକ୍ରମଣରେ ଜଣେ ମୃତ, ୨ ଆହତ


ପାଇକମାଳ, ୧୦।୧୧ (ଡି.ଏନ.ଏ)-ବରଗଡ ଜିଲା ପାଇକମାଳ ଛକରୁ ଦେଢ କିମି ଦୂର ବୈଦପାଲି ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଲାଲବାହାଦୁର ହଂସ (୪୮) । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଗ୍ରାମବାସୀ ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡି ନ ଥିଲେ । ଖବର ପାଇ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସହାୟତା ପ୍ରତିଶ୍ରୁତି ଦେବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ପଠାଯାଇଛି। ଏ ନେଇ ପାଇକମାଳ ଥାନାରେ ଏକ ମାମଲା (ନଂ.୬/୧୭) ରୁଜୁ ହୋଇଛି । ଶୁକ୍ରବାର ସକାଳ ପ୍ରାୟ ୬ଟା ସମୟରେ ଭୁବନେଶ୍ୱରପୁରୁ ଆଡୁ ୬ଟି ବଣୁଆ ହାତୀ ବୈଦପାଲି ରାସ୍ତା ଦେଇ ଯାଉଥିଲେ । ଏହି ସମୟରେ ବୈଦପାଲି କରମାପୂଜାରୁ ଫେରୁଥିବାବେଳେ ମାଣ୍ଡିଆଢିପା ପଞ୍ଚାୟତ ବାବାଡେରା ଗ୍ରାମର ଲାଲବାହାଦୁର ହଂସ (୪୮) ଓ ପାଇକମାଳ କଲୋନୀପଡାର ଦିର୍ଜୁ ବରିହାକୁ (୪୮), ବୈଦପାଲିର ନେପୁର ନାୟକ(୪୮)ଙ୍କୁ ହାତୀପଲ ଆକ୍ରମଣ କରିଥିଲେ। ହାତୀ ଥୋଡରେ ଦୁର୍ଜୁଙ୍କୁ ଫୋପାଡି ଦେଇଥିବା ବେଳେ ସେ ଧାନ କ୍ଷେତରେ ଅଚେତ ହୋଇ ପଢିଥଲେ । ଲାଲବାହାଦୁରଙ୍କୁ ହାତୀପଲ ଗୋଡରେ ଦଳି ଦେବାରୁ ସେ ମାଟିରେ ପୋତି ହୋଇ ମରିଯାଇଥିଲେ । ସେହିପରି ନେପୁର ମଧ୍ୟ ଆହତ ହୋଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଆହତ ଦ୍ୱୟଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅନ୍ୟପକ୍ଷେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ଗ୍ରାମବାସୀ ମୃତଦେହ ଉଠାଇ ଦେଇ ନ ଥିଲେ । ପାଇକମାଳ ବ୍ଲକ ଅଧ୍ୟକ୍ଷ ଅଲତାପ ମହମ୍ମଦ ଓ ଅତିରିକ୍ତ ତହସିଲଦାର ପୂର୍ଣ୍ଣାନନ୍ଦ ପଟେଲ, ପାଇକମାଳ ରେଞ୍ଜର କୃଷ୍ଣଚନ୍ଦ୍ର ଦଳ ବେହେରା, ସରପଞ୍ଚ ବାବୁଲାଲ ଧରୁଆ, ଧବଳେଶ୍ୱର ସାହୁ, ବିଧାୟକ ପ୍ରତିନିଧି ସରୋଜ ସାମଲ ପ୍ରମୁଖ ଆଲୋଚନା ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ପରେ ତହସିଲଦାର ରେଡକ୍ରସରୁ ୧୦ ହଜାର ଟଙ୍କା, ରେଞ୍ଜର ତତ୍‌କାଳ ୧୦ ହଜାର, ବ୍ଲକ ଅଧ୍ୟକ୍ଷ ୨ ହଜାର, ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହାସହ ରେଞ୍ଜର ଦଳବେହେରା ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ପ୍ରତିଶ୍ରୁତି ଦେବାରୁ ଲୋକେ ମୃତଦେହ ଛାଡିଥିଲେ । ଏହି ହାତୀପଲ ଉକ୍ତ ଗ୍ରାମର ପାରେଶ୍ୱର ସାହୁ, ଧବଳେଶ୍ୱର ସାହୁ , କୈଳାସ ସାହୁ, ଶାନ୍ତିଲାଲ ସାହୁ , ମୋତି ଲାଲ ସାହୁ ପ୍ରମୁଖଙ୍କ କ୍ଷେତରେ ଧାନ ଫସଲ ନଷ୍ଟ କରିବା ପରେ ବର୍ତ୍ତମାନ ପାଇକମାଳରୁ ୧ କିମି ଦୂର ଶକ୍ତି ନଗର ଝରଣା କୁଳରେ ରହିଛନ୍ତି । ବନ ବିଭାଗ ଉକ୍ତ ହାତୀପଲକୁ ଜଗି ରହିଛି। ସନ୍ଧ୍ୟାରେ ଘରୁ ନ ବାହାରିବା ପାଇଁ ବନ ବିଭାଗ ପକ୍ଷରୁ ଡାକ ବାଜି ଯନ୍ତ୍ର ଯୋଗେ ସୂଚନା ଦିଆଯାଇଛି ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri