୫ଜଣଙ୍କ ଆତ୍ମହତ୍ୟା ଘଟଣା: ଗଠନ ହେଲା ତଦନ୍ତ ଟିମ୍‌


ସମ୍ବଲପୁର, ୧୦।୧୧ (ବ୍ୟୁରୋ)- ସମ୍ବଲପୁର ଫାଟକ ଷ୍ଟେଶନ ନିକଟ ସରଲାଠାରେ ଟ୍ରେନ୍‌ ଆଗରେ ଗୋଟିଏ ପରିବାରର ୫ଜଣଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ରେଳବାଇ ପୋଲିସ ପକ୍ଷରୁ କରାଯିବ। ଏଥିପାଇଁ ଶୁକ୍ରବାର ରାଉଲକେଲା ଜିଆର୍‌ପି ଏସ୍‌ପି କରଣ ସାଏ କୱରଙ୍କ ଅଫିସ୍‌ରେ ଏକ ବୈଠକ ବସିଥିଲା । ବୈଠକରେ ଏକ ୩ଜଣିଆ ଟିମ୍‌ ଗଠନ କରାଯାଇଛି। ଏଥିରେ ଜିଆର୍‌ପି ଏସ୍‌ପିଙ୍କ ସମେତ ଥାନା ଅଧିକାରୀ ଚିନ୍ତାମଣି ପ୍ରଧାନ ଓ ଏଏସ୍‌ଆଇ ଜେସି ପଟେଲଙ୍କୁ ସାମିଲ କରାଯାଇଛି। ଏହି ଟିମ୍‌ ଆତ୍ମହତ୍ୟା କରିଥିବା ମଦନାବତୀ ପବ୍ଲିକ୍‌ ସ୍କୁଲର ସଙ୍ଗୀତ ଶିକ୍ଷକ ଧରଣୀଧର ପଣ୍ଡା ଓ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ପରିବାର ବର୍ଗଙ୍କୁ ପଚରାଉଚୁରା କରିବେ। ଏଥିସହ ଆତ୍ମହତ୍ୟାର କାରଣ ଓ ଦାରିଦ୍ର୍ୟତା ଭଳି ବିଭିନ୍ନ ଦିଗ ଉପରେ ତଦନ୍ତ କରିବାର ସମ୍ଭାବନା ରହିଛି । ବର୍ତ୍ତମାନ ପରିସ୍ଥିତିରେ ଉଭୟ ପରିବାରଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ଆଉ ୨ ଦିନ ପରେ ତଦନ୍ତ ଆରମ୍ଭ କରାଯିବ ବୋଲି ରେଳବାଇ ଥାନା ଅଧିକାରୀ ପ୍ରଧାନ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶିକ୍ଷକ ଧରଣୀଧର ଯେତିକି ରୋଜଗାର କରୁଥିଲେ ତାଠାରୁ ଅଧିକ ଟଙ୍କା ବ୍ୟୟ କରୁଥିଲେ । ଫଳରେ ସେ ହାତ ଉଧାର କରିଥିବା ଜଣାପଡିଛି । ପରିବାର ପ୍ରତିପୋଷଣ, ପିଲାଙ୍କ ପାଠପଢ଼ା ଓ ଘର ଭଡା ଦେବା ପାଇଁ ସେ ଅନେକ ଧାର କରଜ କରିଥିଲେ । ତେଣୁ ବିଭିନ୍ନ ସମୟରେ ସେ ନିଜ ପରିବାର ଓ ଶାଶୁଘର ଲୋକଙ୍କଠାରୁ ସାହାଯ୍ୟ ଆଣୁଥିଲେ । ପତ୍ନୀ ସଂଗୀତା ଭୂତାପଡା ଛକରେ ଏକ ବ୍ୟୁଟିପାଲର କରି ଅର୍ଥ ରୋଜଗାର କରୁଥିଲେ । ମାତ୍ର ସ୍ବାମୀ ନାପସନ୍ଦ କରିବାରୁ ସେ ଏହାକୁ ବନ୍ଦ କରିଦେଇଥିଲେ । ଶିକ୍ଷକ ଜଣକ ସ୍କୁଲରୁ ମାତ୍ର ୧୨ହଜାର ଟଙ୍କା ଦରମା ପାଉଥିବାବେଳେ ଋଣ କରି ବାଇକ୍‌ଟିଏ କିଣିଥିଲେ । ତେଣୁ ପ୍ରତିମାସରେ ବାଇକ୍‌ ପାଇଁ ତାଙ୍କ ଦରମାରୁ ୫ହଜାର ଟଙ୍କା କଟିଯାଉଥିଲା । ସେହିପରି ଘରଭଡା ବାବଦକୁ ସାଢେ ୬ହଜାର ଓ ବିଦ୍ୟୁତ୍‌ ବିଲ୍‌ ଦେବାକୁ ପଡୁଥିଲା । ସ୍କୁଲରୁ କମ୍‌ ଦରମା ପାଉଥିବାରୁ ସେ ବିଭିନ୍ନ ସମୟରେ ଛୋଟ ବ୍ୟବସାୟ କରିଥିଲେ । ମାତ୍ର ସଫଳ ହୋଇ ନ ଥିଲେ। ତେଣୁ ଛୋଟ ସ୍କୁଲ ପିଲାଙ୍କୁ ଟ୍ୟୁସନ୍‌ କରିବା ଚିନ୍ତା କରି ସମ୍ବଲପୁର ସହରର ମୁଖ୍ୟ ସ୍ଥାନ ଜଗନ୍ନାଥ କଲୋନୀରେ ଭଡା ଘର ନେଇଥିଲେ । ମାତ୍ର ଅର୍ଥାଭାବ ତାଙ୍କ ପିଛା ଛାଡି ନ ଥିଲା। ଗତ ୭ ତାରିଖ ଝାରସୁଗୁଡା-ସମ୍ବଲପୁର ଡିଏମ୍‌ୟୁ ଟ୍ରେନ୍‌ରେ ଧରଣିଧର ପଣ୍ଡା ଓ ତାଙ୍କ ପତ୍ନୀ ସଙ୍ଗୀତା ପଣ୍ଡା , ଝିଅ ଅପରାଜିତା, ଅନନ୍ୟା, ଶ୍ରଦ୍ଧା ଆତ୍ମହତ୍ୟା କରିଥିଲେ । ଟ୍ରେନ୍‌ର ଚାଳକ ଆତ୍ମହତ୍ୟା ସମ୍ପର୍କରେ ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦେବାପରେ ରେଳବାଇ ପୋଲିସ ମୃତଦେହ ଗୁଡିକୁ ଜବତ କରିଥିଲା । ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ. ୪୩/୧୭) ରୁଜୁ କରି ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା। ପରେ ସମ୍ବଲପୁର କମଳିବଜାରସ୍ଥିତ ସ୍ବର୍ଗଦ୍ୱାରଠାରେ ୫ଜଣଙ୍କ ଶବଦାହ ହୋଇଥିଲା।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri