୨୧ରୁ ନୂଆପଡ଼ାରେ ଆରମ୍ଭ ହେବ ଖରିଫ ଧାନକିଣା


ନୂଆପଡ଼ା ଅଫିସ,୧୦।୧୧-ଜିଲାରେ ଚାଷୀଙ୍କୁ ମରୁଡି ପରେ ଚକଡା ଦାଉ ସାଧିଛି। ତେଣୁ କରି ଚାଷୀ କିପରି ତାଙ୍କ କଷ୍ଟୋପାର୍ଜିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଠିକ୍‌ ଭାବରେ ପାଇପାରିବେ ସେଥିପାଇଁ ଜିଲା ପ୍ରଶାସନ ଅଣ୍ଟା ଭିଡିଛି। ଶୁକ୍ରବାର ଜିଲାସ୍ତରୀୟ ଖରିଫ ଧାନକିଣା ବୈଠକରେ ଆସନ୍ତା ୨୧ତାରିଖଠାରୁ ଧାନକିଣା ଆରମ୍ଭ କରାଯିବ ବୋଲି ଜିଲାପାଳ ଚୂଡାନ୍ତ ନିଷ୍ପତ୍ତି ନେଇଛନ୍ତି। ଏଥିରେ ତିନିଗୋଟି ସଂସ୍ଥା ଧାନକିଣାରେ ଭାଗ ନେବାକୁ ଥିବାବେଳେ ୨୭ଟି ସେବାସମବାୟ ସମିତି ଜରିଆରେ ୬୧ଟି ମଣ୍ଡି ଖୋଲିବାକୁ ଥିବା ଚୂଡାନ୍ତ ହୋଇଛି। ସ୍ଥାନୀୟ ଜିଲାପାଳଙ୍କ ସଦଭାବନା ସଭାଗୃହରେ ଜିଲାପାଳ ଡା.ପୋମା ଟୁଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, କଳାହାଣ୍ଡି ଏମ୍‌ପି ଅର୍କକେଶରୀ ସିଂଦେଓ, ଏସ୍‌ପି ପରମାର ସ୍ମିତ, ବିଧାୟକ ପ୍ରତିନିଧି ଖାମସିଂ ମାଝି, ରାଜ୍ୟସଭା ସଦସ୍ୟଙ୍କ ପ୍ରତିିନିଧି ସୁରେଶ କୁମାର ଆଚାରୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ବୈଠକ ଆରମ୍ଭରେ ଗତବର୍ଷରେ ଜିଲାରେ ହୋଇଥିବା ଧାନକିଣା ଉପରେ ବିଷଦ ଭାବରେ ଜିଲା ଯୋଗାଣ ଅଧିକାରୀ ଅଶୋକ କୁମାର ଦାସ ଉପସ୍ଥାପନା କରିଥିଲେ। ଏଥର ଧାନକିଣା ପାଇଁ ଚାଷୀମାନଙ୍କ ନାମ ପଞ୍ଜୀକରଣ କରାଯାଇଛି। ମୋଟ ୧୮ହଜାର ୬୪୨ଜଣ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଛି। ହେଲେ ସେଥିରୁ ୧୫ହଜାର ଚାଷୀଙ୍କ ନାମ ଯାଞ୍ଚ କରାଯାଇଛି। ଏହି ଚାଷୀମାନଙ୍କର ୧୦ଲକ୍ଷ ୮୨ହଜାର କୁଇଣ୍ଟାଲ ଧାନ ବଳକା ହେବାର ଆକଳନ କରାଯାଇଛି। ତେବେ ରାଜ୍ୟ ସରକାର ଜିଲାକୁ ପ୍ରଥମ ଦଫାରେ ୮ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେଣୁ କରି ଏହାକୁ କେଉଁ ସଂସ୍ଥା ଜରିଆରେ ଏବଂ କିିପରି କିଣାଯିବ, ସେ ଉପରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା। ଏଥିରେ ୩ଟି ଧାନକିଣା ସଂସ୍ଥା ଜିଲା ଯୋଗାଣ ନିଗମ, ମାର୍କଫେଡ ଏବଂ ଟିଡିସିସିଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଜିଲା ଯୋଗାଣ ନିଗମ ୬ଲକ୍ଷ ୬୯ହଜାର ୧୧୭ କୁଇଣ୍ଟାଲ ଧାନ କିଣିବାକୁ ଧାର୍ଯ୍ୟ କରାଯାଇଥିବାବେଳେ ମାର୍କଫେଡକୁ ୫୮ହଜାର ୮୨୩ କୁଇଣ୍ଟାଲ ଏବଂ ଟିଡିିସିସିକୁ ୨୨ହଜାର ୫୮ କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଜିଲାଯାକ ୬୧ଟି ମଣ୍ଡି ବ୍ୟବସ୍ଥା କରାଯାଇଥିବାବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ରେଡ ଏ- ପାଇଁ ୧୫୯୦ଟଙ୍କା, ଏଫ୍‌ଏକ୍ୟୁ ମାନ ପାଇଁ ୧୫୫୦ଟଙ୍କା ସରକାର ଘୋଷଣା କରିଛନ୍ତି। ଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରି କରିବାର ଚବିଶ ଘଣ୍ଟା ଭିତରେ ପ୍ରାପ୍ୟ ପ୍ରଦାନ କରାଯିବ। ସପ୍ତାହର ଦୁଇଦିନ ଗୁରୁବାର ଏବଂ ରବିବାର ମଣ୍ଡି ସବୁ ବନ୍ଦ ରହିବ। ମଣ୍ଡିଗୁଡିକରୁ ଧାନ କିଣିବାକୁ କ୍ଷୁଦ୍ର ଚାଷୀ ଏବଂ ବଡ ଚାଷୀ ଭାବରେ ଭିନ୍ନଭିନ୍ନ ଟୋକନ ଦିଆଯିବ। କ୍ଷୁଦ୍ର ଚାଷୀଙ୍କଠାରୁ ଶୀଘ୍ର ଧାନ ଉଠାଣ କରିବାକୁ ପ୍ରାଧାନ୍ୟ ଦିଆଯିବ। ଆସନ୍ତା ୧୮ତାରିଖ ମଧ୍ୟରେ ଧାନକିଣା ପାଇଁ ସମସ୍ତ ପ୍ରଶାସନିକ କଳ ପ୍ରସ୍ତୁତ ରହିବ। ୨୧ତାରିଖ ମଣ୍ଡି ଆରମ୍ଭ କରାଯାଇ ଧାନ କିଣାଯିବ ବୋଲି ଜିଲାପାଳ ଡା. ଟୁଡୁ କହିଥିଲେ। ବର୍ତ୍ତମାନ କ୍ଷୁଦ୍ର ଚାଷୀମାନେ ଗାଁ ଗଣ୍ଡାରେ ଖୁଚୁରା ଧାନ ବିକ୍ରିକରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଏହାକୁ ରୋକିବାକୁ ଜିଲାପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀ ପ୍ରତିନିଧି ନବୀନ କୁମାର ଠାକୁର ଗୃହକୁ ନିବେଦନ କରିଥିଲେ। ଏହାର ଜବାବରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ପ୍ରଫୁଲ୍ଲ କୁମାର ମହାନନ୍ଦ ଜିଲାରେ ୨୨୦ଜଣ ଖୁୁଚୁରା ବେପାରୀ ପଞ୍ଜୀକରଣ ସକାଶେ ଆବେଦନ କରିଛନ୍ତି। ଏମାନଙ୍କୁ ଗାଁ ଗଣ୍ଡାରେ ଖୁଚୁରା ଧାନ କିଣିବାକୁ ନିର୍ଦ୍ଦେଶ ଦିଆଯିବ। ଏହି ସମସ୍ୟା ଆଉ ରହିବ ନାହିଁ ବୋଲି କହିଥିଲେ। ଏହିଭଳି ମଣ୍ଡିରେ ପୂର୍ବବର୍ଷଗୁଡ଼ିକରେ ମିଲର୍ସରାଜ ଚାଲିଥାଏ ତାକୁ ରୋକିବାକୁ ଖାମସିଂ ମାଝି ଏବଂ ସୁରେଶ ଆଚାରୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳ ଏଥର ଧାନକିଣା ସଂସ୍ଥା ଧାନ କିଣିବ। ଏଥିରେ ମିଲର୍ସଙ୍କର କୌଣସି ପ୍ରକାର ହସ୍ତକ୍ଷେପ ରହିବ ନାହିଁ ବୋଲି କହିଥିଲେ। ସୁନାବେଡା ଏବଂ ସୋସେଙ୍ଗ ଗ୍ରାମପଞ୍ଚାୟତର ଚାଷୀମାନେ ୩୦/୩୫ କି.ମି. ଦୂର ପାହାଡ ତଳକୁ ହଇରାଣ ହୋଇ ଧାନ ଆଣି ବିକ୍ରି କରୁଛନ୍ତି ବୋଲି ଚାଷୀନେତାମାନେ କହିଥିଲେ। ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ଚିନ୍ତା କରାଯିବ। ସେଠାରେ ଏକ ଗୋଦାମ ଘର ନିର୍ମାଣ କରାଯିବାକୁ ବ୍ୟବସ୍ଥା କରିବେ ବୋଲି ଜିଲାପାଳ କହିଥିଲେ। ତେବେ ଜିଲାରେ ଚାଷ ଏବଂ ଚାଷୀଙ୍କ ସ୍ବାର୍ଥକୁ ସବୁବେଳେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କୃଷି ଉପନିର୍ଦ୍ଦେଶକ ଉମେଶ ଦାସ, ଅତିରିକ୍ତ ଯୋଗାଣ ଅଧିକାରୀ ଖେମଦାର ନାଏକ, ଏଆରସିଏସ୍‌ ଲିଙ୍ଗରାଜ ନାଏକ ପ୍ରମୁଖ ଯୋଗ ଦେଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri