୮ ବର୍ଷ ହେଲା ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ଝୁଲୁଛି


ଜୁନାଗଡ଼,୧୦।୧୧(ସ୍ବ.ପ୍ର)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ ବୁଢ଼ୀଦର ପଞ୍ଚାୟତ କନ୍ଧସର୍ଗିଗୁଡ଼ା ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ୮ବର୍ଷ ହେଲା ତାଲା ପଡ଼ିଛି। ଫଳରେ ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଚାଲିଥିବା ପ୍ରାକ୍‌ ବିଦ୍ୟାଳୟ କାର୍ଯ୍ୟକ୍ରମ ବିପର୍ଯ୍ୟସ୍ତ ହେବା ସହ, ଟିକାକରଣ, ଗର୍ଭବତୀ, ପ୍ରସୂତି ତଥା ଶିଶୁମାନଙ୍କ ନିମନ୍ତେ ଥିବା ସେବା ପ୍ରଦାନରେ ଅସୁବିଧା ହେଉଛି। ୨୦୦୯ରୁ ଅଙ୍ଗନୱାଡି କେନ୍ଦ୍ର ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ହସ୍ତାନ୍ତରିତ ହୋଇଥିଲା। କିନ୍ତୁ ଏହାର ୭ ଦିନ ପରେ ଗ୍ରାମର ଠିକାଦାର ଶ୍ରୀଧର ଭାଟି ଗୃହରେ ତାଲା ପକାଇଦେଲେ। ଠିକାଦାରଙ୍କ କିଛି ଟଙ୍କା ବକେୟା ଥିବାରୁ ସେ ଏପରି କରିଥିବା କହିଥିଲେ। ସେହିଦିନଠାରୁ ଅଙ୍ଗନୱାଡି କର୍ମୀ ମାଳତୀ ବାଗ ବାରଣ୍ଡାରେ ପାଠ ପଢ଼ାଇବା ସହ ସମସ୍ତ କାର୍ଯ୍ୟ ତୁଲାଇ ଆସୁଛନ୍ତି। ଏହି କେନ୍ଦ୍ରରେ ବର୍ତ୍ତମାନ ୩୫ ଜଣ ଶିଶୁ ଅଧ୍ୟୟନ କରୁଛନ୍ତି। ୪ ଜଣ ଗର୍ଭବତୀ, ୧୨ ଜଣ ପ୍ରସୂତି, ୬ ମାସରୁ ୩ବର୍ଷର ୪୨ ଜଣ ଶିଶୁଙ୍କୁ ଏଠାରୁ ସେବା ପ୍ରଦାନ କରାଯାଉଛି। ଅଙ୍ଗନୱାଡି କର୍ମୀ ବାଗଙ୍କ ସୂଚନା ଅନୁସାରେ, ଗ୍ରାମବାସୀ ଏ ନେଇ ଧର୍ମଗଡ଼ ଉପଜିଲାପାଳ, ଜୁନାଗଡ଼ ବିଡିଓ ଓ ସିଡିପିଓଙ୍କୁ ଲିଖିତଭାବେ ଅବଗତ କରିଆସୁଥିଲେ ମଧ୍ୟ କେହି ପଦକ୍ଷେପ ନେଉନାହାନ୍ତି। ଅନ୍ୟପକ୍ଷରେ ବୁଢ଼ୀଦର ପଞ୍ଚାୟତର ଅନ୍ୟ କେନ୍ଦ୍ରଗୁଡ଼ିକର ଅବସ୍ଥା ମଧ୍ୟ ସମାନ। ଶଙ୍କରପଲା ଓ ଲିମପଡ଼ା ଗ୍ରାମର ଅଙ୍ଗନୱାଡି ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ ବୁଢ଼ୀଦରରେ ଆଦୌ ନାହିଁ। କୋଇଲାମୁଣ୍ଡା, ପିପଲଗୁଡ଼ା କେନ୍ଦ୍ରର ଗୃହ ନ ଥିବାରୁ କର୍ମୀମାନେ ନିଜ ଘରେ ସମସ୍ତ କାର୍ଯ୍ୟ ଚଳାଉଛନ୍ତି। ଠିକ୍‌ ସେହିପରି ବ୍ଲକର ବାଙ୍କପଲାସ ପଞ୍ଚାୟତ ବଳରାମପୁର, ରତନପଲା ଓ ଭଇଁରୀଗୁଡ଼ା ପଞ୍ଚାୟତର ମୁର୍ଲାପଦର ଓ ପୋରାଗାଁରେ ଅଙ୍ଗନୱାଡି ଗୃହ ନ ଥିବାରୁ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରତନପଲା କେନ୍ଦ୍ର ଗୃହ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି। ନୂଆ ଗୃହ ନିର୍ମାଣରେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ପୋରାଗାଁ କେନ୍ଦ୍ର ଗୃହ ନିର୍ମାଣ ହେବା ପରେ ଏହାକୁ ଦଖଲକୁ ନିଆଯାଇ ପାରୁ ନ ଥିବାବେଳେ ମୁର୍ଲାପଦର କେନ୍ଦ୍ର ଗୃହ ଦୀର୍ଘବର୍ଷ ହେଲା କାଗଜ କଲମରେ ତିଆରି ସରି ବିଲ୍‌ ଉଠି ସାରିଛି, କିନ୍ତୁ କୌଣସି ଗୃହ ନିର୍ମାଣ ହୋଇ ନ ଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ଜୁନାଗଡ଼ ସିଡିପିଓ ସଞ୍ଜୁକ୍ତା ବେହେରାଙ୍କୁ ପଚାରିବାରୁ କନ୍ଧ ସର୍ଗିଗୁଡ଼ା ଠିକାଦାରଙ୍କ ବିଲ୍‌ ସମ୍ପର୍କରେ ବିଡିଓଙ୍କୁ କହିଲେ ସେ କୌଣସି ପ୍ରତିକାର ବ୍ୟବସ୍ଥା କରୁ ନ ଥିବା କହିଛନ୍ତି। ଅନ୍ୟପକ୍ଷରେ ମୁର୍ଲାପଦର କେନ୍ଦ୍ର ଗୃହ ହସ୍ତାନ୍ତର ହୋଇ ନ ଥିବାରୁ ସେ ବିଷୟରେ କିଛି ଜାଣି ନ ଥିବା କହିଥିଲେ। ବିଡିଓ ପରମବ୍ରହ୍ମ ଜୋଷୀଙ୍କୁ ପଚାରିବାରୁ ସିଡିପିଓ କନ୍ଧ ସର୍ଗିଗୁଡ଼ା ଅଙ୍ଗନୱାଡି କେନ୍ଦ୍ର ପାଇଁ ଥାନାରେ ଅଭିଯୋଗ କରିବା ସହ ସେ ନିଜେ ପୋଲିସ ଉପସ୍ଥିତିରେ ତାଲା ଖୋଲିବେ ବୋଲି କହିଥିଲେ। ମୁର୍ଲାପଦର କେନ୍ଦ୍ର ପାଇଁ ବର୍ତ୍ତମାନ ଅନୁଦାନ ଆସିଛି। ଆଗରୁ କାର୍ଯ୍ୟ ହୋଇସାରିଥିବା ଅଭିଯୋଗ ଭିତ୍ତିହୀନ ବୋଲି ବିଡିଓ ଜୋଷୀ କହିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri