ମଣ୍ଡି ସ୍ଥାପନ ଦାବିରେ ଧାନବସ୍ତା ରଖି ରାସ୍ତାରୋକୋ: ଉତ୍ତେଜନା


କଲମପୁର,୧୦।୧୧(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା କଲମପୁର ବ୍ଲକ ଇଚ୍ଛାପୁର ଗାଁରେ ମଣ୍ଡି ସ୍ଥାପନ ଦାବିରେ ଶୁକ୍ରବାର ସକାଳୁ ଚାଷୀମାନେ ବାବୁକେନ୍ଦୁଗୁଡାଠାରେ ଧାନବସ୍ତା ରଖି, ଟାୟାରଜାଳି କଲମପୁର-ଜୁନାଗଡ ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତାଦେଇ ଯାତାୟାତ କରୁଥିବା ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି। ଆନ୍ଦୋଳନକାରୀମାନେ ବାଇକ୍‌ ଆରୋହୀଙ୍କୁ ମଧ୍ୟ ଛାଡ଼ୁନାହାନ୍ତି। ଫଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରକାଶ ଯେ, ଇଚ୍ଛାପୁରଠାରେ ଏକ ମଣ୍ଡି ଖୋଲିବା ପାଇଁ ବାଲିଛଡା, ବାବୁକେନ୍ଦୁଗୁଡା ଏବଂ ଇଚ୍ଛାପୁର ଗ୍ରାମର ଚାଷୀ ଧର୍ମଗଡ ଉପଜିଲାପାଳ, ମୁଖିଗୁଡା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଏବଂ ଯୋଗାଣ ବିଭାଗ ଓ ପ୍ରାଥମିକ କୃଷି ସମବାୟ ସମିତିର କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ଇଚ୍ଛାପୁରରେ ମଣ୍ଡି ଖୋଲା ନ ଯିବାରୁ ପ୍ରତିବାଦ ଜଣାଇ ବାଲିଛଡା, ଇଚ୍ଛାପୁର ଏବଂ ବାବୁ କେନ୍ଦୁଗୁଡାର ଶତାଧିକ ଚାଷୀ ଗୁରୁବାର ରାସ୍ତାରୋକୋ କରିଥିଲେ। କୌଣସି ସମାଧାନ ନ ହେବାରୁ ଶୁକ୍ରବାର ପୁଣି ରାସ୍ତାରୋକୋକରି ଆନ୍ଦୋଳନରୁ ତୀବ୍ର କରିଛନ୍ତି। ଗୁରୁବାର ବାଇକ୍‌ ଛାଡ଼ୁଥିବାବେଳେ ଶୁକ୍ରବାର ବାଇକ୍‌ ମଧ୍ୟ ଛାଡ଼ୁ ନାହାନ୍ତି। ରାଧେଶ୍ୟାମ ଶର୍ମା, ରାଜେଶ ମୁଣ୍ଡ, ଶ୍ରୀକାନ୍ତ ଛତ୍ରିଆ, ଜ୍ଞାନବନ୍ତ ବେହେରା , ଶଙ୍କର୍ଷଣ ବେହେରା, କୃପାସିନ୍ଧୁ ବେହେରୁକ, ଯଦୁମଣି ବଗର୍ତ୍ତି, ଶୁବିନାଥ ବଗର୍ତ୍ତି, ସହଦେବ ଗହିର, ସୁବଦ୍ଧି ପଣ୍ଡାଙ୍କ ନେତୃତ୍ୱରେ ଏହି ରାସ୍ତା ଅବରୋଧ କରାଯାଇଛି। ଚାଷୀଙ୍କ ଏହି ରାସ୍ତାରୋକୋକୁ ସମର୍ଥନ ଜଣାଇ କଲମପୁର ବ୍ଲକ କୃଷକ ମଞ୍ଚର ସଭାପତି ମହେନ୍ଦ୍ର ନାଥ ସାହୁ, ଭାରତୀୟ ଜନତା ଦଳ କୃଷକ ମୋର୍ଚ୍ଚା ଜିଲା ସଭାପତି ସୁଧୀର କୁମାର ପଟ୍ଟଯୋଷୀ, ହିମାଂଶୁ ପଣ୍ଡା, ବିଜୟଦେବ ସାହୁ , ବିଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଚାଷୀମାନେ ଇଚ୍ଛାପୁରରେ ମଣ୍ଡି ନ ଖୋଲିବା ପର୍ଯ୍ୟନ୍ତ ରାସ୍ତାରୋକୋ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ, କଲମପୁର ତହସିଲଦାର ଆଦିତ୍ୟ କୁମାର ମିଶ୍ର ଏବଂ ଯୋଗାଣ ଅଧିକାରୀ ଘଟଣାସ୍ଥଳକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନାହିଁ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri