ଜୋର୍‌ ଧରୁଛି ଚାଷୀମୃତ୍ୟୁ ରାଜନୀତି: ଆଜି ଆସିବେ ଭାଜପା କେନ୍ଦ୍ରୀୟ ନେତୃବୃନ୍ଦ


ବରଗଡ଼ ଅଫିସ୍‌,୯।୧୧ ବରଗଡ଼ ଜିଲାରେ ଚାଷୀ ମୃତ୍ୟୁକୁ ନେଇ ରାଜନୀତି ସରଗରମ ହୋଇ ପଡ଼ିଛି। କଲାପାଣି ଗ୍ରାମର ଚାଷୀ ବୃନ୍ଦାବନ ସାହୁଙ୍କ ଆତ୍ମହତ୍ୟା ପରେ ଏହା ଜୋର୍‌ ଧରିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପାର ଦଳୀୟ ନେତାଙ୍କ ମଧ୍ୟରେ ଏହାକୁ ନେଇ ବୟାନ୍‌ବାଜି ତଥା ଆରୋପ ପ୍ରତ୍ୟାରୋପ ଥମି ନ ଥିବାବେଳେ ଶୁକ୍ରବାର ଭାଜପାର କେନ୍ଦ୍ରୀୟ ନେତାଙ୍କ ଏକ ଟିମ୍‌ ବରଗଡ଼ ଜିଲା ଗସ୍ତରେ ଆସୁଥିବା ଜଣାପଡ଼ିଛି। ଗୁରୁବାର ସନ୍ଧ୍ୟାରେ ବରଗଡ଼ ପୁରୋହିତ ଭବନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏ ନେଇ ଭାଜପା ବିଧାୟକ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ସେ କହିଲେ, ବରଗଡ଼ ଜିଲାରେ ଭୟଙ୍କର ମରୁଡ଼ି ଓ ଚକଡ଼ା ରୋଗପୋକ ଉପଦ୍ରବ ଯୋଗୁ ଚାଷୀଙ୍କ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ଏଥିରେ ମାନସିକ ଭାରସାମ୍ୟ ହରାଇ ବରଗଡ଼ ବ୍ଲକ କଲାପାଣିଠାରୁ ଆରମ୍ଭ କରି ପାଇକମାଳ ବ୍ଲକ ଜଳଗଡ଼ ପର୍ଯ୍ୟନ୍ତ ଚାଷୀ ଆତ୍ମହତ୍ୟା ଘଟଣା ଘଟିଛି। ଏହାସତ୍ତ୍ବେ ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟା ଘଟଣାକୁ ସ୍ବୀକାର କରୁନାହାନ୍ତି। ଅନ୍ୟପଟେ ସରକାରଙ୍କ ମନ୍ତ୍ରୀମାନେ ଏଭଳି ସମ୍ବେଦନଶୀଳ ଘଟଣାକୁ ବିଦ୍ରୂପ କରିବାରେ ଲାଗିଛନ୍ତି। ଫସଲହାନି, ଚାଷୀ ଆତ୍ମହତ୍ୟା ଘଟଣାକୁ ଭାଜପା ଗମ୍ଭୀରତାର ସହିତ ନେଇଛି ଏବଂ ଏହାର ବାସ୍ତବସ୍ଥିତି ପରଖିବା ପାଇଁ ଶୁକ୍ରବାର ଦଳର କେନ୍ଦ୍ରୀୟ ନେତା ତଥା ଏମ୍‌ପି ସାବିତ୍ରୀ ବାଈ ଠାକୁର (ମଧ୍ୟପ୍ରଦେଶ), ଓମପ୍ରକାଶ ଯାଦବ(ବିହାର), ଭାଜପା କିଷାନ ମୋର୍ଚ୍ଚାର ରାଷ୍ଟ୍ରୀୟ ସମ୍ପାଦକ ପି. ସୁଜ୍ଞାନ ରାଓ, ଡଃ ଶମ୍ଭୁ କୁମାର, ଭାଜପା କୃଷକ ମୋର୍ଚ୍ଚାର ଆନ୍ଧ୍ରପ୍ରଦେଶ ରାଜ୍ୟ ସଭାପତି ପି. ତିରୁପତି ରାଟ, ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ ପ୍ରମୁଖ ବରଗଡ଼ ଗସ୍ତରେ ଆସିବେ। ଏହି ଟିମ୍‌ ସୋହେଲା ବ୍ଲକ ଅନ୍ତର୍ଗତ ପଣ୍ଡକିପାଲି, ବରଗଡ଼ ବ୍ଲକ ଅନ୍ତର୍ଗତ କଲାପାଣି ଗ୍ରାମର ମୃତଚାଷୀଙ୍କ ଶୋକାକୁଳ ପରିବାରକୁ ଭେଟିବା ସହିତ ପ୍ରଭାବିତ ଫସଲ ବୁଲି ଦେଖିବେ। ସେମାନେ ବିଜେପୁର, ବରପାଲି ଆଦି ଅଞ୍ଚଳ ଗସ୍ତ କରି ଚାଷୀଙ୍କ ସହିତ ମିଶି ସେମାନଙ୍କ ସମସ୍ୟା ବୁଝିବାର କାର୍ଯ୍ୟକ୍ରମ ରହିଛି ବୋଲି ପୁରୋହିତ କହିଥିଲେ। ଏହା ସହିତ ଚାଷୀ ଆତ୍ମହତ୍ୟା ସମେତ କୃଷି ସମସ୍ୟାକୁ ନେଇ ଆସନ୍ତା ୧୧ରୁ ୧୭ତାରିଖ ପର୍ଯ୍ୟନ୍ତ ଭାଜପା ବରଗଡ଼ ଗାନ୍ଧୀଛକ ସମ୍ମୁଖରେ ସତ୍ୟାଗ୍ରହ କରିବ। ଏଥିରେ ଶତାଧିକ ଦଳୀୟ କର୍ମୀଙ୍କ ସହିତ ଦଳର ତୁଙ୍ଗନେତାମାନେ ଯୋଗ ଦେବେ ବୋଲି ପୁରୋହିତ ସୂଚନା ଦେଇଥିଲେ। ଖବରଦାତା ସମ୍ମିଳନୀରେ ଦଳର ଜିଲା ସଭାପତି ନାରାୟଣ ସାହୁ, ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଅଶୋକ ପଣ୍ଡା, ଜିଲା ସାଧାରଣ ସମ୍ପାଦକ ରବି ନାରାୟଣ ଦାଶ, ଅଶୋକ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri